ଭୁବନେଶ୍ବର: ପବିତ୍ର ଅଶୋକାଷ୍ଟମୀ ଅବସରରେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ରାଧୀଶ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୫ଦିବସୀୟ ରଥଯାତ୍ରା ବା ରୁକୁଣା ରଥ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଆଜି ଭୋର ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ ନୀତିକାନ୍ତି ପରେ ଅପରାହ୍ଣରେ ମହାପ୍ରଭୁଙ୍କ ରଥ ଗଡ଼ିଥିଲା | ତେବେ ଏହି ରଥଯାତ୍ରାର ବିଶେଷତ୍ୱ କଣ ଜାଣିଛନ୍ତି କି?
ଚୈତ୍ର ମାସ ଶୁକ୍ଳ ଅଷ୍ଟମୀ ତିଥିରେ ଏହି ରଥଯାତ୍ରା ଅନୁଷ୍ଠିତ ହୁଏ |
ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ରୁକ୍ମଣୀ ଓ ବାସୁଦେବ ରଥ ଉପରେ ବିଜେ ହୁଅନ୍ତି |
ଏହା ପରେ ରଥକୁ ରାମେଶ୍ୱର ମନ୍ଦିରକୁ ଭକ୍ତ ଟାଣି ନିଅନ୍ତି |
ରୁକୁଣା ରଥଯାତ୍ରା ୫ ଦିନ ବ୍ୟାପୀ ଚାଲେ |
ପଞ୍ଚମ ଦିନ ଲିଙ୍ଗରାଜ ମନ୍ଦିରଙ୍କୁ ବାହୁଡ଼ି ଆସନ୍ତି ତିନି ବିଗ୍ରହ |
ଏହି ରଥ ପଛକୁ ଫେରେ ନାହିଁ |
ଯେଉଁଭଳି ଯାଇଥାଏ, ରଥକୁ ପୁଣି ସେହିଭଳି ଅଣାଯାଏ |
ସେଥିପାଇଁ “ରୁକୁଣା ରଥ ଅଣଲେଉଟା’ ବୋଲି କୁହାଯାଏ |
ବାହୁଡ଼ା ଦିନ ରଥକୁ ବୁଲାଇବା ବଦଳରେ ଦଉଡ଼ି, ଘୋଡ଼ା ଓ ବିଗ୍ରହଙ୍କ ସିଂହାସନକୁ ରଥର ବିପରୀତ ଦିଗରେ ଉପବେସନ କରାଯାଏ
ରୁକୁଣା ରଥର ଉଚ୍ଚତା ୫୦ ଫୁଟ | ଏଥିରେ ୪ ଚକ, ୨ ଓରା, ୧୬ ନାହାକା, ୫ ଦଣ୍ଡା ରହେ |
ରଥର ସାରଥୀ ହେଉଛନ୍ତି ବ୍ରହ୍ମା | ରଥ ଉପରେ ୧୨ ପ୍ରକାର ପୂଜା କରାଯାଏ
ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହାପ୍ରଭୁ ରାମଚନ୍ଦ୍ର ରାବଣଙ୍କୁ ହତ୍ୟା କରି ମା’ ସୀତାଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା । କାରଣ ରାବଣ ବ୍ରାହ୍ମଣ ଥିଲେ । ଏହି ପାପରୁ ମୁକ୍ତି ପାଇବା ପାଇଁ ଗୁରୁ ବଶିଷ୍ଠଙ୍କ କଥା ଅନୂୁସାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏକାମ୍ର କ୍ଷେତ୍ରକୁ ଆସି ଲିଙ୍ଗରାଜଙ୍କୁ ପ୍ରତିଦିନ ପୂଜାର୍ଚ୍ଚନା କରିଥିଲେ । ଏଥିରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହେବା ପରେ ତାଙ୍କୁ ରାମଚନ୍ଦ୍ର ବର ମାଗିଥିଲେ । ସେହି ବର ଅନୁସାରେ ମହାପ୍ରଭୁ ଲିଙ୍ଗରାଜ ଅଷ୍ଟମୀ ତିଥିରେ ରାମେଶ୍ୱର ମନ୍ଦିରକୁ ଯାତ୍ରା କରନ୍ତି । ଆଉ ଏକ କିମ୍ବଦନ୍ତୀ ଅନୁସାରେ ମା’ ଭୁବନେଶ୍ୱରୀ ଏହି ଦିନ ରଥରେ ପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବାକୁ ଯାତ୍ରା କରିଥାନ୍ତି ।