ସରିଲା ହେରା ଦଶମୀ ଯାତ୍ରା : ରଥ ଭାଙ୍ଗିଲେ ମା’ ପାର୍ବତୀ

ଆଜି ବଦଳିବ ରଥ ସିଂହାସନ ମୋଡ଼

ପୁରୁଣା ଭୁବନେଶ୍ୱର :ଚୈତ୍ର ମାସ କୃଷ୍ଣ ପକ୍ଷର ଦଶମୀ ତିଥି ଉପଲକ୍ଷେ ମା’ ପାର୍ବତୀଙ୍କ ହେରା ଦଶମୀ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ରାମେଶ୍ୱର ମନ୍ଦିରକୁ କରିଥିବାରୁ ପତ୍ନୀ ମା’ ପାର୍ବତୀଙ୍କୁ ସାଙ୍ଗରେ ନେଇ ନଥିବାରୁ ମା’ ଆଜି ରାଗରେ ରୁକୁଣା ରଥ କାଠ ଭାଙ୍ଗିଛନ୍ତି । ଲିଙ୍ଗରାଜ ମନ୍ଦିରରେ ସନ୍ଧ୍ୟା ଧୂପ ପରେ ମା’ପାର୍ବତୀ ପାଲିଙ୍କିରେ ସେବାୟତଙ୍କ ଗହଣରେ ରାମେଶ୍ୱର ମନ୍ଦିର ଯାତ୍ରା କରିଥିଲେ। ତାଙ୍କୁ ସାଙ୍ଗରେ ନ ଆଣି ପ୍ରଭୁ କଣ କରୁଛନ୍ତି ସେ ବୁଝିବାକୁ ଆସିଥିଲେ। ମା’ ପାର୍ବତୀ ରାମେଶ୍ୱର ମନ୍ଦିରରେ ପହଞ୍ଚିବା ବେଳକୁ ରାମେଶ୍ୱର ମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ପଡି ସନ୍ଧ୍ୟା ଧୂପ ଚାଲିଥିଲା। ମା’ ବାହାରେ ଅପେକ୍ଷା କରିଥିଲେ। ପହୁଡ଼ ଖୋଲିବା ପରେ ବଚନିକା ହୋଇଥିଲା। କାହିଁକି ଏହି ଯାତ୍ରା ବେଳେ ତାଙ୍କୁ ଆଣି ନଥିଲେ ବୋଲି ସେବାୟତମାନେ ବଚନିକାରେ କହିଥିଲେ। ଏହା ପରେ ଦେବାଦେବୀଙ୍କ ଭେଟ ଆଳତି ଅନୁଷ୍ଠିତ ହୋଇଥିଲା। ଏହା ପରେ ମା’ ରାଗରେ ପ୍ରତ୍ୟାବର୍ତନ କରିଥିଲେ। ଫେରିବା ବେଳେ ବାଟରେ ଥିବା ରୁକୁଣା ରଥର ଏକ କାଠକୁ ଭାଙ୍ଗି ମନ୍ଦିରକୁ ପତ୍ୟାବର୍ତନ କରିଥିଲେ। ଆସନ୍ତା କାଲି ରୁକୁଣା ରଥର ସିଂହାସନ ଓ ଘୋଡ଼ାର ମୋଡ଼ ବଦଳାଯିବ।

ବୟସାଧିକ୍ୟ ଯୋଗୁଁ ରଥ ଡାହୁକଙ୍କୁ ଅବ୍ୟାହତି

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଡାହୁକ ନୃସିଂହ ଖୁଣ୍ଟିଆଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ତାଙ୍କର ବୟସ ଅଧିକ ଯୋଗୁଁ ଆଗକୁ ଆଉ କାର୍ଯ୍ୟ ନ କରିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଖୁଣ୍ଟିଆଙ୍କ ବୟସ ୭୬ ଛୁଇଁଲାଣି। ଏତେ ଅଧିକ ବୟସ ହୋଇଥିଲେ ମଧ୍ୟ ତାଙ୍କୁ ପୂର୍ବରୁ ଅବ୍ୟାହତି ଦିଆ ଯାଇନଥିଲା। ଗତକାଲି ବଢ଼େଇବାଙ୍କ ଛକଠାରେ ରଥ ମୋଡ଼ରେ ବୁଲିବା ବେଳକୁ ଅନ୍ୟ ମନସ୍କତା ଯୋଗୁଁ ରଥ ଉପରେ କାର୍ଯ୍ୟବ୍ୟସ୍ତ ଥିବା ଶ୍ରୀ ଖୁଣ୍ଟିଆଙ୍କ ହାତ ଖସି ଯାଇଥିଲା। ଫଳରେ ସେ ଘୋଡ଼ାରୁ ତଳେ ପଡ଼ିଥିଲେ। ତାଙ୍କର ବୟସକୁ ଦୃଷ୍ଟିରେ ରଖି ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ୭ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ତାଙ୍କ ବଦଳରେ କିଏ ଏହି କାର୍ଯ୍ୟ କରିବ ଶ୍ରୀ ଖୁଣ୍ଟିଆ ଲିଖିତ ଭାବେ ଜଣାଇବେ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର