ରୁକୁଣା ରଥଯାତ୍ରା: ପରମ୍ପରା ଭାଙ୍ଗିଲା, ହେଲାନି ନେତ୍ର ଉତ୍ସବ ଓ ମରିଚିକୁଣ୍ଡ ପାଣି ନିଲାମ

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା। ଆଜି ଥିଲା ନେତ୍ର ଉତ୍ସବ ଓ ମରିଚିକୁଣ୍ଡ ପାଣି ନିଲାମ। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତହାହିଁ ଘଟିଲା। କରୋନା ଭୟ ଯୋଗୁଁ ଚଳିତ ବର୍ଷ ଅଶୋକାଷ୍ଟମୀରେ ରୁକୁଣା ରଥ ଗଡ଼ିବ ନାହିଁ ବୋଲି ୩ଦିନ ତଳେ ଖୋର୍ଧା ଜିଲ୍ଲାପାଳ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଚାରି ନିଯୋଗର ପ୍ରମୁଖ ସେବାୟତଙ୍କୁ ଜଣାଇଥିଲେ।

ରଥ କାମ ସରିଥିଲା
ମନ୍ଦିର ପ୍ରଶାସନ ପକ୍ଷରୁ ରଥ କାମ ନକରିବାକୁ ଗତ ଦୁଇଦିନ ପୂର୍ବରୁ ମହାରଣାମାନଙ୍କୁ କୁହାଯାଇଥିଲା। ତେବେ ପରମ୍ପରା ଅନୁଯାୟୀ ରଥ କାମକୁ ଶେଷ କରିଥିଲେ ମହାରଣା ସେବାୟତ। ଘୋଡ଼ା ପ୍ରସ୍ତୁତ ହେବା ସହ ସିଂହାସନ, ପ୍ରସ୍ତୁତ ହୋଇଥିଲା। ଏପରିକି ମନ୍ଦିର ସିଂହଦ୍ବାର ନିକଟରୁ ସାରଥୀଙ୍କୁ ଅଣାଯାଇଥିଲା। ଆଜି ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ରଥର ବାକିଥିବା ସବୁ କାମ ସାରିଥିଲେ।

ପରମ୍ପରା ବଜାୟ ରଖିବାକୁ ବିକ୍ଷୋଭ
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବନ୍ଦ ନକରି ପରମ୍ପରା ବଜାୟ ରଖିବାକୁ ଦାବି କରି ବିକ୍ଷୋଭ କରାଯାଇଥିଲା। ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ବରେ କିଛି ସଭ୍ୟ ଯାଇ ମନ୍ଦିର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ସେମାନେ କହିଥିଲେ ଯେ, ରୁକୁଣା ରଥଯାତ୍ରା ପରମ୍ପରା ବଜାୟ ରହିବା ଉଚିତ। ଅଳ୍ପ ସେବୟତ, ପୁଲିସ ଉପସ୍ଥିତରେ ଏହାକୁ କରିବାକୁ ସେମାନେ ଦାବି କରିଥିଲେ।

ହେଲାନି ନେତ୍ର ଉତ୍ସବ ଓ ମରିଚିକୁଣ୍ଡ ପାଣି ନିଲାମ
ଆଜି ଥିଲା ନେତ୍ର ଉତ୍ସବ। ମନ୍ଦିରରେ ସନ୍ଧ୍ୟା ଧୂପ ପରେ ମରିଚିକୁଣ୍ଡ ପାଣି ଆସିବା ପରେ ଠାକୁରଙ୍କ ଅନ୍ୟ ନୀତି ହୁଏ। ତେବେ ସନ୍ଧ୍ୟା ଧୂପ ପରେ ମନ୍ଦିର ପ୍ରଶାସନ ପକ୍ଷରୁ ମରିଚିକୁଣ୍ଡ ପାଣି ଆଣାଗଲା ନାହିଁ। ଏହାଦ୍ବାରା ପରମ୍ପରା ଭଙ୍ଗ ହୋଇଛି।

ମହା ପରମ୍ପରା ଭଙ୍ଗ
୫ବର୍ଷ ହେଲା ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଯଥା ହାଣ୍ଡି ଭଙ୍ଗା, ଚନ୍ଦନ ଯାତ୍ରା, ଶୀତଳଷଷ୍ଠୀ, ବରୁଣେଶ୍ବର ଯାତ୍ରା ପରମ୍ପରା ଭଙ୍ଗ ହୋଇଛି। ମହାଶିବରାତ୍ରି ପରେ ରଥଯାତ୍ରା ହେଉଛି ଦ୍ବିତୀୟ ବଡ଼ ପର୍ବ। ହେଲେ ରଥଯାତ୍ରା ବନ୍ଦ ହୋଇ ପରମ୍ପରା ଭଙ୍ଗର ନୂତନ ଇତିହାସ ସୃଷ୍ଟି କରିଛି। ଆଜି ସନ୍ଧ୍ୟା ଧୂପ ପରେ ମଧ୍ୟ ମନ୍ଦିରରେ କୌଣସି ନୀତି ହୋଇନଥିବା ଜଣାପଡ଼ିଛି। ରଥଯାତ୍ରା ପରମ୍ପରା ଭଙ୍ଗ ହୋଇଥିବାରୁ ମନ୍ଦିରରେ ନୀତି କରାଯାଇ ନାହିଁ ବୋଲି ସେବାୟତମାନେ କହିଛନ୍ତି।

ସିପିଙ୍କୁ ଭେଟିଲେ ପ୍ରତିନିଧି
ଅଳ୍ପ ସେବାୟତ ସାମାଜିକ ଦୂରତା ରଖି ରଥଯାତ୍ରା କରିବା ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ୪ନିଯୋଗ ସମ୍ପାଦକ ଓ ବିଧାୟକ ସୁରେଶ କୁମାର ରାଉତରାୟ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଭେଟିବ‌ାକୁ ଯାଇଥିଲେ। ତେବେ ପୁଲିସ କମିସନର ରଥଯାତ୍ରା ପାଇଁ ମନା କରି ଦେଇଥିଲେ। କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର