ରୁକୁଣା ରଥଯାତ୍ରା: ଜଗିବେ ଅଧିକ ପୁଲିସ୍‌

ପୁରୁଣା ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଜି ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ତେବେ ଯାତ୍ରା ପରିଚାଳନା ପ‌ାଇଁ ସମନ୍ବୟ ବୈଠକରେ କୌଣସି ସେବାୟତ ଯୋଗ ଦେଇ ନଥିବା ବେଳେ ଆଜିର ବୈଠକରେ ସବୁ ସେବାୟତ ନିଯୋଗର ପ୍ରତିନିଧିମାନେ ସାମିଲ ହୋଇଥିଲେ।

ଆଇନ ଶୃଙ୍ଖଳା ବ୍ୟବସ୍ଥା ସମୀକ୍ଷା କଲେ ସିପି
ରଥ ଉପରେ ସେବାୟତ ସଂଖ୍ୟାରେ କଟକଣା

କେଦାରଗୌରୀ ନିକଟ ମା’ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି ବୈଠକରେ ନେତ୍ର ଉତ୍ସବ, ରଥ ପ୍ରତିଷ୍ଠା, ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସ୍ବର୍ଣ୍ଣାଦ୍ରିବିଜେ ସମ୍ପର୍କରେ ପୁଲିସ କମିସନର ସମୀକ୍ଷା କରିଥିଲେ। ସେ ବିଭିନ୍ନ ବିଭାଗ ସହ ମଧ୍ୟ ଆଲୋଚନା କରିଥିଲେ। ଆଲୋଚନା ବେଳେ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗତବର୍ଷ ସୁରକ୍ଷା ପାଇଁ ୬ ଏସିପିଙ୍କ ସମେତ ୧୪ ଇନ୍ସପେକ୍ଟର ଓ ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିବା ବେଳେ ଚଳିତ ବର୍ଷ ଏହାଠାରୁ ଅଧିକ ପୁଲିସ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ତା’ ଛଡ଼ା ରଥ ପ୍ରତିଷ୍ଠା ଦିନଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ରଥ କର୍ଡନ୍‌ ଭିତରେ ଅନଧିକୃତ ବ୍ୟକ୍ତି ଓ ରଥ ଉପରେ ଅନାବଶ୍ୟକ ସେବାୟତଙ୍କ ଉପରେ କଟକଣା ଜାରି କରାଯାଇଛି।

କର୍ଡନ ଭିତରେ କେବଳ ରଥ ଟାଣିବା ଓ ରଥ ମରାମତି କରିବା ପାଇଁ ଆବଶ୍ୟକ ହେଉଥିବା ଅଧିକୃତ ବ୍ୟକ୍ତିଙ୍କ ସମେତ ଉପଯୁକ୍ତ ଅଧିକାରୀ ଉପସ୍ଥିତ ରହିବେ। ରଥ ଉପରେ ଅନଧିକୃତ ତଥା ଅନାବଶ୍ୟକ ଲୋକ ରହୁଥିବାରୁ ଠାକୁରଙ୍କୁ ଦର୍ଶନ କରିବାରେ ସମସ୍ୟା ହେଉଛି। ଏଣୁ ଏହି ସଂଖ୍ୟା ଉପରେ କଟକଣା କରିବା ପାଇଁ ଏଭଳି ଯୋଜନା ହୋଇଛି। କର୍ଡନ ଭିତରେ ରହିବା ପାଇଁ ମହାରଣା ସେବାୟତ, କରଡ଼ା ସେବାୟତ ଓ ମନ୍ଦିର କର୍ମଚାରୀଙ୍କୁ କମିସନରେଟ୍‌ ପୁଲିସ ପକ୍ଷରୁ ପାସ୍‌ ଯୋଗାଇ ଦିଆଯିବ। ସେହିଭଳି ରଥ ପ୍ରତିଷ୍ଠା ଦିନ କେଦାରଗୌରୀ ମରୀଚି କୁଣ୍ଡଠାରେ, ମହାଖଳାରେ ରାମେଶ୍ବର ମନ୍ଦିରଠାରେ ପୁଲିସ ଫୋର୍ସ ରହି ଆଇନଶୃଙ୍ଖଳା ଉପରେ ନଜର ରଖିବେ। ଯାତ୍ରା ଦିନ ରାମେଶ୍ୱର ଛକ, ଇଲେକ୍ଟ୍ରି ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍‌ କରାଯିବ।

ସାଦା ପୋଷାକଧାରୀ, ମହିଳା ପୁଲିସ ରହି ଲୁଟେରା ଓ ମହିଳାଙ୍କ ଉପରେ ହେଉଥିବା ଅସଦାଚରଣ ଉପରେ ନଜର ରଖିବେ। ଗୋଟିଏ ଦିନରେ ହିଁ ରଥକୁ ମାଉସୀ ମା’ ମନ୍ଦିର ନିକଟକୁ ଆଣିବା ପାଇଁ ଉଦ୍ୟମ କରାଯିବ। ୨୮ ତାରିଖ ପୂର୍ବରୁ ରାସ୍ତାରେ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ଓ ଷଣ୍ଢଙ୍କୁ ହଟାଇବା ପାଇଁ ବିଏମ୍‌ସିକୁ ଅବଗତ କରାଯିବ। ରାସ୍ତାରେ ବିପଜ୍ଜନକ ଭାବେ ଝୁଲୁଥିବା ବିଦ୍ୟୁତ୍‌ ତାରକୁ ହଟାଇବା ପାଇଁ ଟିପିସିଓଡିଏଲକୁ ନିର୍ଦ୍ଦେଶ ଦିଆଯିବ। ବିଶୃଙ୍ଖଳିତ ଭାବେ ଗାଡ଼ି ପାର୍କିଂ ଯୋଗୁଁ ରଥଟଣାରେ ସମସ୍ୟା ହେଉଥିବାରୁ ବେଆଇନ ଭାବରେ ପାର୍କିଂ ନ କରିବାକୁ ମାଇକ୍‌ ଯୋଗେ ଘୋଷଣା କରାଯିବ। ରଥ ଦାଣ୍ଡରେ ଯାତ୍ରା ସମୟରେ ଆମିଷ ଦ୍ରବ୍ୟ ବିକ୍ରି ନିଷେଧ କରାଯିବ।

ବୈଠକରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ, ବିଧାୟକ ସୁରେଶ କୁମାର ରାଉତରାୟ, ‌ବିଏମ୍‌ସି ମେୟର ସୁଲୋଚନା ଦାସ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର, କର୍ପୋରେଟର୍‌ ଶିବ ପ୍ରସାଦ ବେହେରା, ଚନ୍ଦ୍ର ଶେଖର ମଲିଆ, ଅତିରିକ୍ତ ଡିସିପି ତରୁଣ ଦାସ, ପ୍ରାଣକୃଷ୍ଣ ରାଉତ, ପ୍ରକାଶ ପାଲଙ୍କ ସମେତ ନିର୍ମାଣ ସୌଧ, ଜଳ ବିଭାଗ, ବିଦ୍ୟୁତ୍‌ ବିଭାଗ, ବିଏମ୍‌ସି, ଦମକଳ ବାହିନୀ ଏବଂ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ, ସମର୍ଥା ନିଯୋଗ, କ୍ଷେତ୍ରବାସୀ ନିଯୋଗ, ବିଶୋଇ ନିଯୋଗ, ଆପଟିଆ ନିଯୋଗ, ମହାରଣା ନିଯୋଗ, ବେହେରା (ଭୋଇ) ନିଯୋଗର ସଭାପତି, ସମ୍ପାଦକମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର