ରୁକୁଣା ରଥଯାତ୍ରା ହେବ, ତଥାପି ଚିନ୍ତା ଛାଡ଼ୁନି

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲିଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ଏପ୍ରିଲ ୧ତାରିଖ ପର୍ଯ୍ୟନ୍ତ ଏହି କଟକଣା ପାଇଁ ନିର୍ଦେଶ ଜାରି କରାଯାଇଛି। କରୋନା ଯୋଗୁଁ ଏହି ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ଠାକୁରଙ୍କର କୌଣସି ପରମ୍ପରା ଭଙ୍ଗା ହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପେଟ ଆସନ୍ତା ଏପ୍ରିଲ ୧ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା। ଏହି ଯାତ୍ରା ବନ୍ଦ ହେବ ନାହିଁ, ପରମ୍ପରା ବଜାୟ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଭିଡ଼ ନହୋଇ ରଥଯାତ୍ରା କରାଯିବାରେ ଗୁରୁତ୍ବ ଦିଆଯିବ। ଏନେଇ ଆସନ୍ତା ୨୩ତାରିଖରେ ସମନ୍ବୟ ବୈଠକ କରାଯିବ। ଅଧିକ ଭିଡ଼ କରାନଯାଇ ଯେପରି ରଥଯାତ୍ରା କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ। ରଥଯାତ୍ରା ପୂର୍ବରୁ ରଥ ତିଆରି, ରଥରେ ରଙ୍ଗ, ରଥ ପ୍ରତିଷ୍ଠା କାର୍ଯ୍ୟ ବିନା ଭିଡ଼ରେ କରାଯିବ। କେବଳ ପରମ୍ପରା ବଜାୟ ରଖିବାକୁ ପାଳିଆ ସେବାୟତଙ୍କୁ ନେଇ ଏହି ସେବା କରାଯିବ। ଏଥିପାଇଁ ସେବାୟତମାନେ କରୋନା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରି ନିଜ ଭିତରେ ଦୂରତା ରଖି ହାତ ମୁହଁ ସଫା ରଖି ଏହି ସେବାରେ ସାମିଲ ହେବେ। ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ ନିବେଦନ କରିଛନ୍ତି। ଏପ୍ରିଲ ୧ତାରିଖ ଅପରାହ୍‌ଣ ସାଢ଼େ ୩ଟାରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଯାତ୍ରା ବେଳେ ମଧ୍ୟ ଭିଡ଼ ଅଧିକ ହେବା ଆଶଙ୍କା ରହିଛି। ରଥ ଭିଡ଼ିବା ବେଳେ ଲୋକମାନେ ପାଖାପାଖି ରହିବେ। ତେବେ ଯାତ୍ରା ଦିନ ଏସବୁକୁ ରୋକିବାକୁ କ’ଣ ପଦକ୍ଷେପ ନିଆଯିବ ସେ ନେଇ ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନ ଚିନ୍ତାରେ ରହିଛନ୍ତି।

ସମ୍ବନ୍ଧିତ ଖବର