ରୁକୁଣା ରଥରୁ … ହୋ ଭକତେ, ଆଜି ୨ଟାରେ ପୁଣି ରଥ ଟଣା

ପୁରୁଣା ଭୁବନେଶ୍ୱର: ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଖି ଲାଖି ରହିଥିଲା ରୁକୁଣା ରଥ ଉପରେ। କାରଣ ଧାର୍ଯ୍ୟ ସମୟ ଗଡ଼ିଗଡ଼ି ଚାଲିଥିଲା। ଘଣ୍ଟାଏ ଗଲା। ଦି’ ଘଣ୍ଟା ବିତିଲା। ମାତ୍ର ରଥ ଗଡ଼ୁନଥିଲା। କିଏ ହାତ ଟେକି ତ କିଏ ହାତ ଯୋଡ଼ି ପ୍ରାର୍ଥନା କରୁଥିଲେ। ଅନେକଙ୍କ ଆଖିରୁ ଭାବରେ ଝରିପଡ଼ୁଥିଲା ଆନନ୍ଦାଶ୍ରୁ। ସବୁଆଡ଼ୁ ଭାସି ଆସୁଥିଲା ହରିବୋଲ, ହୁଳହୁଳି ଶବ୍ଦ। ପ୍ରତୀକ୍ଷା ଥିଲା ସେଇ ମୁହୂର୍ତ୍ତକୁ, କେତେବେଳେ ରଥ ଗଡ଼ିବ। ସବୁ ବିଧି ସରିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବ୍ୟାକୁଳ ହୋଇ ଅପଲକ ନୟନରେ ରଥକୁ ଚାହିଁରହିଥିଲେ।

ବଢ଼େଇବାଙ୍କରେ ଅଟକିଗଲା

ହଠାତ୍ ଡାହୁକ ଡାକିଲେ ‘ହୋ ଭକତେ’। କମ୍ପିଉଠିଲା ପରିବେଶ। ଉତ୍କଣ୍ଠାର ଅନ୍ତ ହେଲା। ଡାହୁକଙ୍କ ହାତର ବେତ ଚାରି ଅଶ୍ବଙ୍କ ମୁଣ୍ଡ ଉପରେ ବୁଲିଲା ଚକ୍ରାକାରରେ। ଘିଡ଼ିଘିଡ଼ି ଶବ୍ଦ କରି ରଥ ଗଡ଼ିଲା। ରଥ ଯେତିକି ଆଗକୁ ଆଗକୁ ଗଡ଼ୁଥିଲା, ଭକ୍ତ, ଶ୍ରଦ୍ଧାଳୁଙ୍କ ମନ ସେତିକି ପୂରିଉଠୁଥିଲା। ରଥଦାଣ୍ଡ ଉଛୁଳି ପଡ଼ୁଥିଲା ଭାବମୟ ପରିବେଶରେ। କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ଭଲରେ ରୁକୁଣା ରଥ ଦେଖି ପାରିନଥିବା ଲକ୍ଷ ଲକ୍ଷ ଲୋକମାନେ ଖୁସିରେ, ଭାବରେ ନାଚିଉଠିଥିଲେ। ରଥ ଆଗେ ଆଗେ ଚାଲିଥିଲା ଲଉଡ଼ି ଖେଳ, ଓଡ଼ିଶୀ ନୃତ୍ୟ, ଘୋଡ଼ା, ଷଣ୍ଢ ନୃତ୍ୟ। ସେହିଭଳି ପହଣ୍ଡି ବେଳେ ଡମ୍ବରୁ ବାଦ୍ୟ ବେଶ୍‌ ଆକର୍ଷଣୀୟ ଥିଲା।

ମଧ୍ୟାହ୍ନର ଗୁଳୁଗୁଳି କମିଯାଇଥିଲା ଏବଂ ଅପରାହ୍ନରେ ମେଘ ଟିପିଟିପି ବର୍ଷି ଯିବାରୁ ରଥ ଟଣା ପାଇଁ ପାଗ ବେଶ୍ ଅନୁକୂଳ ହୋଇଥିଲା।

ଧାର୍ଯ୍ୟ ସୂଚୀ ଅନୁସାରେ ଅପରାହ୍ନ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ସ୍ଥିର କରାଯାଇଥିଲା। ମାତ୍ର ପ୍ରାୟ ୨ ଘଣ୍ଟା ବିଳମ୍ବରେ ୫ଟା ୨୩ ମିନିଟ୍‌ରେ ରଥ ଗଡ଼ିବା ଆରମ୍ଭ ହୋଇଥିଲା। ଗତକାଲି ରାତିରେ ରଥ ପ୍ରତିଷ୍ଠା ପରେ ଅନ୍ୟାନ୍ୟ ନୀତି ବିଳମ୍ବ ହେବା କାରଣରୁ ଆଜିର ସବୁ ନୀତି ବିଳମ୍ବିତ ହୋଇଥିଲା। ତେଣୁ ସ୍ବାଭାବିକ ଭାବେ ରଥ ଟଣା ବିଳମ୍ବ ହେଲା। ତେଣୁ ଆଜି ରଥ ମାଉସୀ ମା’ ମନ୍ଦିରରେ(ରାମେଶ୍ବର ମନ୍ଦିର) ପହଞ୍ଚି ପାରିଲାନାହିଁ। ନିୟମାନୁସାରେ ସୂର୍ଯ୍ୟାସ୍ତ ହେବା ମାତ୍ରେ ରଥ ଟଣା ବନ୍ଦ ହୋଇଗଲା। ତେଣୁ ସନ୍ଧ୍ୟା ୬ଟା ୨୦ ମିନିଟ୍‌ରେ ରଥ ଟଣା ବନ୍ଦ ହେଲା ଏବଂ ବଢ଼େଇବାଙ୍କ ଛକରେ ଅଟକିଗଲା ରୁକୁଣା ରଥ। ଆସନ୍ତାକାଲି ଅପରାହ୍ନ ୨ଟାରେ ପୁଣି ରଥ ଟଣା ହେବ ଏବଂ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଦେବୀ ରୁକ୍ମିଣୀ ରାମେଶ୍ବର ମନ୍ଦିରରେ ବିଜେ କରିବେ।

ଠାକୁରଙ୍କ ଲାଗି ଅଶୋକ କଢ଼ ପାଇଁ ଉତ୍କଣ୍ଠା

ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସନ୍ଧ୍ୟା ପରେ ରଥ ନିକଟକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥିଲେ। ତେଣୁ ଆଜି ସନ୍ଧ୍ୟାରେ ବଢ଼େଇବାଙ୍କ ଛକ ପାଲଟିଯାଇଥିଲା ଏକ ତୀର୍ଥସ୍ଥଳ। ରଥ ନିକଟରେ ଶ୍ରଦ୍ଧାଳୁମାନେ ଦୀପ ଜାଳିବା ସହ ରଥକୁ ଛୁଇଁ ମୁଣ୍ଡିଆ ମାରିଥିଲେ। ତେବେ ଠାକୁରଙ୍କୁ ଲାଗି ହୋଇଥିବା ଅଶୋକ ଫୁଲ କଢ଼ ପାଇବାକୁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।

ରଥ ପାଖରେ ପ୍ରବଚନ

ମଧ୍ୟାହ୍ନ ସାଢ଼େ ୧୨ଟାରୁ ରଥଖଳାରେ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜିଲ୍ଲା ଲୋକସଂପର୍କ ବିଭାଗ ପକ୍ଷରୁ ମହାଖଳା ମଣ୍ଡପରେ ରଥ ସଂପର୍କିତ ଧାରା ବିବରଣୀ ପ୍ରଦାନ ଓ ପ୍ରବଚନ ଚାଲିଥିଲା। ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ଜେନା ଓ ଗୌରଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟକୃଷ୍ଣ ସାହୁ, ବୈକୁଣ୍ଠ ପ୍ରଧାନ, ଅଂଶୁମାନ କର, ଅଭିନନ୍ଦନ ଦାସ, ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ପ୍ରବଚନ ଦେଇଥିଲେ।

ସ୍ବେଚ୍ଛାସେବୀମାନଙ୍କ ସେବା ଉଲ୍ଲେଖନୀୟ

ଆଜି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରଥଦାଣ୍ଡରେ ଜଳଛତ୍ର କରାଯାଇଥିଲା। ବିଏମ୍‌ସି, କମିସନରରେଟ୍ ପୁଲିସ ଓ ସ୍କାଉଟ୍‌ ସମେତ ହରି ଓଁ କ୍ଲବ୍‌, ଭାରତ ବିକାଶ ପରିଷଦ, ସେବା ପ୍ରତିନିଧି, ସ୍ନେହୀ ସମାଜ, ପ୍ରଦୀପ ସେବା ଟ୍ରଷ୍ଟ, ସମ୍ପର୍କ ପରିବାର, ହିନ୍ଦୁ ଜାଗରଣ ସମିତି, ସତ୍ୟସାଇ ସେବା ଗ୍ରୁପ୍‌, ନିର୍ଭୟା ଟ୍ରଷ୍ଟ, ଏକାମ୍ର କଲେଜ, ପତଞ୍ଜଳି ମହିଳା ଶାଖା, ପାଟରା ସମାଜ, କଂସାରି ସମାଜ, ସଦ୍‌ଜ୍ଞାନ ବିକାଶ ସଂଘ, ଗୌତମନଗର ଉନ୍ନୟନ ପରିଷଦ, ଉତ୍କଳ ବିକାଶ ଯୁବ ପରିଷଦ, ଏକାମ୍ର ସାସ୍କୃତିକ ପରିଷଦ, ଶୁଭ ସକାଳ ଗ୍ରୁପ୍‌, ଜଳନ୍ଧର ବଧ ପୂଜା କମିଟି ଆଦି ବହୁ ଅନୁଷ୍ଠାନ ଜଳଛତ୍ର କରିଥିଲେ। ସେହିଭଳି ଶଙ୍କର ମଲ୍ଲ ଗ୍ରୁପ୍‌ ୩ ଜହାର ଲୋକଙ୍କୁ ଓ ଗୋ‌ସାଗ‌ରେଶ୍ବର ଯୁବକମାନେ ୧ହଜାର ଲୋକଙ୍କୁ ଅନ୍ନପ୍ରସାଦ ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର