ତାରିଣୀଙ୍କ ପାଖେ ଅଟକିଲା ରୁକୁଣା ରଥ

ରଥ ଗଡ଼େଇବାକୁ ନାକେଦମ

ଭୁବନେଶ୍ବର/ପୁରୁଣା ଭୁବନେଶ୍ବର: ହରିବୋଲ, ହୁଳହୁଳିରେ ଉଚ୍ଛୁଳୁଥିଲା ରଥଦାଣ୍ଡ। ପୂର୍ବାହ୍ନରେ ଉଦୁଉଦିଆ ଖରାକୁ ଖାତିର ନଥିଲା କି ଅପରାହ୍‌ଣରେ ଆସନ୍ନ ବର୍ଷାକୁ ନେଇ ମନ ଚିନ୍ତିତ ନଥିଲା। ସଂକୀର୍ତନର ଭାବରସରେ ବିଭୋର ହେଉଥିଲେ ସମବେତ ଭକ୍ତ। ରଥାରୂଢ଼ ପ୍ରଭୁଙ୍କୁ ଆଖି ପୂରେଇ ଦେଖିନେବା ପରେ କିଏ ଆଖି ମୁଜି ମାଗୁଣି କରୁଥିଲା ତ କିଏ ଦୀପଟିଏ ଜାଳିଦେଇ ପ୍ରଣତି ବାଢ଼ୁଥିଲା। ରୁକୁଣା ରଥଯାତ୍ରାରେ ଏମିତି ଏକ ଭାବଭକ୍ତିର ପରିବେଶ ସୃଷ୍ଟି ହୋଇଥିଲା। ନୀତି ବିଳମ୍ବ ଯୋଗୁଁ ରଥଟଣା ଡେରି ହୋଇଥିଲା। ଭକ୍ତମାନେ ଏହାକୁ ନେଇ ଅ‌ସନ୍ତୋଷ ପ୍ରକାଶ କରିଥିଲେ ହେଁ ଉତ୍ସାହ ଫିକା ପଡ଼ି ନଥିଲା। କିନ୍ତୁ ରଥ ବେଶି ବାଟ ଗଡ଼ିପାରି ନଥିଲା। ଆକାଶରେ ମେଘମାଳା, ବସନ୍ତର ମୃଦୁ ମଳୟ, ବାଦଲ ଭିତରୁ ଅଧା ଦୃଶ୍ୟମାନ ଜହ୍ନ ‌ଯେମିତି ମହାପ୍ରଭୁଙ୍କ ଏହି ଯାତ୍ରା ଦେଖିବାକୁ ଚାହିଁ ରହିଥିଲେ। ରଥ ଟଣା ଅପରାହ୍‌ଣ ୪ଟାରେ ହେବ ବୋଲି ଗତକାଲିଠୁ ମନ୍ଦିର ପ୍ରଶାସନ ସୂଚନା ଦେଇଥିଲା। ଏହା ଜାଣିବା ପରେ ବହୁ ଭକ୍ତ ରଥ ଦାଣ୍ଡକୁ ଗଡ଼ିଥିଲେ। କିନ୍ତୁ ଗତକାଲିଠୁ ରଥ ପ୍ରତିଷ୍ଠା ନୀତି ବିଳମ୍ବ ଯୋଗୁଁ ଆଜି ରଥ ୧ ଘଣ୍ଟା ୩୮ ମିନିଟ୍ ବିଳମ୍ବରେ ଗଡ଼ିଥିଲା। ସେଥିରେ ବି ରଥ ଗଡ଼େଇବାକୁ ନାକେଦମ ହେବାକୁ ପଡ଼ିଥିଲା। ସାଢ଼େ ୫ଟାରୁ ରଥ ଗଡ଼ିବା ପାଇଁ ଡାହୁକ ଡାକ ଛାଡ଼ିଥିଲେ। ଘଣ୍ଟଘଣ୍ଟା ବାଜୁଥିଲା, କାହାଳୀ ରଥ ଗଡ଼ିବାକୁ ସୂଚନା ଦେଉଥିଲା। ହେଲେ ରଥ ଗଡ଼ୁ ନଥିଲା। ପୁଲିସ୍‌ ଓ ଭକ୍ତମାନେ ମିଶି ଯେତେ ଟାଣିଲେ ବି ରଥ ଇଞ୍ଚେ ଘୁଞ୍ଚି ନଥିଲା। ବାରମ୍ବାର ପ୍ରୟାସ ପରେ ପ୍ରାୟ ୮ ମିନିଟ୍‌ ପରେ ରଥ ଦେଢ଼ ହାତେ ଗଢ଼ିଥିଲା। ତା’ପରେ ଯେତେ ପ୍ରୟାସ କଲେ ମଧ୍ୟ ରଥ ଗଡ଼ିବାର ନାଁ ଧରୁ ନଥିଲା। ତେଣୁ ପୂର୍ବବର୍ଷ ଭଳି ରଥ ସେଇ ଦେଢ଼ହାତ ଗଡ଼ି ଅଟକିଯିବ ବୋଲି ଅନେକ ଭାବିନେଇଥିଲେ। ରଥ ଉପରେ ବହୁ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠାଇବା ସହ ରଥ ଉପରୁ ଓହ୍ଲାଇ ଆସ ବୋଲି ଚିତ୍କାର କରିଥିଲେ। ପରେ ବାରମ୍ବାର ପ୍ରୟାସ ଯୋଗୁଁ ୧୨ ମିନିଟ୍‌ ପରେ ପୁଣି ରଥ ଗଡ଼ିଥିଲା। ଆଜି ରଥ ଗଡ଼େଇବାକୁ ଏମିତି ନାକେଦମ ହେବାକୁ ପଡ଼ିଥିଲା। ତେବେ ତା’ ପରେ ରଥ ସ୍ବଚ୍ଛନ୍ଦରେ ଗଡ଼ିଥିଲା। ତେବେ ତାରିଣୀଙ୍କ ପାଖରେ ଅଟକି ଯାଇଥିଲା ରୁକୁଣା। ବର୍ଷକ ପରେ ଏଇବାଟ ଦେଇ ଯାଉଥିବାରୁ ଯେମିତି ଏଇ ରାତିଟା ସେଇଠି ଅଟକିଯିବାକୁ ମା’ ତାରିଣୀ ରୁକ୍ମିଣୀଙ୍କୁ ଅନୁରୋଧ କରିଥିଲେ…

ଚାରମାଳ ଦଣ୍ଡା ଉଠାଇବାକୁ ନାକେଦମ
ରଥରେ ଘୋଡ଼ା ବନ୍ଧା ଯିବା ପରେ ଚାରମାଳ ଫିଟା ଯାଇଥିଲା। ଚାରମାଳ ସିନା ଫିଟା ହୋଇଗଲା କିନ୍ତୁ ଚାରମାଳ ଦଣ୍ଡା ରଥରୁ ଉଠାଇବାକୁ ନାକେଦମ ହେବାକୁ ପଡ଼ିଥିଲା। ସେବାୟତମାନେ ଜଣକ ପରେ ଜଣେ ଏହି ଦଣ୍ଡାକୁ ଉଠାଇବା ପାଇଁ ଚେଷ୍ଟା କରି ବିଫଳ ହେଉଥିଲେ। ଘୋଡ଼ାର ଗୋଡ଼ ତଳେ ଦଣ୍ଡାଟି ରହିଯିବାରୁ ରଥରୁ ଏହା କାଢ଼ିବା ସମ୍ଭବ ହୋଇ ନଥିଲା। ପରେ କୌଶଳ ଖଟାଇ ବଳ ପ୍ରୟୋଗ ପୂର୍ବକ ଏହାକୁ କାଢ଼ିବାରେ ସେବାୟତମାନେ ସଫଳ ହୋଇଥିଲେ।

ସେଚ୍ଛାସେବୀଙ୍କ ପ୍ରଶଂସନୀୟ ଉଦ୍ୟମ
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର କରାଯାଇଥିଲା। ରାଜଧାନୀର ତାପମାତ୍ରା ଆଜି ୩୯ ଡିଗ୍ରି ଟପିଯାଇଥିବାରୁ ପାଣିର ଆବଶ୍ୟକତା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଏକାମ୍ର ଜନଜାଗରଣ ମଞ୍ଚ, ସେବା ପ୍ରତିନିଧି, ସ୍ନେହୀ ସମାଜ, ପ୍ରଦୀପ ସେବା ଟ୍ରଷ୍ଟ, ସମ୍ପର୍କ ପରିବାର, ସତ୍ୟସାଇ ସେବା ଦଳ, ଏକାମ୍ର କଲେଜ, ପତଞ୍ଜଳି ମହିଳା ଶାଖା, ପାଟରା ସମାଜ, କଂସାରୀ ସମାଜ, ସଦଜ୍ଞାନ ବିକାଶ କେନ୍ଦ୍ର, ଗୌତମ ନଗର ଉନ୍ନୟନ ପରିଷଦ, ହରି ଓମ୍ କ୍ଲବ, ଏକାମ୍ର ସାସ୍କୃତିକ ପରିଷଦ ଅନୁଷ୍ଠାନ ପକ୍ଷରୁ ପଣା ପାଣିର ବ୍ୟବସ୍ଥା କରାଯାଇଥିଲା। ଏଥିସହ ରଥଦାଣ୍ଡରେ ଶଙ୍କର ମଲ୍ଲ ସଂଗଠନ ନରେନ୍ଦ୍ର ମଲ୍ଲଙ୍କ ତତ୍ତ୍ବାବଧାନରେ ଦହିବରା, ପୁରୀ ତରକାରି ବଣ୍ଟନ କରାଯାଇଥିଲା।

ରଥ ପାଖରେ ଦିନ ତମାମ ପ୍ରବଚନ
ରକୁଣା ରଥ ପାଖରେ ଦିନ ତମାମ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଲୋକ ସଂପର୍କ ବିଭାଗ ପକ୍ଷରୁ ମହାଖଳା ମଣ୍ଡପରେ ରଥ ସଂପର୍କିତ ଧାରା ବିବରଣୀ ପ୍ରଦାନ ସହ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା। ଲୋକ ସମ୍ପର୍କ ବିଭାଗର ଅଧିକାରୀ ଗୌରଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଜୟକୃଷ୍ଣ ଦାସ, ସଚ୍ଚିଦାନନ୍ଦ ବେହେରା, ମାନଗୋବିନ୍ଦ ମହାସୂପକାର, ବୈକୁଠନାଥ ପ୍ରଧାନ, ଅଭିନନ୍ଦନ ଦାସ, ପ୍ରସନ୍ନଜିତ ଜୀ ପ୍ରମୁଖ ପ୍ରବଚନ ଦେଇଥିଲେ।

ପଟୁଆର ନୃତ୍ୟ ସେବା
ମର୍ତ୍ୟରେ ନୃତ୍ୟଶିଳ୍ପୀମାନେ ଅଭିଶପ୍ତ ଗନ୍ଧର୍ବର ଜୀବନ ବିତାଉଥି‌ବା ବେଳେ ଦେବ ସଭାରେ ନୃତ୍ୟ କରି ମୋକ୍ଷ ପ୍ରାପ୍ତି ପାଇଁ ଲାଳାୟିତ ‌ଥାଏ। ନୃତ୍ୟଶିଳ୍ପୀଙ୍କ ଏହି ଆକାଂକ୍ଷାକୁ କିଛି ଅଂଶରେ ପୂରଣ କରିଥାଏ ମହାପ୍ରଭୁଙ୍କ ରଥଯାତ୍ରା। ପହଣ୍ଡି ପଟୁଆରରେ ନୃତ୍ୟ ସେବାର ପରମ୍ପରା ଅନନ୍ୟ ହୋଇଥିବା ବେଳେ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପହଣ୍ଡିର ପଟୁଆରରେ ନୃତ୍ୟରେ ମଜ୍ଜି ଯାଇ ଭକ୍ତଙ୍କୁ ବିଭୋର କରିଥିଲେ କିଛି ନୃତ୍ୟଶିଳ୍ପୀ। ଘଣ୍ଟ ଓ ମର୍ଦଳ ଧ୍ବନି ସହ ତାଳଦେଇ ଶ୍ରୀନିବାସ ଘଟୁଆରୀ, ଶୁଭପ୍ରିୟା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଗୌରାଙ୍ଗ ଚରଣ ମଲ୍ଲିକ ହନୁମାନ ବେଶରେ ନୃତ୍ୟ କରିଥିଲେ। ଆଉ ଜଣେ ଭକ୍ତଙ୍କୁ ପାଇକ ଠାଣି ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା।

ଦ୍ବାହି ଦେଲେ ଡାହୁକ
ବାରମ୍ବାର ରଥ ଗଡ଼ାଇବାକୁ ପ୍ରୟାସ କରି ମଧ୍ୟ ବିଫଳ ହେବାରୁ ଚିନ୍ତା ବଢ଼ିଯାଇଥିଲା। ଶେଷରେ ଡାହୁକ ଡାକ ଛାଡ଼ିଥିଲେ, ହୋ ଭକତେ..ଲିଙ୍ଗରାଜ ରଥ ଯିଏ ନ ଭିଡ଼ିବ ତାକୁ କପିଳନାଥଙ୍କ ଦ୍ବାହି..। ଏପରି ବାରମ୍ବାର ରାଣ ଦେବା ପରେ ରଥ ଦଉଡ଼ି ଟାଣିବାକୁ ଆହୁରି ଭକ୍ତ ସାମିଲ୍ ହୋଇଥିଲେ। ପାରମ୍ପରିକ ଡାହୁକ ଡାକ ଶୁଣି ଶ୍ରଦ୍ଧାଳୁମାନେ ଯେତିକି ‌ରୋମାଞ୍ଚିତ ହେଉଥିଲେ, ରଥ ଟାଣିବାକୁ ସେତିକି ଉତ୍ସାହିତ ହେଉଥିଲେ। ତେଣୁ ୨ ଥର ରଥ ଗଡ଼ିବାରେ କିଛି ସମୟ ଅନ୍ତର ରହିବା ପରେ ରଥ ସ୍ବଚ୍ଛନ୍ଦରେ ଗଡ଼ିଥିଲା।

ପେଲା ଠେଲାରେ ଦୁଇ ଆହତ
ରଥ ଗଡ଼ିବା ବେଳେ ଚିତ୍ରକାରିଣୀ ମନ୍ଦିରଠାରେ ଜଣେ ବୃଦ୍ଧ ତଳେ ପଡ଼ି ଆହତ ହୋଇଛନ୍ତି। ରାଜଧାନୀ ଉପକଣ୍ଠ ଭରତପୁରର ଶ୍ରୀଧର ଜେନା(୪୨) ରଥ ଗଡ଼ିବା ବେଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ବୃଦ୍ଧଙ୍କର ଏପରି ଅବସ୍ଥା ଦେଖି ସେଚ୍ଛାସେବୀମାନେ ତାଙ୍କୁ ବିଏମ୍‌ସି ହସ୍ପିଟାଲରେ ଭର୍ତି କରିଥିଲେ।

୨ଜଣଙ୍କ ପକେଟ ମାର, ଜଣଙ୍କ ଚେନ୍ ଲୁଟ
ରଥଯାତ୍ରା ଭିଡ଼ ବେଳେ ୨ଜଣଙ୍କ ପକେଟ ମାର ହୋଇଥିବା ବେଳେ ଜଣଙ୍କ ଚେନ୍ ଲୁଟ୍ ହୋଇଛି। ସେହିପରି ୩ଜଣଙ୍କ ମୋବାଇଲ ଲୁଟ୍ ହୋଇଛି ବୋଲି ଅଭିଯୋଗ ହୋଇଛି। ରଥଯାତ୍ରା ଭିଡ଼ର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି।

ଲିଙ୍ଗରାଜ ମହୋତ୍ସବ ଆରମ୍ଭ

ରୁକୁଣା ରଥଯାତ୍ରା ଅବସରରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଲିଙ୍ଗରାଜ ମହୋତ୍ସବ ଆରମ୍ଭ ହୋଇଛି। ପ୍ରଥମେ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ କୋଲକାତାର ଅଳକା କଳାକେନ୍ଦ୍ର ପକ୍ଷରୁ ସୃଜନ ନୃତ୍ୟ, ବଲାଙ୍ଗୀର ଢୋଲମହୁରି କଳା ପରିଷଦ ପକ୍ଷରୁ ଦୁଲଦୁଲି ନୃତ୍ୟ, କଟକ ବାଇଧର ବେହେରା ଓ ସାଥୀଙ୍କ ଦ୍ୱାରା ଘୋଡ଼ା ନାଚ ପରିବେଷଣ କରାଯାଇଥିଲା। ଇଜେଡ୍‌ସିସି ସହଯୋଗରେ ଆୟୋଜିତ ଏହି ମହୋତ୍ସବକୁ ଦର୍ଶକମାନେ ବେଶ୍‌ ଉପଭୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବାସୁଦେବ ନାଥ। ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର