ପୁରୁଣା ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍‌ ୨୦ରେ ପବିତ୍ର ଅଶୋକାଷ୍ଟମୀ ତଥା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ସେବାୟତ ଓ ଜିଲ୍ଲା ପ୍ରଶାସନର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଅପରାହ୍‌ଣ ସାଢ଼େ ୩ଟାରେ ମହାପ୍ରଭୁଙ୍କ ରଥ ଗଡ଼ିବ। ରଥଯାତ୍ରା ସମୟରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ରଥକୁ କେବଳ ସେବାୟତ ଓ ପୁଲିସ ଟାଣିବେ। ସେହିପରି ଚଳିତବର୍ଷ ରଥ ଉପରକୁ ଯାଇ କେହି ସାଧାରଣ ଲୋକ ଦର୍ଶନ କିମ୍ବା ଭୋଗ କରିପାରିବେ ନାହିଁ।

Advertisment

ବିଏମ୍‌ସିର ସବୁ ମାଗଦର୍ଶିକା ପାଳନ କରାଯିବ। ରଥଯାତ୍ରାର ୪୮ଘଣ୍ଟା ପୂର୍ବରୁ ସେବାୟତ ଓ ପୁଲିସ୍‌ଙ୍କ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯିବ। କେବଳ ନେଗେଟିଭ୍ ରିପୋର୍ଟ ଥିବା ସେବାୟତ ଓ ପୁଲିସ୍‌ଙ୍କୁ ରଥଯାତ୍ରାରେ ସାମିଲ ହେବାକୁ ଅନୁମତି ଦିଆଯିବ। ସେହିପରି ରଥରେ ୨୦ରୁ ୨୫ଜଣ ସେବାୟତ ଉପସ୍ଥିତ ରହିବା ସହ ରଥ ଟାଣିବା ବେଳେ ୧୦୦ଜଣ ସେବାୟତ ସାମିଲ ହେବେ। କୌଣସି ଭକ୍ତ ଯୋଗ ଦେଇପାରିବେ ନାହିଁ। ସେହିପରି ରଥଟଣା ଆଗରୁ ରଥକୁ ପୂର୍ବାହ୍ନରେ ସାନିଟାଇଜ୍ କରାଯିବ। ପୂରା ରଥଯାତ୍ରାରେ ସେବାୟତ ପିନ୍ଧିବେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବେ। ରଥଯାତ୍ରା ସମୟରେ ଦୈନିକ ସମସ୍ତ ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ସପ୍ତମୀ ତିଥିରେ ବିଧି ମୁତାବକ କେଦାରଗୌରୀ ନିକଟ ମୁକ୍ତେଶ୍ୱର ମନ୍ଦିର ନିକଟ ମରୀଚିକୁଣ୍ଡରୁ ପାଣି ଆସିବା ପରେ ରଥ ପ୍ରତିଷ୍ଠା କରାଯିବ। ରଥ ପ୍ରତିଷ୍ଠା ପାଇଁ ଠିକଣା ସମୟରେ ମରୀଚି କୁଣ୍ଡରୁ ପାଣି ଯୋଗାଇ ଦିଆଯିବ। ରାତି ୩ଟା ସୁଦ୍ଧା ରଥ ପ୍ରତିଷ୍ଠା କରାଯିବ। ୧୯ଜଣ ବଦଳରେ କଟକଣା କରାଯାଇ ୬ଜଣ କ୍ଷେତ୍ରବାସୀ ବ୍ରାହ୍ମଣଙ୍କ ଦ୍ବାରା ରଥ ପ୍ରତିଷ୍ଠା ସମ୍ପାଦନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସୂଚନା ଅନୁଯାୟୀ, ଯାତ୍ରାରେ କୌଣସି ମିନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ବିଭିନ୍ନ ନିଯୋଗ ପକ୍ଷରୁ ରଥରେ ପଣା ଭୋଗ ହେବ କିନ୍ତୁ ଉକ୍ତ ପଣା ସର୍ବସାଧାରଣରେ ବଣ୍ଟାଯିବ ନାହିଁ। ସେହିପରି ଠାକୁରଙ୍କ ବିଜେ ସମୟରେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା କରାଯାଇଛି। ରଥଯାତ୍ରା ସମୟରେ କେହି ବି ପାନ ଛେପ, ଚୁଇଁଗମ୍ ଓ ଗୁଟ୍‌ଖା ବାହାରେ ପକାଇବ ନାହିଁ। କୌଣସି ସେବାୟତ ନିୟମ ଉଲ୍ଲଙ୍ଘନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାତ୍ରାର ପୂର୍ବଦିନ ଓ ପରଦିନ ଯଥେଷ୍ଟ ଅଧିକ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବା ପାଇଁ କୁହାଯାଇଛି। ସେହିପରି ବିଏମ୍‍ସି ହସ୍ପିଟାଲରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ବିଏମ୍‍ସି ପକ୍ଷରୁ ବ୍ୟବସ୍ଥା କରାଯିବ। ୱାଟ୍‌କୋ ପକ୍ଷରୁ ରାସ୍ତାରେ ପୁଲିସ ଓ ସେବାୟତଙ୍କ ପାଇଁ ପାଣି ବ୍ୟବସ୍ଥା କରାଯିବ।

ବୈଠକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଏଏସ୍‍ଆଇ ଭୁବନେଶ୍ୱର ସଂଗ୍ରାଧିକ୍ଷକ, ଜିଲ୍ଲା ସୂଚନା ଅଧିକାରୀ, ୱାଟ୍‌କୋର ଏସ୍‌ଡିଓ ଈଶ୍ବର ଚନ୍ଦ୍ର ପ୍ରଧାନ, ଜିଲ୍ଲା ସୂଚନା ବିଭାଗର ଗୌରଚନ୍ଦ୍ର ମହାପାତ୍ର, ନିଯୋଗ ପ୍ରତିନିଧି ଅଞ୍ଚଳ ବଟୁ, କମଳାକାନ୍ତ ବଡ଼ୁ, ବିରଞ୍ଚି ପତି, ସଚ୍ଚିକାନ୍ତ ପୂଜାପଣ୍ଡା, ଅଗାଧୁ ପୂଜାପଣ୍ଡା, ଶ୍ୟାମସୁନ୍ଦର ମହାପାତ୍ର, ହେମନ୍ତ କୁମାର ପଣ୍ଡା, ପ୍ରଶାନ୍ତ ସମର୍ଥା ଓ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକକୁ ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଭ୍ୟ ତଥା ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଅବନୀକାନ୍ତ ପଟ୍ଟନାୟକ ସଂଯୋଜନା କରିଥିଲେ।