ଆଜି ରୁକୁଣା ରଥଯାତ୍ରା: ମରୀଚିକୁଣ୍ଡ ଜଳରେ ହେଲା ରଥ ପ୍ରତିଷ୍ଠା, ଲକ୍ଷେ ୭୭ ହଜାର ଟଙ୍କାରେ ନିଲାମ ହେଲା ଦୁଇ କଳସ

ଭୁବନେଶ୍ୱର: ଶୁକ୍ରବାର ରାତିରେ ସରିଛି ରୁକୁଣା ରଥ ପ୍ରତିଷ୍ଠା। ମହାଖଳାରେ ସଗର୍ବେ ଠିଆ ହୋଇଥିବା ରଥରେ ନେତ ବନ୍ଧା ହେବା ସହ ମରୀଚି କୁଣ୍ଡ ଜଳରେ ପ୍ରତିଷ୍ଠା କରାଯାଇଛି। ଶନିବାର ବିଧି ଓ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ‌ହେବା ପରେ ରଥରେ ସଖି ଖଞ୍ଜା ହେବା ଓ ଘୋଡ଼ା ଯୋଚାଯିବ। ପରେ ପରେ ରଥଦାଣ୍ଡରେ ମାଉସୀ ମା’ ଅଭିମୁଖେ ଗଡ଼ିବ ରୁକୁଣା ରଥ। ପବିତ୍ର ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେବ।

ନିଲାମ ହେଲା ମରୀଚି କୁଣ୍ଡ ଜଳ

ଆଜି ସପ୍ତମୀ ତିଥିରେ କେଦାରଗୌରୀ ନିକଟ ମୁକ୍ତେଶ୍ବର ମନ୍ଦିର ନିକଟ ମରୀଚି କୁଣ୍ଡରୁ ଜଳ ସଂଗ୍ରହ କରାଯାଇଥିଲା। ରାତି ପ୍ରାୟ ୧୧ଟାରେ ମରୀଚି କୁଣ୍ଡରୁ ଜଳ ଉଠିଥିଲା। ରଥ ପ୍ରତିଷ୍ଠା ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ପ୍ରଥମ କଳସ ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ଭୁବନେଶ୍ବରର ସୁନନ୍ଦା ପ୍ରଧାନ ଓ ବିରଞ୍ଚି ପ୍ରଧାନ ନିଲାମ ନେଇଥିଲେ। ଦ୍ୱିତୀୟ କଳସ ପାଣିକୁ ୪୭ ହଜାର ଟଙ୍କାରେ ଭୁବନେଶ୍ବର ବାହାଦଲପୁର ଅଞ୍ଚଳର ଲିପିନା ସାହୁ ଓ ସୁଶାନ୍ତ ସାହୁ ନିଲାମ ନେଇଛନ୍ତି। ତୃତୀୟ କଳସ ପାଣି ବିଳମ୍ବିତ ରାତିରେ ନିଲାମ ହୋଇଛି। କଳସ ପାଣିକୁ ବଡ଼ୁ ନିଯୋଗ ପକ୍ଷରୁ ନିଲାମ କରାଯାଇଥିଲା। କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗର ସେବାୟତ ଏହି ଜଳକୁ ପୂଜା କରିଥିଲେ। ପୂଜକ ମନୋରଞ୍ଜନ ଦାଶ, ସରୋଜ ମିଶ୍ର, ସନ୍ତୋଷ ରଥ ପ୍ରମୁଖ ବହୁ ବ୍ରାହ୍ମଣ ଉପସ୍ଥିତ ରହି ରଥ ପ୍ରତିଷ୍ଠା କରିଥିଲେ।

ଲାଗିଲା ସିଂହାସନ, ପାର୍ଶ୍ୱମୂର୍ତ୍ତି

ରଥ ପ୍ରସ୍ତୁତି ଅନୁସାରେ ଆଜି ରୁକୁଣା ରଥରେ ସିଂହାସନ, ପାର୍ଶ୍ବମୂର୍ତ୍ତି ଲଗାଯାଇଥିଲା। ଏଥିସହିତ ରଥରେ ବାରେଣୀ, ପ୍ରଭା, ଘୋଡ଼ା ଇଶ ଓ ଚାରିଦ୍ୱାର ଲଗାଯାଇଛି। ସେହିଭଳି ରଥର ସାରଥୀଙ୍କୁ ମଧ୍ୟ ଆଜି ରଙ୍ଗ କରାଯାଇଛି। ଗତକାଲି ରଥର ଉପର ପଟ୍ଟା, ବେଦୀ ପଟ୍ଟା, ଘଣ୍ଟି ଓରା, ଧ୍ୱଜ ବତା ଲଗାଯାଇଥିଲା। ଏଥିସହିତ ପେଟି, ଅଁଳା, ମୁଣ୍ଡି ଓ ଝରା ଲାଗିବା କାମ ମଧ୍ୟ ଶେଷ ହୋଇଥିଲା। ଆସନ୍ତାକାଲି ରଥରେ କେବଳ ସଖି ଓ ଘୋଡ଼ା ଲଗାଯିବ। ରଥରେ ପ୍ରଭୁ ବିଜେ କରିବା ପରେ ରଥ ଟଣା ହେବ।

ପୁଲିସ ଯାଞ୍ଚ କଲା ସୁରକ୍ଷା ବ୍ୟବସ୍ଥା

ଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ ଆଜି ପୁଲିସ ଅଧିକାରୀମାନେ ବୁଲି ଦେଖିଥିଲେ। ଡିସିପି ଉମାଶଙ୍କର ଦାଶଙ୍କ ସମେତ ଏସିପି ଓ ଥାନା ଅଧିକାରୀମାନେ ମହାଖଳା ଓ ରଥଦାଣ୍ଡ ବୁଲି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ।

ରୁକୁଣା ରଥ ନୀତି ନିର୍ଘଣ୍ଟ

ଆସନ୍ତାକାଲି ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ଭୋର୍‌ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହେବା ପରେ ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ରହିବ। ଏହାପରେ ରୋଷହୋମ, ପାକକାର୍ଯ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହେବ। ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣୀ(ଭୁବନେଶ୍ୱରୀ) ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ହେବା ପରେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହେବ ଓ ଘଣ୍ଟାକ ଭିତରେ ସେବାୟତଗଣ ଏହା ସାରିବେ। ଏହାପରେ ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦୁଇ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ। ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀ ମା’ ଅଭିମୁଖେ ଗଡ଼ିବ। ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ସାଢ଼େ ୭ଟାରେ ଅନ୍ୟାନ ନୀତି କରାଯିବ।

ସମ୍ବନ୍ଧିତ ଖବର