ଭୁବନେଶ୍ବର: ରୁକୁଣା ରଥରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ‌ଦେଖିବା ପା‌ଇଁ କାହିଁ କେତେ ଦୂରରୁ ଧ‌ାଇଁ ଆସିଥିଲେ ଭକ୍ତ। ରଥ ଗଡ଼ିବା ସିନା ‌ବିଳମ୍ବ ହୋଇଥିଲା, ହେଲେ ରଥ ଦାଣ୍ଡରେ ଗଦା ହୋଇ ରହିଥିଲେ ଭକ୍ତ। ଶ୍ରୀ ଲିଙ୍ଗରାଜ, ମା’ ରୁକୁଣା ଓ ଶ୍ରୀଦୋଳଗୋବିନ୍ଦଙ୍କୁ ଦେଖିବା ପାଇଁ ଚାହିଁ ରହିଥିଲା ହଜାର ହଜାର ଅପଲକ ନୟନ। କିନ୍ତୁ ଶ୍ରୀଜୀଉଙ୍କୁ କେହି ଦେଖିପାରିଲେନି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯୋଗସୂତ୍ର ସାଜୁଥିବା ସେବାୟତ ହିଁ ଆଜି ଦୁହିଁଙ୍କ ମଧ୍ୟରେ ପାଚେରି ଭାବେ ଉଭା ହୋଇଥିଲେ। ଶ୍ରୀଜୀଉ ରଥାରୂଢ଼ ହେବା ପରେ ଜଣଙ୍କ ପରେ ଜଣେ ସେବାୟତ ରଥ ଉପରକୁ ଚଢ଼ିଥିଲେ। ଚାହୁଁଚାହୁଁ ରଥ ଉପରେ ସେବାୟତଙ୍କ ସଂଖ୍ୟା ଦୁଇ ଶହରୁ ଅଧିକ ହୋଇଯାଇଥିଲା। ରଥ ଉପରେ ସେବାୟତଙ୍କ ସଂଖ୍ୟାକୁ ନେଇ କଟକଣା କରାଯାଇଥିଲା। ଦିଅଁଙ୍କ ଆଗରେ କେହି ନରହିବା ପାଇଁ ନିଷ୍ପତ୍ତି ହୋଇଥିଲା।

Advertisment

ଏହାକୁ ଉଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା। ହେଲେ ଆଜି କେହି ନିୟମକୁ ମାନି ନଥିଲେ। ରଥବାଡ଼ ଆଗରେ ତଳକୁ ଗୋଡ଼ ଝୁଲାଇ ଅତ୍ୟନ୍ତ ବିପଦଜନକ ଭାବେ କିଛି ବସି ରହିଥିଲେ। ଆଉ କିଛି ରଥର ସାରଥୀ ବ୍ରହ୍ମା ଓ ଶ୍ରୀଜୀଉଙ୍କ ଆଗରେ ଛିଡ଼ା ହୋଇଥିଲେ। ଦିଅଁଙ୍କ ସମ୍ମୁଖରୁ ଉଠିଯିବା ପାଇଁ ରଥ ତଳୁ ଭକ୍ତମାନେ ବାରମ୍ବାର ଅନୁରୋଧ କରିଥିଲେ। ପ୍ରଶାସନ ଓ ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିଲେ। ଫଳରେ ଜୀଉଙ୍କର ଟିକିଏ ଝଲକ ପାଇବାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ନିରାଶ ହୋଇଥିଲେ।

ସେବାୟତଙ୍କ ମନ୍‌ମାନି ସୀମା ଟପିଲା
ଚୁପ୍‌ ରହିଲେ ପୁଲିସ ଓ ପ୍ରଶାସନ

ରୁକୁଣା ରଥ ଅଣଲେଉଟା: ରୁକ୍ମିଣୀ ବା ରୁକୁଣା ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ପୁରୀ ରଥ ଭଳି ଦକ୍ଷିଣ ମୋଡ଼ ନବୁଲି ରଥର ପଛପଟେ ଦ୍ୱାର ଖୋଲାଯାଇ ଘୋଡ଼ା ଖଞ୍ଜାଯିବା ପରେ ଏହା ପଛକୁ ଫେରିଥାଏ। ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ। 
ରଥ ପାଖରେ ନେତା: ରଥ ନିକଟରେ ବିଜେପି ଶିବିରରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ, ବିଜେପି ନେତା ସମୀର ମହାନ୍ତି, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଜଗନ୍ନାଥ ପ୍ରଧାନ, ରଶ୍ମି ମହାପାତ୍ର, ପ୍ରମୋଦ ମହାପାତ୍ରଙ୍କ ସମେତ ବହୁ କର୍ପୋରେଟର, କର୍ମୀ ସାମିଲ ହୋଇଥିଲେ। ବିଜେଡି ଶିବିରରେ ବିଏମ୍‌ସି ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ମଥ ରାଉତରାୟ ଓ ବହୁ କର୍ପୋରେଟର ସାମିଲ ହୋଇଥିଲେ। କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ସାମିଲ୍‌ ହୋଇଥିଲେ।

ରଥ ପାଖରେ ପ୍ରବଚନ: ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ମହାଖଳା ମଣ୍ଡପରେ ରଥ ସମ୍ପର୍କିତ ଧାରା ବିବରଣୀ ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଲୋକ ସମ୍ପର୍କ ବିଭାଗର ଅଧିକାରୀ ଜିତେନ୍ଦ୍ରିୟ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟକୃଷ୍ଣ ସାହୁ, ବୈକୁଣ୍ଠ ପ୍ରଧାନ, ଅଂଶୁମାନ କର, ଅଭିନନ୍ଦନ ଦାସ, ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ପ୍ରବଚନ ଦେଇଥିଲେ। ପାଲ ତଳେ ସେବା: ରୁକୁଣା ରଥ ମଠ ସମ୍ମୁଖରେ ପହଞ୍ଚିଲେ ମଠ ଉପରୁ ହିଁ ଠାକୁରଙ୍କୁ ‌ଭୋଗ ଅର୍ପଣ କରାଯାଏ। ଏବେ ଏହା ଆଉ ସମ୍ଭବ ହେଉନାହିଁ। ମନ୍ଦିର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟରେ ମଠ ଭଙ୍ଗା ଯିବା ପରେ ଏଭଳି ସ୍ଥିତି ହୋଇଛି। ଅସ୍ଥାୟୀ ପାଲ ତଳେ ଆଜି ଏଭଳି ସେବା ହେଉଥିବା ଦେଖିବାକୁ ମିଳିଥିଲା। ଭଙ୍ଗା ହୋଇଥିବା ଶିବତୀର୍ଥ ଓ ଗୋପାଳତୀର୍ଥ ମଠ ପକ୍ଷରୁ ପାଲତଳୁ ପୂଜାପଣ୍ଡା ସେବାୟତ ଭୋଗଲାଗି, ଧୂପ କରିବା ସହ ଆଳତି କରିଥିଲେ। 

ମାତି‌ଲେ ପକେଟ୍‌ମାର: ଭିଡ଼ ବେଳେ ୩ଜଣଙ୍କ ପକେଟ୍‌ମାର ହୋଇଛି। ଜଣଙ୍କ ଚେନ୍‍ ଲୁଟ୍‍‍ ହୋଇଥିବା ବେଳେ ୩ଜଣଙ୍କ ମୋବାଇଲ ଲୁଟ୍‍ ହୋଇଛି। ଭିଡ଼ର ସୁଯୋଗ ନେଇ ଲୁଟେରା ଏଭଳି କାଣ୍ଡ କରିଛନ୍ତି।

ସ୍ବେଚ୍ଛାସେବୀଙ୍କ ସେବା: ରଥଯାତ୍ରାରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର କରାଯାଇଥିଲା। ରଥଦାଣ୍ଡରେ ବିଏମ୍‌ସି, ପୁଲିସ କମିସନରରେଟ୍, ସ୍କାଉଟ୍‌ ଗାଇଡ୍‌, ଭାରତ ବିକାଶ ପରିଷଦ, ସେବା ପ୍ରତିନିଧି, ସ୍ନେହୀ ସମାଜ, ହିନ୍ଦୁ ଜାଗରଣ ସମିତି, ସତ୍ୟସାଇ ସେବା ଗ୍ରୁପ, ଏକାମ୍ର କଲେଜ, ପତଞ୍ଜଳି ମହିଳା ଶାଖା, ପଟରା ସମାଜ, କଂସାରୀ ସମାଜ, ସଦ୍‌ଜ୍ଞାନ ବିକାଶ ସଙ୍ଘ, ଉତ୍କଳ ବିକାଶ ଯୁବ ପରିଷଦ, ଏକାମ୍ର ସାଂସ୍କୃତିକ ପରିଷଦ, ଶୁଭ ସକାଳ ଗ୍ରୁପ୍‌, ମୁକ୍ତି ଫାଉଣ୍ଡେସନ୍‌, ଜଳଧର ବଦ୍ଧ ପୂଜା କମିଟି, ହରି ଓମ୍‌ କ୍ଲବ୍‌ ଓ ସମ୍ପର୍କ ପରିବାର ପକ୍ଷରୁ ଜଳଦାନ କରାଯାଇଥିଲା। ଶଙ୍କର ମଲ୍ଲ ଗ୍ରୁପ୍‌ ଓ ଗୋ‌ସାଗ‌ରେଶ୍ବର ଯୁବକମାନଙ୍କ ଦ୍ବାରା ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃ‌ଷ୍ଟିରେ ରଖି ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ସହ ପାଣି ସିଞ୍ଚନ କରାଯାଇଥିଲା।