ଗଡ଼ିଲାନି ରୁକୁଣା ରଥ, ଠାକୁର ଉପବାସ

ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହୋଇପାରିଲା ନାହିଁ। ରଥଯାତ୍ରା ବନ୍ଦ ଯୋଗୁଁ ମନ୍ଦିରରେ ନୀତି ହୋଇନାହିଁ। ଗତକାଲି ରଥ ପ୍ରତିଷ୍ଠା ହୋଇ ନ ପାରି ସେହିଠାରୁ ମନ୍ଦିରରେ ନୀତି ବନ୍ଦ ରହିଛି। ଫଳରେ ଠାକୁର ଉପବାସରେ ରହିଛନ୍ତି। ଗତକାଲି ସନ୍ଧ୍ୟା ୮ଟାରେ ମରିଚି କୁଣ୍ଡ ପାଣି ଆସିବା ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାନ୍ତା। ଏହା ପରେ ବଡ଼ ସିଂହାର ବେଶ ହୋଇଥାନ୍ତା। ତେବେ ଗତକାଲିଠୁ ମନ୍ଦିରରେ କୌଣସ ନୀତି ନହେବା ସହ ଠାକୁର ଉପବାସରେ ରହିଛନ୍ତି। ଏନେଇ ସେବାୟତମାନେ କହିଛନ୍ତି ଯେ, କରୋନା ଯୋଗୁଁ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ମନ୍ଦିରରେ ୫ରୁ ଅଧିକ ଲୋକ ରହିପାରିବେ ନାହିଁ। ତେବେ ମନ୍ଦିରରେ ନୀତି କରିବାକୁ ୩୬ଜଣ ସେବାୟତଙ୍କ ଆବଶ୍ୟକତା ରହିଛି। ଯେହେତୁ ୫ଜଣରୁ ଅଧିକ ସେବାୟତ ମନ୍ଦିରରେ ରହି ପାରିବେ ନାହିଁ ତେଣୁ ସେବାୟତମାନେ ନିୟମ ମାନି ୫ରୁ ଅଧିକ ସେବାୟତ ଯାଉ ନାହାନ୍ତି କିମ୍ବା ନୀତି କରାଯାଉ ନାହିଁ ବୋଲି ବିଭିନ୍ନ ନିଯୋଗ ପକ୍ଷରୁ କୁହାଯାଇଛି। କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ଉଠିଲେ ନୀତି କରାଯିବ। ତେବେ ରଥଯାତ୍ରା ତିଥି ସରିଲେ ସ୍ବର୍ଣ୍ଣାଦ୍ରି ବିଜେ ତିଥି ପରେ କିମ୍ବା ଲକ୍‌ଡାଉନ୍‌ ଉଠିବା ପରେ ସେବାୟତ ନୀତି କରିବେ ସେନେଇ ପ୍ରଶାସନ ପାଖରେ ଖବର ନାହିଁ। ଅନ୍ୟପଟେ ମନ୍ଦିର ପ୍ରଶାସନ ପକ୍ଷରୁ ଟ୍ରଷ୍ଟି ଅବନୀକାନ୍ତ ପଟ୍ଟନାୟକ ଓ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ସେବାୟତଙ୍କୁ ବୁଝାଇବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଅଳ୍ପ ସେବାୟତଙ୍କୁ ନେଇ ମନ୍ଦିରରେ ନୀତି ପୂଜା କରିବାକୁ ଅନୁରୋଧ କରାଯାଇଛି। ତେବେ ଠାକୁର ଗତକାଲିଠୁ ଉପବାସରେ ରହିଥିବା ବେଳେ ଆଉ କେତେଦିନ ଉପବାସ ରହିବେ ଏହା ଜଣାପଡ଼ିନାହିଁ।

ହେବ ଚନ୍ଦନ ଯାତ୍ରା
ରୁକୁଣା ରଥଯାତ୍ରା ସାରି ମହାପ୍ରଭୁ ମନ୍ଦିରକୁ ନୀଳାଦ୍ରି ବିଜେ କରି ଫେରିଥାନ୍ତି। ମା’ ପାର୍ବତୀ ରଥଯାତ୍ରା ବେଳେ ସାଙ୍ଗରେ ଯାଇନଥିବାରୁ ମନ୍ଦିର ଭିତରେ ‌ରୋଷ କରି କବାଟ ବନ୍ଦ କରିଥାନ୍ତି। ଏହି ସମୟରେ ମା’ ପାର୍ବତୀଙ୍କ ସହ ମହାପ୍ରଭୁ ଲିଙ୍ଗରାଜଙ୍କ ବଚନିକା ହୁଏ। ମହାପ୍ରଭୁଙ୍କ ନିକଟରୁ ଚନ୍ଦନ ଯାତ୍ରାର ପ୍ରତିଶ୍ରୁତି ପାଇବା ପରେ ମା’ ପାର୍ବତୀ କବାଟ ଖୋଲିଥାନ୍ତି। ତେବେ ଚଳିତ ବ‌ର୍ଷ ଚନ୍ଦନ ଯାତ୍ରାର ବଚନିକା ହେବନାହିଁ। ଏହାକୁ ନେଇ ଚନ୍ଦନ ଯାତ୍ରା ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି। ମାତ୍ର ଚନ୍ଦନ ଯାତ୍ରାରେ କୌଣସି ଅସୁବିଧା ନାହିଁ ଓ ଏହି ଯାତ୍ରା ହୋଇ ପାରିବ ବୋଲି ଲିଙ୍ଗରାଜ ମନ୍ଦିରର ରାଜଗୁରୁ ପ୍ରଭାତ ରାଜଗୁରୁ କହିଛନ୍ତି।

ଆସନ୍ତା ବର୍ଷ ହୋଇପାରିବ ରଥଯାତ୍ରା
ଚଳିତ ବର୍ଷ ରଥଯାତ୍ରା ବନ୍ଦ ଯୋଗୁଁ କିଛି ଲୋକ ୧୨ବର୍ଷ ପର୍ଯ୍ୟନ୍ତ ରଥଯାତ୍ରା ହୋଇପାରିବ ନାହିଁ ବୋଲି ଗୁଜବ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଲିଙ୍ଗରାଜ ମନ୍ଦିରର ରାଜଗୁରୁ ପ୍ରଭାତ ରାଜଗୁରୁ। ସେ କୁହନ୍ତି ରଥଯାତ୍ରା ହେଲା ଏକ ଯାତ୍ରା। ପର୍ବ ବନ୍ଦ ହେଲେ ୧୨ବର୍ଷ ବନ୍ଦ ହୋଇପାରେ। କିନ୍ତୁ ଯାତ୍ରା ବନ୍ଦ ହେଲେ ପୁନର୍ବାର ଆସନ୍ତା ବର୍ଷ ହୋଇପରିବ।

ହାଇକୋର୍ଟ ଯିବେ ସେବାୟତ
ମନ୍ଦିର ପ୍ରଶାସନ କହିଥିଲା ୫ଜଣ ଲୋକରୁ ଅଧିକ ସମାଗମ ନହେବା ପାଇଁ ନିର୍ଦେଶ ରହିଛି। ତେବେ ଲିଙ୍ଗରାଜ ମନ୍ଦିରରେ ୫ରୁ ଅଧିକ ସେବାୟତଙ୍କୁ ରଖି କିପରି ନୀତି କରାଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ସେବାୟତ। ସରକାରଙ୍କ ଆଦେଶକୁ ଅବମାନନା କରି ମନ୍ଦିରରେ ନୀତି କରାଯିବା ଓ ମହାରଣାଙ୍କୁ କାମ କରାଇବା ନେଇ ହାଇକୋର୍ଟର ଦ୍ବାରସ୍ଥ ହେବୁ ବୋଲି ବ୍ର‌ାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି।

ସମ୍ବନ୍ଧିତ ଖବର