ସରିଲା ରୁକୁଣା ରଥଟଣା : ରାମେଶ୍ୱର ବିଜେ କଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର : ବାରମ୍ବାର ଦଉଡ଼ି ଛିଣ୍ଡିବାକୁ ନେଇ ରୁକୁଣା ରଥଯାତ୍ରାରେ ଗତକାଲି ବ୍ୟାପକ ବିଭ୍ରାଟ ହେବା ପରେ ଆଜି ଦ୍ୱିତୀୟ ଦିନରେ ରଥ ଟଣା ଆପାତତଃ ସୁରୁଖୁରରେ ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ରାମେଶ୍ୱର ମନ୍ଦିରକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ସହ ଭଉଣୀ ମା’ ରୁକ୍ମିଣୀ ଓ ଶ୍ରୀ ଦୋଳଗୋବିନ୍ଦ ମଧ୍ୟ ମାଉସୀ ମା’ ମନ୍ଦିରକୁ ଯାଇଛନ୍ତି। ସନ୍ଧ୍ୟାରେ ରୁକୁଣା ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ସେବାୟତମାନେ ଶ୍ରୀଜିଉଙ୍କୁ ପହଣ୍ଡି କରି ପାଛୋଟି ନେଇଥିଲେ।

ଗତକାଲି ଅପରାହ୍ଣରେ ଶ୍ରଦ୍ଧାଳୁମାନେ ଯେତେ ବଳ ଖର୍ଚ କରି ରଥ ଟାଣିଥିଲେ ମଧ୍ୟ ୩୦ମିନିଟ୍‌ ପର୍ଯ୍ୟନ୍ତ ରଥ ଆଗକୁ ଗଡ଼ି ନଥିଲା। ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟଣା ବିଳମ୍ବିତ ହୋଇଥିଲା। ଡାହୁକ ବୋଲି ଦେବା ସହ ଠାକୁରଙ୍କ ଦ୍ଵାହି ଦେବା ପରେ ରଥ ମାତ୍ର ଦେଢ଼ ହାତ ଗଡ଼ିଥିଲା। ମାତ୍ର ଏହାପରେ ଚତୁର୍ଥ ଥର ପାଇଁ ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟାଣୁଥିବା ଭକ୍ତମାନେ ପରସ୍ପର ଉପରେ କଚାଡ଼ି ହୋଇ ପଡ଼ିଥିଲେ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏମିତି ବିଭ୍ରାଟ ଭିତରେ ସନ୍ଧ୍ୟା ହୋଇଯିବାରୁ ୬ଟା ୪୫ରେ ରଥଟଣା ବନ୍ଦ କରାଯାଇଥିଲା ଏବଂ ଆଜି ପୁଣି ରଥ ଟଣା ହେବ ବୋଲି ସ୍ଥିର ହୋଇଥିଲା।

ଆଜି ସକାଳେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇଥିଲା। ପୂର୍ବାହ୍ନରୁ ରଥ ଉପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ବେଶ ଓ ସକାଳ ଧୂପ କରାଯାଇଥିଲା। ସକାଳୁ ସକାଳୁ ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା। ରଥରେ ଦୁଇ ପାର୍ଶ୍ୱରେ ଲାଗିଥିବା ସିଡ଼ି ଯୋଗୁଁ ଭକ୍ତ ରଥ ଉପରକୁ ସହଜରେ ଯାଇ ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ। ଅନ୍ୟପକ୍ଷରେ ଅପରାହ୍ଣ ୨ଟାରେ ରଥ ଟଣା ପାଇଁ ପୁଲିସ ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତଗଣ ଏକାଠି ହୋଇଥିଲେ। ରଥଟଣା ଦେଖିବାକୁ ଭକ୍ତମାନେ ବି ବହୁ ସଂଖ୍ୟାରେ ରୁଣ୍ଡ ହୋଇଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ରଥ ଟଣା ଆରମ୍ଭ ହୋଇଥିଲା।

ବଢ଼େଇବାଙ୍କରେ ଅଟକିଲା ୪୫ ମିନିଟ୍‌

ବଢ଼େଇବାଙ୍କ ଛକଠାରେ ଅପରାହ୍ଣ ୩ଟାରେ ରଥ ପହଞ୍ଚିଥିଲେ ମଧ୍ୟ ତରବରିଆ ଭାବେ ଟାଣି ନିଆଯିବାରୁ ସିଧା ପଶ୍ଚିମ ଦିଗକୁ ରଥ ୧୦/୧୨ ଫୁଟ୍‌ ମାଡ଼ି ଯାଇଥିଲା। ଫଳରେ ରଥକୁ ପୁନର୍ବାର ପଛକୁ ନେବାକୁ ପଡ଼ିଥିଲା ଏବଂ ରଥ ମୋଡ଼ ନେବାକୁ ପ୍ରାୟ ୪୫ମିନିଟ୍‌ ସମୟ ଲାଗିଥିଲା। ଏତିକିବେଳେ ରଥ ଉପରେ ଅଧିକ ସେବାୟତ ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ରଥରୁ ଓହ୍ଲାଇବାକୁ କୁହାଯିବାରୁ କିଏ ଓହ୍ଲାଇବ ଏହାକୁ ନେଇ ରଥ ଉପରେ ସେବାୟତମାନଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ଲାଗିଥିଲା। ପରାହ୍ଣ ୪ଟାରେ ରଥ ମୋଡ଼ ନେବା ପରେ ଅଚାନକ ରଥ ଉପରୁ ଡାହୁକ ନୃସିଂହ ଖୁଣ୍ଟିଆ ତଳକୁ ଖସି ପଡ଼ିଥିଲେ। ତେବେ କିଛି ସମୟ ପରେ ସେ ସୁସ୍ଥ ହୋଇ ପୁଣି ରଥକୁ ଫେରିଥିଲେ। ଅପରାହ୍ଣ ସାଢ଼େ ୫ଟାରେ ଅସୁଲକିଆରିଠାରେ ପହଞ୍ଚିବା ପରେ ରଥରେ ମହାପ୍ରଭୁଙ୍କ ଦ୍ଵିପ୍ରହାର ଧୂପ କରାଯାଇଥିଲା। ଶେଷରେ ସନ୍ଧ୍ୟା ସାଢ଼େ ୬ଟାରେ ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଥିଲା।

ରଥ ଉପରେ ନୀତି ପୂଜା ପରେ ରଥରେ ଚାରାମାଳ ବନ୍ଧା ଯାଇଥିଲା। ଏହାପରେ ବିଭିନ୍ନ ଘଣ୍ଟ ବାଦ୍ୟ, କାହାଳୀ ବଜାଇ, ବାଣ ଫୁଟାଇ ଦେବଦେବୀଙ୍କୁ ସେବାୟତମାନେ ରାମେଶ୍ୱର ମନ୍ଦିରକୁ ନେଇଥିଲେ। ସେଠାରେ ରାମେଶ୍ୱରଙ୍କ ସମ୍ମୁଖରେ ଭେଟ ଆଳତି ପରେ ନୀତି ପୂଜା, ସନ୍ଧ୍ୟା ଆଳତି କରାଯାଇଥିଲା। ଧାଡ଼ି ବାନ୍ଧି ରାତ୍ର ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସେଠାରେ ପୂଜା କରିଥିଲେ।

ରଥରୁ ଖସି ପଡ଼ିଲେ ଡାହୁକ

ମହାପ୍ରଭୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥ ଦଉଡ଼ି ଛିଣ୍ଡିବା ଯୋଗୁଁ ଶନିବାର ରଥ ଟଣା ବିଳମ୍ବ ହେବା ସହ ମାତ୍ର ଦେଢ଼ ହାତ ଗଡ଼ିଥିଲା। ଆଜି ରଥ ଚାଲିବା ସମୟରେ ରଥ ଉପରୁ ଡାହୁକ ନୃସିଂହ ଖୁଣ୍ଟିଆ ତଳେ ପଡ଼ିଯାଇଥିଲେ। ବଢ଼େଇବାଙ୍କ ଛକଠାରେ ରଥ ମୋଡ଼ରେ ବୁଲିବା ବେଳକୁ ଖରଡ଼ା ସେବାୟତ ଖରଡ଼ା ଦେଇଥିଲେ। ତେବେ ରଥ ଖରଡ଼ା ଡେଇଁ ଆଗକୁ ଯିବା ବେଳେ ଅନ୍ୟମନସ୍କତାରୁ ଶ୍ରୀ ଖୁଣ୍ଟିଆ ଘୋଡ଼ାରୁ ତଳକୁ ଖସିପଡ଼ିଥିଲେ। ତଳେ ଥିବା ସେବାୟତ ବାବୁ ମହାପାତ୍ରଙ୍କ ଉପରେ ପଡ଼ିବାରୁ ବାବୁ ସମାନ୍ୟ ଆହତ ହୋଇଥିବା ବେଳେ ଶ୍ରୀ ଖୁଣ୍ଟିଆଙ୍କୁ ପୁଲିସ ଓ ସେବାୟତମାନେ ଆମ୍ବୁଲାନ୍‌ସରେ ନେଇ ସ୍ଥାନୀୟ ବିଏମ୍‌ସି ହସ୍ପିଟାଲରେ ଭର୍ତି କରିଥିଲେ। ସେଠାରେ ତାଙ୍କ ରକ୍ତଚାପ ପରୀକ୍ଷା କରାଯାଇଥିଲା। ତେବେ ଅପରାହ୍ଣ ୪ଟା ୨୦ମିନିଟ୍‌ରେ ରଥ ପୂଜାପଣ୍ଡା ନିଯୋଗ ନିକଟରେ ପହଞ୍ଚିବା ବେଳକୁ ସେ ସେଠାରେ ପହଞ୍ଚି ପୁନର୍ବାର ରଥକୁ ଆସିବାକୁ ଚାହିଁଥିଲେ। ଏହି ସମୟରେ ସେବାୟତ କୁନା ଖୁଣ୍ଟିଆ ରଥ କାଳେସି ଭାର ସମ୍ଭାଳୁଥିଲେ। ପ୍ରଶାସନ ଡାହୁକ ନୃସିଂହଙ୍କୁ ପୁଣି ରଥରେ ବସିବାକୁ ମନା କରିଥିଲେ ମଧ୍ୟ ସେ ସୁସ୍ଥ ଅଛନ୍ତି କହି ରଥରେ ବସିବାକୁ ଜିଦ କରିଥିଲେ। ତେଣୁ ପୁଣି ତାଙ୍କୁ ରଥ ଉପରକୁ ନିଆ ଯାଇଥିଲା।

ସମ୍ବନ୍ଧିତ ଖବର