ଲିଙ୍ଗରାଜ ମନ୍ଦିରକୁ ବାହୁଡ଼ିଗଲା ରୁକୁଣା ରଥ

ପୁରୁଣା ଭୁବନେଶ୍ୱର: ମାଉସୀ ମା’ ମନ୍ଦିରରେ ଲୀଳାଖେଳା ସାରି ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁ ଭଉଣୀ ଦେବୀ ରୁକ୍ମିଣୀ ଓ ବାସୁଦେବ(ଦୋଳଗୋବିନ୍ଦ)ଙ୍କୁ ସାଙ୍ଗରେ ଧରି ନିଜ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦେବ ଦମ୍ପତିଙ୍କ ଅଭିମାନପୂର୍ଣ୍ଣ କଳହ ଓ ତା’ର ସମାଧାନ ସୂତ୍ରରେ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରି ପ୍ରଭୁ ନିଜ ମନ୍ଦିରକୁ ପ‌୍ରବେଶ କରିଛନ୍ତି। ବିଧି ଅନୁସାରେ ମା’ ପାର୍ବତୀ ବାଟରେ ରଥ ଭାଙ୍ଗିବା ସହ ସ୍ବର୍ଣ୍ଣାଦ୍ରୀ ବିଜେ ବେଳେ କବାଟି କିଳି ପ୍ରଭୁଙ୍କ ଉପରେ ଅଭିମାନ ପ୍ରଦର୍ଶନ କରିଛନ୍ତି। ଲୀଳାମୟ ପ୍ରଭୁ ବି ମାନଭଞ୍ଜନ କରିବାକୁ ଯାଇ ଚନ୍ଦନଯାତ୍ରାରେ ତାଙ୍କୁ ସାଙ୍ଗରେ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏମିତିରେ ମା’ ପାର୍ବତୀଙ୍କ ଅଭିମାନ ଦୂର ହେବା ପରେ ଯାଇ ପ୍ରଭୁଙ୍କ ସ୍ବର୍ଣ୍ଣାଦ୍ରୀ ବିଜେ ସମ୍ପନ୍ନ ହୋଇଛି ଓ ରୁକୁଣା ରଥ ଯାତ୍ରାର ଅନ୍ତିମ ପର୍ବ ସମାପନ ହୋଇଛି।

କୋଭିଡ୍‌ କଟକଣା ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ଆଜି ଏକାମ୍ର କ୍ଷେତ୍ର ରଥଦାଣ୍ଡ ଭକ୍ତଶୂନ୍ୟ ହୋଇପଡ଼ିଥିଲା। ଟାଇଁଟାଇଁ ମୁଣ୍ଡଫଟା ଖରାରେ ସେବାୟତ ଓ ପୁଲିସ ରଥକୁ ଟାଣି ନେଇଥିଲେ। ପହଣ୍ଡି ଓ ରଥ ପୂଜା ବିଧି ପରେ ଅପରାହ୍ନ ୪ଟା ୨୦ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ୨୦ମିନିଟ ବେଳକୁ ରଥ ମହାଖଳାରେ ଲାଗିଯାଇଥିଲା। ତେବେ ଏହା ପୂର୍ବରୁ ଆଜି ଭୋର୍ ସାଢ଼େ ୬ଟାରେ ମଙ୍ଗଳ ଆଳତି ଆଦି ସରିବା ପରେ ସକାଳ ୯ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ସାହାଣମେଲା ହୋଇଥିଲା। ପରେ ରଥରେ ଚାରି ଘୋଡ଼ା ଯୋଚା ହୋଇଥିଲେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ଶ୍ରୀ ଜିଉଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିଲା। ଚାରମାଳ ଖୋଲାଯାଇ ଅପରାହ୍ନ ୪ଟା ୨୦ରେ ରଥ ଟଣା ଆରମ୍ଭ ହୋଇଥିଲା।

ରଥ ଉପରୁ ଡାହୁକ ଡାକ ଦେବା ମାତ୍ରେ ତଳେ ହର ହର ମହାଦେବ, ଜୟ ଶ୍ରୀଲିଙ୍ଗରାଜ, ଓଁ ନମଃ ଶିବାୟ ଓ ହରିବୋଲ ଧ୍ବନି ପ୍ରକମ୍ପିତ ହୋଇଥିଲା। ଚାହୁଁ ଚାହୁଁ ରଥ ବି ଘର୍ଘର ନାଦ କରି ଗଡ଼ିବାକୁ ଲାଗିଥିଲା। ରଥ ଦାଣ୍ଡ ଭକ୍ତ ଶୂନ୍ୟ ଥିଲେ ବି ଦାଣ୍ଡ ପାର୍ଶ୍ବସ୍ଥ କୋଠା ଉପରେ ହଜାର ହଜାର ଶ୍ରଦ୍ଧାଳୁ ଏହି ସୁନ୍ଦର ଦୃଶ୍ୟ ଦେଖିବା ହାତଛଡ଼ା କରିନଥିଲେ। ତେବେ ମହାଆନନ୍ଦ ଉଲ୍ଲାସରେ ସେବାୟତ ଓ ପୁଲିସ କର୍ମଚାରୀମାନେ ରଥକୁ ଟାଣି ନେଇଥିଲେ।

ସମ୍ବନ୍ଧିତ ଖବର