ରୁକୁଣା ରଥ ଚାରିଦ୍ବାର କାମ ଆରମ୍ଭ: ଆଜିଠୁ ସେବାୟତଙ୍କ କୋଭିଡ୍‌ ପରୀକ୍ଷା

ପୁରୁଣା ଭୁବନେଶ୍ୱର : ଆସନ୍ତା ଶନିବାର ଓ ରବିବାର ରୁକୁଣା ରଥଯାତ୍ରା ପାଇଁ ସେବାୟତଙ୍କ କୋଭିଡ୍‌ ପରୀକ୍ଷା କରାଯିବ। ରଥ ଉପରେ ଓ ରଥ ଟାଣିବାକୁ ଥିବା ସବୁ ସେବାୟତଙ୍କ ପରୀକ୍ଷା କରାଯିବ। ଏନେଇ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସବୁ ସେବାୟତଙ୍କୁ ଡକାଇ ଆଲୋଚନା କରାଯାଇଛି। କୋରାପୁଟ୍‌ ଭବନରେ ଏହି ପରୀକ୍ଷା କରାଯିବ। ଅରପପକ୍ଷେ ମହାରଣା ସେବାୟତମାନେ ନିର୍ଧାରିତ ସମୟ ପୂର୍ବରୁ ରଥ ପ୍ରସ୍ତୁତି କରିବା ପାଇଁ ଲାଗି ପଡ଼ିଛନ୍ତି। ୧୯ ତାରିଖ ରାତି ସୁଦ୍ଧା ରଥ ତିଆରି ହୋଇ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ମହାରଣା ସେବାୟତମାନେ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ବ୍ରାହ୍ମଣ, ବଡ଼ୁ, ପୂଜାପଣ୍ଡା, ମହାରଣା, ଆପଟିଆ, ଭୋଇ ବେହେରା, ସମର୍ଥାଙ୍କ ସମେତ ରଥ ଯାତ୍ରାଠାରୁ ସ୍ୱର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ପାଳିଆ ସେବାୟତଙ୍କୁ ଡକାଇ ଆଲୋଚନା କରାଯାଇଛି। କୋଭିଡ କଟକଣା କଡ଼ାକଡ଼ି ପାଳନ ହେବ, ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସେବାୟତଙ୍କୁ ଜଣାଇ ଦେଇଛନ୍ତି। ସେପଟେ ରଥ ଖଳାରେ ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମହାରଣା ସେବାୟତ ବଟକୃଷ୍ଣ ଓ ସୋମନାଥ କହିଛନ୍ତି। ରଥରେ ୧୬କୋଣ ସିଂହ ଲଗାଯାଇଛି। ତିନି ଭୂଇଁ ଲଗାଯାଇଥିବା ବେଳେ ଆଜି ଧମକ ଶେଣୀ, ଛକା, ଦୁଆର ଆଡ଼ା, ଘୋରଡ଼ା ବନ୍ଧା କାମ ଶେଷ ହୋଇ ଯୋକା କାମ ଓ ଚାରି ଦ୍ବାର କାମ ଆରମ୍ଭ କରାଯାଇଛି। ଆସନ୍ତାକାଲିଠୁ ଅଁଳା, ବେକି ଓ କଳସ କାମ ଆରମ୍ଭ କରାଯିବ। ଚିତ୍ରଶିଳ୍ପୀ ଶିବନାରାୟଣ ସେନାପତିଙ୍କ ଦ୍ୱାରା ସିଂହ ବାଡ଼ ଓ ଘୋଡ଼ାଇଶ ରଙ୍ଗ ଶେଷ ହୋଇଛି।

ବ୍ରହ୍ମା ମୂର୍ତି ପ୍ରତିଷ୍ଠା ପାଇଁ ଯଜ୍ଞ
ପୁରୁଣା ଭୁବନେଶ୍ୱର : ରୁକୁଣା ରଥର ସାରଥୀ ‘ବ୍ରହ୍ମା’ଙ୍କ ନୂତନ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ରୁଦ୍ଧଦ୍ବାର ମଧ୍ୟରେ ଚାଲିଥିବା ନିର୍ମାଣ କାମ ସରିଛି। ରଥରେ ପ୍ରତିଷ୍ଠା ହେବା ପୂର୍ବରୁ ବିଧି ଅନୁସାରେ ଏହି ନବନିର୍ମିତ ମୂର୍ତ୍ତି ପାଇଁ ଯଜ୍ଞ ଆୟୋଜନ କରାଯାଇଛି। ମନ୍ଦିର ପରିସରରେ ଯଜ୍ଞ ଆରମ୍ଭ କରାଯାଇଥିବାବେଳେ ଆସନ୍ତା ରବିବାର ଏହି ଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ ହେବ। ପରେ ନେତ୍ର ଉତ୍ସବ ଦିନ ବ୍ରହ୍ମା ମୂର୍ତ୍ତି ରଥକୁ ଆସିବେ। ସୂଚନାଯୋଗ୍ୟ ଯେ ରୁକୁଣା ରଥର ସାରଥୀ ପୁରୁଣା ବ୍ରହ୍ମାଙ୍କ ମୂର୍ତ୍ତି ଅବକ୍ଷୟ ହୋଇ ପଡ଼ିଥିବାରୁ ନବକଳେବରର ଆବଶ୍ୟକତା ପଡ଼ିଥିଲା। ତେଣୁ ମୁକ୍ତିମଣ୍ଡପର ପରାମର୍ଶ କ୍ରମେ ନୂଆ ମୂର୍ତ୍ତି ନିର୍ମାଣ କରାଯାଇଥିଲା।

ଲିଙ୍ଗରାଜ ମନ୍ଦିରକୁ କରୋନା ଭୟ, ଥର୍ମାଲ୍‌ ସ୍କ୍ରିନିଂ ଓ ସାନିଟାଇଜ୍‌ ପାଇଁ ଦାବି
ପୁରୁଣା ଭୁବନେଶ୍ୱର : ମହାମାରୀ କରୋନାର ଦ୍ବିତୀୟ ଲହର ଭୟଙ୍କର ରୂପ ନେଲାଣି। କିନ୍ତୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସେବାୟତ ଓ ଭକ୍ତଙ୍କ ପାଇଁ ସାନିଟାଇଜ୍‌ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। କେବଳ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷାକୁ ଛାଡ଼ିଦେଲେ ଅନ୍ୟ ସବୁ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି ସାନିଟାଇଜ୍ ଓ ତାପମାତ୍ରା ମାପିବା ବ୍ୟବସ୍ଥା ନଥିବାରୁ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ହାତ ସାନିଟାଇଜ୍‌ ପାଇଁ ରଖାଯାଇଥିବା ସାନିଟାଇଜ୍‌ ମେସିନ୍‌ ଆଉ ନାହିଁ। ଏହାକୁ କେବେଠାରୁ ଉଠାଇ ନିଆଯାଇଛି। ସେହିପରି ପ୍ରତିଦିନ ତାପମାତ୍ରା ମାପ ମଧ୍ୟ ହେଉନାହିଁ। ଥର୍ମାଲ୍ ସ୍କ୍ରିନିଂ ବହୁ ଦିନ ହେଲା ବନ୍ଦ ହୋଇଯାଇଛି। କେବଳ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଉଛି। ସାନିଟାଇଜ୍‌ ମେସିନ୍‌ ନଥିବାରୁ ଓ ପ୍ରତିଦିନ ତାପମାତ୍ରା ମାପ ହେଉନଥିବାରୁ ସେବାୟତମାନେ ଏବେ କ୍ଷୁବ୍ଧ ହୋଇଛନ୍ତି। ଏ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶଙ୍କ କହିବା କଥା, ଖୁବ୍‌ ଶୀଘ୍ର ସାନିଟାଇଜ୍‌ ମେସିନ୍‌ ପୁଣି ଲାଗିବ। ତେବେ ତାପମାତ୍ରା ମାପ ମେସିନ୍ କଥା ବିଏମ୍‌ସି ବୁଝୁଥିଲା। ତେଣୁ ଏଥର ବି ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯିବ ଓ ଏଥିପାଇଁ ବିଏମ୍‌ସିକୁ ଜଣାଇ ଦିଆଯିବ।

ସବୁ ଛକରେ ରହିବ ପୁଲିସ, ସାମିଲ ହେବେ ୭ପ୍ଲାଟୁନ୍‌
ପୁରୁଣା ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କରୋନା କଟକଣା ମଧ୍ୟରେ ପାଳନ ହେବ। ଚଳିତବର୍ଷ ରଥ ଉପରକୁ ଯାଇ କେହି ସାଧାରଣ ଲୋକ ଦର୍ଶନ କିମ୍ବା ଭୋଗ କରିପାରିବେ ନାହିଁ। ରଥକୁ କେବଳ ସେବାୟତ ଓ ପୁଲିସ ଟାଣିବେ। ତେବେ ରଥ ନିକଟକୁ କେହି ଆସିବା ପୂର୍ବରୁ ପୁରୁଣା ଭୁବନେଶ୍ବରର ସବୁ ଗଳି ମୁହଁରେ ଦୁଇ ଜଣ ଲେଖାଏଁ ପୁଲିସ ଉପସ୍ଥିତ ରହିବେ। ସେହିପରି ସବୁ ଛକରେ ଗୋଟିଏ ସେକ୍ସନ୍‌ ଲେଖାଏଁ ପୁଲିସ୍‌ ଫୋର୍ସ ଉପସ୍ଥିତ ରହିବେ। ପୁଲିସ ଚଳିତ ବର୍ଷ ୨୭ଟି ସ୍ଥାନରେ ଡ୍ୟୁଟି କରିବ। ସମୁଦାୟ ୭ପ୍ଲାଟୁନ୍‌ ଫୋର୍ସ ମୁତୟନ ‌େହବେ। ପୁଲିସ କମିସନର, ଅତିରିକ୍ତ ପୁଲିସ କମିସନର, ଡିସିପି, ଏସିପି ଏଥିରେ ସାମିଲ ହେବେ। ପୁଲିସ ରାମେଶ୍ବର ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ରଥ ଚାରିପଟେ ପୁଲିସ ଉପସ୍ଥିତ ରହିବା ସହ ରଥକୁ ପୁଲିସ ଟାଣିବେ। ଡ୍ୟୁଟିରେ ରହିବାକୁ ଥିବା ପୁଲିସଙ୍କ ଆସନ୍ତା ରବିବାର କୋଭିଡ୍‌ ପରୀକ୍ଷା କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର