ବିଳମ୍ବରେ ଆସିଲା ଅଖ କାଠ: ଠିକଣା ସମୟରେ ସରିବ ତ ରୁକୁଣା ରଥ

ଡ୍ରାଇଭରଙ୍କ ଧର୍ମଘଟ ପାଇଁ ବିଳମ୍ବ

ପୁରୁଣା ଭୁବନେଶ୍ୱର: ୨-୩ ଦିନ ଧରି ଚାଲିଥିବା ଡ୍ରାଇଭର୍‌ଙ୍କ ଆନ୍ଦୋଳନ ଯୋଗୁଁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ନିର୍ଦ୍ଧାରିତ ସମୟରେ ସରିବା ନେଇ ଆଶଙ୍କା ଦେଖାଦେଇଛି। ଆସନ୍ତା ୨୯ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଥିବା ବେଳେ ଏପର୍ଯ୍ୟନ୍ତ ଅଖ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଅଖ ନିର୍ମାଣ ପାଇଁ ଆବଶ୍ୟକ ତେନ୍ତୁଳି କାଠ ପହଞ୍ଚିବାରେ ବିଳମ୍ବ ହେବାରୁ ଏଭଳି ସ୍ଥିତି ଦେଖାଦେଇଛି। ଏହାକୁ ନେଇ ଆଜି ରଥଖଳାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ରାତି ପ୍ରାୟ ୮ଟାରେ ୨ଟି ତେନ୍ତୁଳି ଗର ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି ଓ ମହାରଣା ସେବାୟତମାନେ କାମ ଆରମ୍ଭ କରିଛନ୍ତି। ଅଖ କାମ ପରେ ରଥରେ ଭୂଇଁ କାମ, ପୋଟଳ କାମ, ପଟ୍ଟା ଗୋଜ ଓ ଧାଡ଼ି ଗୋଜ କାମ, ନାହାକା କାମ, ଗୋରଡ଼ା ବନ୍ଧା, ବେଦି ସିଙ୍ଗି, ପଟ୍ଟା ସଖୀ, ସିଂହାସନ, ଧ୍ବଜା ଆଦି ବହୁ କାମ ବାକି ରହିଛି। ହାତରେ ଆଉ ୯ ଦିନରୁ କମ୍ ସମୟ ବାକି ଥିବା ବେଳେ ଏତକ କାମ ସରିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ମୁଖ୍ୟ ମହାରଣା ବଟ୍ଟକୃଷ୍ଣ ମହାରଣାଙ୍କ କହିବା ଅନୁଯାୟୀ, ରଥର ଚକ କାମ ସରି ଯାଇଛି। କିନ୍ତୁ ଡ୍ରାଇଭର୍‌ଙ୍କ ଧର୍ମଘଟ ଯୋଗୁଁ ଅଖ କାମ ପାଇଁ ଆବଶ୍ୟକ ତେନ୍ତୁଳି ଗର ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଠିକଣା ସମୟରେ କାଠ ନ ପହଞ୍ଚିବାରୁ କାମ ବିଳମ୍ବରେ ଚାଲିଛି। ଖାଲି ତେନ୍ତୁଳି ଗର ନୁହେଁ, ୨ଟି ମହି, ୩ଟି ଶାଳ, ୫ଟି ଶିମିଳି, ୫ଟି କୁମ୍ଭୀ ଓ ୫ଟି ଢଉରା କାଠ ମଧ୍ୟ ଆସିବାର ଥିଲା। ତାହା ମଧ୍ୟ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏବେ କାମ ପୁଣିଥରେ ଜୋରସୋର୍‌ରେ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟରେ କାମ ସାରିବା ପାଇଁ ସବୁପ୍ରକାର ଚେଷ୍ଟା ଚଳାଇଛି। ରଥ ପାଇଁ ମୋଟ ୬୮ ଜଣ କାମରେ ଲାଗିଛନ୍ତି। ୨ଜଣ କମାର, ୩ଜଣ ପାଳିଆ ମହାରାଣା ସେବାୟତ, ୧୨ଜଣ ବେହେରା (ଭୋଇ), ବାହାର କାରିଗର ୩୫ଜଣ ଓ ପୁରୁଣା ଭୁବନେଶ୍ୱରରୁ ଆଉ ୧୫ କାରିଗରଙ୍କୁ ମିଶାଇ କାମ ଚାଲୁ ରହିଛି। ରଥ ନିର୍ମାଣ କାମ ଦିନ ରାତି ୨ଟି ସିଫଟ୍‌ରେ କାମ ଚାଲିଛି। ଅପରପକ୍ଷେ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଡ୍ରାଇଭରଙ୍କ ଧର୍ମଘଟ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ କାଠ ପହଞ୍ଚିବାରେ ବିଳମ୍ବ ହୋଇଛି। କାଠ ମିଲରୁ ଚିରା ହୋଇ ସୋମବାର ରାତିରେ ଖଳାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର