ବିନା ଭକ୍ତରେ ରୁକୁଣା ରଥଯାତ୍ରା: ରଥ ଗଡ଼ୁଗଡ଼ୁ ଘଣ୍ଟାଏ ଡେରି, ଗୋସାଗରେଶ୍ବର ଛକରେ ଅଟକିଲା

ପୁରୁଣା ଭୁବନେଶ୍ୱର: ପୂର୍ବରୁ ହୋଇଥିବା ସବୁ ପ୍ରସ୍ତୁତି ଠିକଣା ସମୟ‌ରେ ଓଲଟପାଲଟ ହୋଇଗଲା। ସାଢ଼େ ୩ଟାରେ ରଥ ଟଣା ହେବାକୁ ଥିଲା, କିନ୍ତୁ ଘଣ୍ଟାଏ ବିଳମ୍ବରେ ଅର୍ଥାତ୍ ସାଢ଼େ ୪ଟାରେ ରଥ ଗଡ଼ିଲା। ଏହି ଏକ ଘଣ୍ଟାର ବିଳମ୍ବ ପାଇଁ ରୁକୁଣା ରଥ ଆଜି ରାମଶ୍ବେରଙ୍କ ମନ୍ଦିରରେ ଲାଗି ପାରିଲା ନାହିଁ। ଅଧାବାଟରେ ଗୋସାଗରେଶ୍ବର ଛକରେ ଅଟକିଲା ରଥ। ତେଣୁ ଆସନ୍ତାକାଲି ଅପରାହ୍ଣ ୩ଟାରେ ପୁଣି ରଥ ଟଣା ହେବ ଓ ସନ୍ଧ୍ୟା ସୁଦ୍ଧା ରାମେଶ୍ବର ଓ ଲିଙ୍ଗରାଜ ମହାପ୍ରଭୁଙ୍କ ଭେଟଘାଟ ହେବ। ଆଜି ପବିତ୍ର ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଭଉଣୀ ରୁକ୍ମିଣୀ ଓ ଶ୍ରୀଦୋଳଗୋବିନ୍ଦଙ୍କୁ ସାଙ୍ଗରେ ଧରି ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ। କୋଭିଡ଼୍‌ କଟକଣାରେ ରଥ ଗଡ଼ିଥିଲା। ରଥ ଦାଣ୍ଡକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବାରଣ କରାଯାଇଥିଲା। ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁସାରେ ଆଜି ଭୋର୍ ୫ଟାରେ ମଙ୍ଗଳ ଆଳତି ହେବାର ଥିଲା। କିନ୍ତୁ ଭୋର୍ ୫ଟା ୫୦ମିନିଟ୍‌ରେ ମନ୍ଦିର ପ୍ରଶାସନ ମନ୍ଦିର ଚାବି ଆଣି ଦେଇଥିଲେ। ଫଳରେ ଆରମ୍ଭରୁ ହିଁ ନୀତି ବିଭ୍ରାଟ ବା ବିଳମ୍ବ ହେଲା। ଭୋର୍ ୫ଟାରେ ହେବାକୁ ଥିବା ମଙ୍ଗଳ ଆଳତି ସକାଳ ୬ଟା ୨୦ ମିନିଟ୍‌‌ରେ ହେଲା। ପରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ପରିଷ୍କାର, ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଧୂପ, ବଲ୍ଲଭ, ଭୋଗ ମଣ୍ଡପ କରାଗଲା।

ପରେ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ମହାସ୍ନାନ, ବେଶ କରାଯାଇ ଯାତ୍ରା ପୂଜା କରାଯାଇଥିଲା। ଅପରାହ୍ଣ ସାଢ଼େ ୨ଟାରେ ଶ୍ରୀଜୀଉଙ୍କ ପହଣ୍ଡି କରାଯିବା ପରେ ରଥ ଚତୁଃପାର୍ଶ୍ୱ ପରିକ୍ରମା କରି ମହାପ୍ରଭୁ ରଥାରୂଢ ହୋଇଥିଲେ। ରଥ ଉପରେ ମହାପ୍ରଭୁଙ୍କୁ ପରିକ୍ରମା କରାଯିବା ପରେ ସେବାୟତମାନେ ଶ୍ରୀଜିଉଙ୍କୁ ରଥ ସିହାଂସନରେ ବସାଇଥିଲେ। ଏହା ପରେ ଛେରାପହଁରା କରାଯିବା ସହ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ବିଧି ପୂଜା କରାଯାଇଥିଲା। ଚାରି ଦ୍ୱାର ପୂଜା ପରେ ରଥରେ ଚାରି ଘୋଡ଼ା ବନ୍ଧା ଯାଇଥିଲେ। ପରେ ଚାରମାଳ ଖୋଲା ଯାଇ ରଥ ଉପରେ ସକାଳ ଆଳତି କରାଯାଇଥିଲା। ଅପରାହ୍ଣ ସାଢ଼େ ୪ଟାରେ କାଳିସି ରଥ ସମ୍ଭାଳିଥିଲେ ଓ ରଥ ଟଣା ଆରମ୍ଭ ହୋଇଥିଲା। ନିୟମାନୁସାରେ ସୂର୍ଯ୍ୟାସ୍ତ ପରେ ଅନ୍ଧାର ହେଲେ ରଥ ଗଡ଼ିବା ବିଧି ନଥିବାରୁ ସନ୍ଧ୍ୟା ୬ଟା ୩୦ରେ ରଥଟଣା ବନ୍ଦ କରାଯାଇଥିଲା। ତେଣୁ ଆଜି ଠାକୁରଙ୍କ ସମସ୍ତ ସାନ୍ଧ୍ୟ ପୂଜା ନୀତି ରଥରେ ହିଁ କରାଯିବ। ବିଳମ୍ବକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଥିଲେ ବି ଏହାକୁ ମହାପ୍ରଭୁଙ୍କ ଲୀଳା ବୋଲି କୁହାଯାଉଛି। ରଥରେ ସନ୍ଧ୍ୟା ପୂଜା ବଡ଼ ଦୁର୍ଲଭ ଦୃଶ୍ୟ ବୋଲି ଅନେକ ମତ ଦିଅନ୍ତି। କିନ୍ତୁ କରୋନା କଟକଣା ଏଥିରେ ବାଧକ ସାଜିଛି ବୋଲି ବହୁ ଭକ୍ତ ବ୍ୟଥିତ ହୋଇଛନ୍ତି।

ରଥ ପାଖରେ ପ୍ରବଚନ
ରୁକୁଣା ରଥ ପାଖରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ପ୍ରବଚନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ମହାଖଳା ମଣ୍ଡପରେ ରଥ ସଂପର୍କିତ ଧାରା ବିବରଣୀ ପ୍ରଦାନ କରାଯାଇଥିଲା। ଲୋକସମ୍ପର୍କ ବିଭାଗ ଅଧିକାରୀ ଗୌରଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଜୟକୃଷ୍ଣ ଦାସ, ସଚ୍ଚିଦାନନ୍ଦ ବେହେରା, ବୈକୁଣ୍ଠନାଥ ପ୍ରଧାନ, ବିଶ୍ବଜିତ ବଳିଆରସିଂହ ପ୍ରମୁଖ ପ୍ରବଚନ ଦେଇଥିଲେ। ଅସହ୍ୟ ଟାଣ ଖରା ଯୋଗୁଁ ଠାକୁରଙ୍କ ପହଣ୍ଡି ବେଳେ ଲିଙ୍ଗରାଜ ମନ୍ଦିର ପରିସର, ମନ୍ଦିରରୁ ରଥ ପର୍ଯ୍ୟନ୍ତ ଓ ରଥଖଳାରୁ ମାଉସୀ’ ମା ଛକ ପର୍ଯ୍ୟନ୍ତ ପାଣି ସିଞ୍ଚନ କରାଯାଇଥିଲା। ମନ୍ଦିର ଭିତରେ ସେଚ୍ଛାସେବୀ ଓ ଏଏସ୍ଆଇ ପକ୍ଷରୁ ପାଣି ପକାଯାଇଥିବା ବେଳେ ମନ୍ଦିର ବାହାରେ ବିଏମ୍‌ସି ପକ୍ଷରୁ ପାଣି ପକାଯାଇଥିଲା।
ସୋସିଆଲ୍‌ ମିଡିଆରେ ରଥ ଦର୍ଶନ
ସୋସିଆଲ ମିଡିଆରେ ରଥଯାତ୍ରା ଦୃଶ୍ୟ ଭାଇରାଲ୍‌ ହୋଇଥିଲା। ଶ୍ରଦ୍ଧାଳୁମାନେ ସାମାଜିକ ଗଣମାଧ୍ୟମରେ ଏହି ଯାତ୍ରା ଦେଖିଥିଲେ। କିଛି ସେବାୟତ ଏହି ସବୁ ଭାବାତ୍ମକ ଦୃଶ୍ୟର ଲାଇଭ୍‌ ଭିଡିଓ କରିଥିବା ବେଳେ ରାସ୍ତା କଡ଼ରେ ଥିବା ସାଧାରଣ ଲୋକ ମଧ୍ୟ ଫେସ୍‌ବୁକ୍‌ରେ ଲାଇଭ୍‌ କରିଥିବା ଦେଖିବାକୁ ମିଳିଥିଲା। ଯାହା ଫଳରେ ବିଭିନ୍ନ ଇଲୋକ୍ଟ୍ରନିକ୍ ଗଣମାଧ୍ୟମ ଓ ଫେସ୍‌ବୁକ୍‌ରୁ ସାଧାରଣ ଲୋକ ରଥ ଟଣା ଦେଖିବାର ସୁଯୋଗ ପାଇଥିଲେ।


ଖରଡ଼ା ସେବକଙ୍କ ମନ୍ଦିର ଅଫିସ୍‌ ଘେରାଉ
ରଥ ଗଡ଼ିବା ବେଳେ ରଥରେ ବ୍ରେକ୍‌ ଲଗାଇଥାନ୍ତି ଖରଡ଼ା ସେବାୟତ। ଭୋଇ ବେହେରା ସେବାୟତ ରଥ ତଳେ ରହି ନିଜ ଜୀବନକୁ ବାଜି ଲଗାଇ ଖରଡ଼ା ଲଗାଇଥାନ୍ତି। ତେବେ ସେମାନଙ୍କ ପାଇଁ କୌଣସି ସରକାରୀ ସୁବିଧା ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କୁ ବୀମା ସୁବିଧା ପ୍ରଦାନ କରିବା ସହ ସରକାରୀସ୍ତରରେ ଅତି କୁଶଳୀ ଶ୍ରମିକ ଦରରେ ପାଉଣା ଓ ଶିକ୍ଷା ସୁବିଧା ଯୋଗାଇବାକୁ ଦାବି କରି ସେମାନେ ମନ୍ଦିର କାର୍ଯ୍ୟ ନିର୍ବାହୀଙ୍କୁ ଘେରାଉ କରିଥିଲେ।
ରଥ ପାଖେ ରାତିରେ ୧୪୪ ଧାରା ଜାରି
ରଥ ଗଡ଼ିବା ବେଳେ ରାସ୍ତା କଡ଼ରେ ଓ କୋଠା ଉପରେ କେହି ରହିବେନି ବୋଲି ପୂର୍ବରୁ ପ୍ରଶାସନ ଘୋଷଣା କରିଥିଲା। ରଥ ଟଣା ପୂର୍ବରୁ ରଥ ଟଣା ସରିବା ପର୍ଯ୍ୟନ୍ତ କମିସନରେଟ୍‌ ପୁଲିସ ପକ୍ଷରୁ ମାଇକ୍‌ ବଜାଇ ପ୍ରଚାର ଚାଲିଥିଲା। ହେଲେ ଲୋକେ ମାନିଲେ ନାହିଁ। ଦାଣ୍ଡକୁ ସିନା ଆସିହେଲା ନାହିଁ, ହେଲେ ରଥ ଦାଣ୍ଡରେ ରଥ ଗଡ଼ୁଥିଲା ବେଳେ ଦାଣ୍ଡ ପାର୍ଶ୍ବସ୍ଥ କୋଠା ଉପରେ ରହି ଲୋକେ ଦର୍ଶନ କରିଥିଲେ। ସେହିପରି ବିଭିନ୍ନ ଛକମାନଙ୍କରେ ମଧ୍ୟ କିଛି ଲୋକ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ରଥ ଟଣା ବନ୍ଦ ହେବା ପରେ ଆଉ କେହି ମାନିନଥିଲେ। ଗୋସାଗରେଶ୍ବର ଛକରେ ଅସମ୍ଭବ ଭିଡ଼ ହେଲା ଓ ସାଧାରଣ ଲୋକେ ରଥକୁ ଛୁଇଁ ମୁଣ୍ଡିଆ ମାରିଥିଲେ। କିଛି ଲୋକ ସେଠାରେ ଦୀପ ଜାଳିଥିଲେ। ତେଣୁ ଶେଷରେ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ୧୪୪ ଧାରା ଲାଗୁ କରିଥିଲା।

ସମ୍ବନ୍ଧିତ ଖବର