ଶ୍ରୀପଞ୍ଚମୀରେ ରୁକୁଣା ରଥ କାଠ ଅନୁକୂଳ

ଠାକୁରଙ୍କ ସିଂହାସନ ଉପରେ ପାଚେରି
ଉଦ୍ଧାର କାର୍ଯ୍ୟ ଶୀତଳ ଭଣ୍ଡାରରେ
ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ହେଲା ଅଭିଯୋଗ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଏକର ଏକର ସମ୍ପତ୍ତି ଥିବା ବେଳେ ଠାକୁର ରାସ୍ତା କଡ଼ରେ ପୂଜା ପାଇବାକୁ ଯାଉଛନ୍ତି। ଠାକୁରଙ୍କ ସିଂହାସନ ଉପରେ ପାଚେରି ନିର୍ମାଣ ହୋଇଛି। ମହାପ୍ରଭୁଙ୍କ ସମ୍ପତ୍ତି ଜବରଦଖଲ ଯୋଗୁଁ ଏହି ଅବସ୍ଥା ଦେଖାଦେଇଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ ପାଇଁ ଯେଉଁ ସ୍ଥାନକୁ ଯାଇଥା’ନ୍ତି ତାହା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ତେବେ ଏନେଇ ମନ୍ଦିର ପ୍ରଶାସନ ପାଖରେ ଭକ୍ତଗଣ ବହୁବାର ଅଭିଯୋଗ କରିବା ପରେ ବି ମନ୍ଦିର ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। କେବଳ ତଦନ୍ତ ନିର୍ଦେଶ ଦିଆଯିବା ସହ ସିଂହାସନ ଓ ଏହାର ଜମି ଉଦ୍ଧାର କରାଯିବା ଫାଇଲ ଚପି ଯାଉଛି। ଏହାକୁ ନେଇ ପୁଣି ସ୍ବର ଉତ୍ତୋଳନ କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ମଞ୍ଚର ସଦସ୍ୟ ଏହି ଘଟଣା ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି।

ଶ୍ରୀପଞ୍ଚମୀ ସନ୍ଧ୍ୟାରେ ମହପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ରୁକ୍ମିଣୀ ଓ ବାସୁଦେବ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିଥା’ନ୍ତି। ସେଠାରେ ରୁକୁଣା ରଥ କାଠ ପାଇଁ ବିଧି ମୁତାବକ ଅନୁକୂଳ କରାଯାଏ। ସେଠାରେ ସେବାୟତମାନଙ୍କ ଗହଣରେ କାଠ ଚିରା ଅନୁକୂଳ କରାଯାଏ। ତେବେ ସେଠାରେ ଠାକୁର ଯେଉଁ ସିଂହାସନ ଉପରେ ବିରାଜମାନ କରନ୍ତି, ଉକ୍ତ ସିଂହାସନ ଉପରେ ପା‌ଚେରି ତିଆରି ହୋଇଛି। ଯେଉଁ ଗଛକୁ ଛେଦନ କରାଯାଏ, ତାହା ଜଣେ ବ୍ୟକ୍ତିଙ୍କ ଘରର କ୍ୟାମ୍ପସ ଭିତରେ ରହିଛି। ଠାକୁର ରାସ୍ତା ଉପରେ ପୂଜା ପାଉଥିବା ବେଳେ ଆମ୍ବ ଗଛକୁ ଲୋକେ ଛୁଇଁବାକୁ ଚାହିଲେ ମଧ୍ୟ ଏହା ସମ୍ଭବ ହେଉନାହିଁ। ଏନେଇ ମଞ୍ଚର ସଦସ୍ୟ ମୃତ୍ୟୁଞ୍ଜୟ ମହାନ୍ତି ଗତବର୍ଷ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ସେତେବେଳେ ଶ୍ରୀ ମହାନ୍ତି ମନ୍ଦିର କାର୍ଯ୍ୟାଳୟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଏପରି ସଂଗିନ ଅଭିଯୋଗ ପାଇ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଅମିନ ଓ ଆରଆଇ ଓ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉକ୍ତ ଜମିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାର ତଦନ୍ତ ନିର୍ଦେଶ ଦିଆଯିବା ସହ ଆସନ୍ତା ଶ୍ରୀପଞ୍ଚମୀ ପୂର୍ବରୁ ପୁନରୁଦ୍ଧାର କରାଯିବ ବୋଲି ତତ୍‌କାଳୀନ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଥିଲେ। ତେବେ ବର୍ଷେ ପୂରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ମହାପ୍ରଭୁ ପୁଣି ରାସ୍ତାକଡ଼ରେ ପୂଜା ପାଇବେ। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କୁହନ୍ତି, ଠାକୁରଙ୍କ ସିଂହାସନ ଓ ଜମି ଜବରଦଖଲ ଯୋଗୁଁ ମହାପ୍ରଭୁ ରାସ୍ତା କଡ଼ରେ ପୂଜା ପାଇବେ। ଏଥିପାଇଁ ପ୍ରଶାସନ ପଦକ୍ଷେପ ନନେବା ପରିତାପର ବିଷୟ। ଏ ସଂପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଏନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯିବା ସହ ଅନୁଧ୍ୟାନ ହେବ।

ସମ୍ବନ୍ଧିତ ଖବର