ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସକ ଦାୟିତ୍ଵ ନେଲେ। ଦୋଳ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ରୁକ୍ମିଣୀ, ଶ୍ରୀ ଦୋଳ ଗୋବିନ୍ଦ ଦୋଳ ଖେଳ ସାରି ରାତ୍ର଼ ସାଢ଼େ ୧୨ଟାରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଏହି ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜିଉ ବାଚନିକ ଅନୁଯାୟୀ ରଥଯାତ୍ରାର ଖର୍ଚ ଓ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ସମାପନ ପାଇଁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ାଙ୍କୁ ଏହି ଦାୟିତ୍ଵ ହସ୍ତାନ୍ତର କରାଯାଇଥିଲା। ଦୁଇ ପୂଜାପଣ୍ଡା ସେବାୟତ ଶ୍ରୀଲିଙ୍ଗରାଜ ଓ ଶ୍ରୀଦୋଳ ଗୋବିନ୍ଦଙ୍କ ପକ୍ଷରୁ ବାଚନିକ କରିଥିଲେ। ମନ୍ଦିର ପ୍ରଶାସକ ଦାୟିତ୍ଵ ବହନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଦେବଦେବୀ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିଥିଲେ।