ଗଡ଼ିଲା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥ

ଭୁବନେଶ୍ବର : ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଯାଇଛି । ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂର୍ବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିଘଣ୍ଟ କରାଯାଇଥିଲା । କିନ୍ତୁ ଆଜି ପ୍ରାୟ ସାଢେ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା । ଆଜି ଦିନ ସାଢେ ୧ଟା ବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଠାକୁର ରଥାରୁଢ ହେବା ପରେ ରଥ ଉପରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଆଜି ରାମେଶ୍ବର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ଅନ୍ୟାନ୍ୟ ନୀତିକାନ୍ତି କରାଯିବ ।

ଗତକାଲି ଅର୍ଥାତ ଶୁକ୍ରବାର ସଂଧ୍ୟାରେ ମହାପ୍ରଭୁଙ୍କ ରୁକୁଣା ରଥକୁ ପ୍ରତିଷ୍ଠା କରାଯାଇଥିଲା । ମୁକ୍ତେଶ୍ବର ମନ୍ଦିର ନିକଟ ମରୀଚି କୁଣ୍ଡରୁ ରଥ ପ୍ରତିଷ୍ଠା ପାଇଁ ଜଳ ଯିବା ପରେ ପରମ୍ପରା ଅନୁସାରେ ମରୀଚି କୁଣ୍ଡ ପାଣି ନିଲାମ ହୋଇଥିଲା ।

କରୋନା ମହାମାରୀ ଯୋଗୁଁ ୨୦୨୦ରେ ଏହି ରଥଯାତ୍ରା ସ୍ଥଗିତ ରହିଥିଲା । ସେହିପରି ୨୦୨୧ରେ ଏହା ବିନା ଭକ୍ତରେ ହୋଇଥିଲା । ଏଣୁ ଏବର୍ଷ ଭକ୍ତଙ୍କୁ ଅନୁମତି ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି ।

 

ସମ୍ବନ୍ଧିତ ଖବର