ଭୁବନେଶ୍ବର: କରୋନା କଟକଣା ଭିତରେ ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ପର୍ବ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ସେନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଶନିବାର ଆଜି ପ୍ରସ୍ତୁତି ବୈଠକ ହୋଇଛି । ବୈଠକରେ ବିନା ଶ୍ରଦ୍ଧାଳୁରେ ରଥଯାତ୍ରା ସମାପନ ନେଇ ଆଲୋଚନା ହୋଇଥିବା ଜଣାପଡିଛି । ଏହା ସହ ସ୍ୱଳ୍ପ ସେବାୟତଙ୍କୁ ଏହି ରଥଯାତ୍ରାରେ ନିୟୋଜିତ କରାଯିବା ନେଇ ବି ଆଲୋଚନା ହୋଇଛି ।
ଅନ୍ୟପଟେ ରଥ ଟାଣିବା ବେଳେ ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁହେବା ନେଇ ସୂଚନା ଦିଆଯାଇଛି। ଉଭୟ ୨୦ ଓ ୨୪ ତାରିଖରେ ୧୪୪ ଧାରା ଲାଗୁ ହେବ । ଏହି ବୈଠକରେ ଲିଙ୍ଗରାଜ ସେବାୟତ, ଲିଙ୍ଗରାଜ ମନ୍ଦିର କମିଟି ଓ ପୁଲିସ କମିସନର ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।
ମହାରଣା ସେବାୟତମାନେ ନିର୍ଧାରିତ ସମୟ ପୂର୍ବରୁ ରଥ ପ୍ରସ୍ତୁତି କରିବା ପାଇଁ ଲାଗି ପଡ଼ିଛନ୍ତି। ୧୯ ତାରିଖ ରାତି ସୁଦ୍ଧା ରଥ ତିଆରି ହୋଇ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ମହାରଣା ସେବାୟତମାନେ କହିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ବ୍ରାହ୍ମଣ, ବଡ଼ୁ, ପୂଜାପଣ୍ଡା, ମହାରଣା, ଆପଟିଆ, ଭୋଇ ବେହେରା, ସମର୍ଥାଙ୍କ ସମେତ ରଥ ଯାତ୍ରାଠାରୁ ସ୍ୱର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ପାଳିଆ ସେବାୟତଙ୍କୁ ଡକାଇ ଆଲୋଚନା କରାଯାଇଛି। କୋଭିଡ କଟକଣା କଡ଼ାକଡ଼ି ପାଳନ ହେବ, ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସେବାୟତଙ୍କୁ ଜଣାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/rukuna-ratha-without-devotte-knk17_Thumb.jpg)