ପଲିଥିନ୍ ମୁକ୍ତ ନୁହେଁ ପଲିଥିନ୍‌ମୟ: ଫୁସ୍‌କିଗଲା କଟକଣା

ଭୁବନେଶ୍ବର: ଅକ୍ଟୋବର ୨ରୁ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଭୁବନେଶ୍ବର ପ୍ଲାଷ୍ଟିକ୍‌/ପଲିଥିନ୍ ମୁକ୍ତ ସହର ହେଲା ବୋଲି ବିଏମ୍‌ସି ଘୋଷଣା କଲା। କାଗଜପତ୍ରରେ ବିଏମ୍‌ସି ବି ପଲିଥିନ୍ ମୁକ୍ତ ସହର ହୋଇସାରିଲାଣି। କିନ୍ତୁ ରାଜଧାନୀର ରାସ୍ତାଘାଟ ବୟାନ କରିଦେଉଛି ଭୁବନେଶ୍ବର ପଲିଥିନ୍‌ ମୁକ୍ତ ନୁହେଁ ପଲିଥିନ୍‌ମୟ ସହର। ବିଏମ୍‌ସି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଢିଲା କାର୍ଯ୍ୟଶୈଳୀ ଯୋଗୁଁ ଏବେ ରାଜଧାନୀରେ ଯେଉଁଠି ଆଖି ପଡ଼ୁଛି ସେଠାରେ ଖାଲି ପଲିଥିନ୍‌। ବିଏମ୍‌ସି କର୍ତ୍ତୃପକ୍ଷ ହକି ବିଶ୍ବକପ୍‌ ପୂର୍ବରୁ ଜୋନ୍‌ସ୍ତରରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପଲିଥିନ୍ ଜବତ କଲେ। ଏପରିକି ଜରିମାନା ବି ଆଦାୟ କଲେ। କିନ୍ତୁ ପଲିଥିନ୍ ବିକ୍ରି କମିଲାନି। ସବୁଠି ଖୋଲାଖୋଲି ପଲିଥିନ୍ ବିକ୍ରି ହେଉଛି। ପରିବା ଦୋକାନଠାରୁ ଆରମ୍ଭ କରି ସଉଦା ଦୋକାନ, ଆମି‌ଷ ଦୋକାନ ପର୍ଯ୍ୟନ୍ତ ସବୁଠି ଏବେ ବିନା ପଲିଥିନ୍‌ରେ ସାମଗ୍ରୀ ବିକ୍ରି ହେଉନି।

ପଲିଥିନ୍ କଟକଣା କଡ଼ାକଡ଼ି ଭାବେ ଲାଗୁ କରିବାକୁ ବିଏମ୍‌ସି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କିଛି କଠୋର ପଦକ୍ଷେପ ନେଉ ନଥିବାରୁ ବ୍ୟବସାୟୀ ଓ ଗ୍ରାହକଙ୍କର ପଲିଥିନ୍ ମୋହ ଛାଡ଼ୁନି। ଏବେ ଯେଉଁ ପରିମାଣରେ ପଲିଥିନ୍‌ ଓ ପ୍ଲାଷ୍ଟିକ୍ ବ୍ୟବହାର ହେଉଛି ତା’ର ପ୍ରଭାବ ଆସନ୍ତା ବର୍ଷା ଋତୁରେ ଦେଖିବାକୁ ମିଳିବ ବୋଲି ଜଳଜଳ ଦିଶିଲାଣି। ପୁଣି ସବୁ ଡ୍ରେନ୍, ସ୍ବେରେଜ୍ ଲାଇନ୍ ଚୋକ୍ ହୋଇ ରାସ୍ତାଘାଟରେ ପାଣି ସୁଅ ଛୁଟିବ, ଘରେ ଆଣ୍ଠୁଏ ଉଚ୍ଚରେ ପାଣି ପଶିବ। ବିଏମ୍‌ସି କର୍ତ୍ତୃପକ୍ଷ ଏସବୁ ଜାଣି ବି କାହିଁକି ଚୁପ୍ ରହୁଛନ୍ତି ସେନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। ପଲିଥିନ୍ କଟକଣା ପରେ ଏବେ ଅଳ୍ପ କିଛି ଦୋକାନରେ ପଲିଥିନ୍ ବିକ୍ରି କମିଛି। କିନ୍ତୁ ବହୁ ଗ୍ରାହକ ଘରୁ ବ୍ୟାଗ୍ ନନେଇ ଆସୁ ନଥିବାରୁ ପଲିଥିନ୍‌ରେ ସାମଗ୍ରୀ ଆଣୁଛନ୍ତି। ଅପରପକ୍ଷେ ପଲିଥିନ୍ ବଦଳରେ ଆସୁଥିବା ନୂଆ ବ୍ୟାଗ୍‌ର ଦାମ୍‌ ଏବେ ଟିକେ ଅଧିକ ରହୁଥିବାରୁ ଛୋଟ ବ୍ୟବସାୟୀ ଏହାକୁ ନକିଣି ପଲିଥିନ୍‌ରେ କାମ ଚଳାଉଛନ୍ତି। ଏନେଇ ବ୍ୟବସାୟୀଙ୍କ ଯୁକ୍ତି ଯେ, ଗ୍ରାହକ ବ୍ୟାଗ୍ ଆଣୁନାହାନ୍ତି। ପଲିଥିନ୍‌ରେ ସାମଗ୍ରୀ ନଦେଲେ ଜିନିଷ କିଣିବେନି ବୋଲି କହୁଛନ୍ତି। ତେଣୁ ପଲିଥିନ୍ ଚକ୍କରରେ ବେପାର ମାନ୍ଦା କରିବାକୁ ଚାହୁଁନୁ। ଆମେ ପଲିଥିନ୍ ନାହିଁ ବୋଲି ପ୍ରଥମେ କହୁଛୁ, କିନ୍ତୁ ଗ୍ରାହକଙ୍କୁ ଫେରାଇବାକୁ ଚାହୁଁ ନଥିବାରୁ ପଲିଥିନ୍‌ରେ ସାମଗ୍ରୀ ଦେଉଛୁ। ପଲିଥିନ୍ ବଦଳରେ ଯେଉଁ ବ୍ୟାଗ୍ ଆସୁଛି ତାହା ଅଧିକ ଦାମ୍‌ ରହୁଛି। ଆଉ ପଲିଥିନ୍ ପୂର୍ବାପେକ୍ଷା କମ୍‌ ଦାମ୍‌ରେ ମିଳୁଛି। ତେଣୁ ପଲିଥିନ୍‌ କିଣିବାକୁ ଆମେ ଏକରକମ ବାଧ୍ୟ ହେଉଛୁ ବୋଲି ବ୍ୟବସାୟୀମାନେ କହୁଛନ୍ତି।

ଭୁବନେଶ୍ବର ବିମାନବନ୍ଦର ହେଲା ପ୍ଲାଷ୍ଟିକ୍ ମୁକ୍ତ
ଭୁବନେଶ୍ବର: ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଦେଶର ୧୬ଟି ବିମାନବନ୍ଦରକୁ ଗୋଟିଏ ଥର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ ମୁକ୍ତ ବିମାନବନ୍ଦର ଭାବେ ଘୋଷଣା କରିଛନ୍ତି। ଏଥିରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅଛି। ଏଣିକି ଭୁବନେଶ୍ବର ବିମାନବନ୍ଦରରେ ଷ୍ଟ୍ର, ପ୍ଲାଷ୍ଟିକ ଚାମଚ, ‌ପ୍ଲାଷ୍ଟିକ୍ ପ୍ଲେଟ୍ ଆଦି ମିଳିବନି। ବିମାନବନ୍ଦର ଟର୍ମିନାଲ କି ବିମାନବନ୍ଦର ବାହାରେ ଥିବା କୌଣସି ଦୋକାନରେ ଏହା ଉପଲବ୍ଧ ହେବନି। ଏହା କେବଳ ଘୋଷଣାରେ ନରହି କିପରି କଡ଼ାକଡ଼ି କାର୍ଯ୍ୟକାରୀ ହେବ ସେଥିପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କ୍ବାଲିଟି କାଉନସିଲ୍‌ ଅଫ୍ ଇଣ୍ଡିଆକୁ ଯାଞ୍ଚ୍‌ କରିବାକୁ ନିୟୋଜିତ କରିଛନ୍ତି। ଏହି ୧୬ଟି ବିମାନବନ୍ଦରରେ ଭୁବନେଶ୍ବର ସମେତ ଇନ୍ଦୋର, ଭୋପାଳ, ଅହମ୍ମଦାବାଦ, ତିରୁପତି, ତ୍ରିଚି, ବିଜୟୱାଡା, ଡେରାଡୁନ୍, ଚଣ୍ଡୀଗଡ଼, ବରୋଦା, ମଦୁରାଇ, ରାୟପୁର, ବିଶାଖାପାଟଣା, ପୁଣେ, କୋଲକତା ଏବଂ ବାରାଣାସୀ ବିମାନବନ୍ଦର ଅଛି। ସେହିପରି ଆସନ୍ତା ଜାନୁଆରି ୩୧ସୁଦ୍ଧା ଦେଶର ଆଉ ୩୪ଟି ବିମାନବନ୍ଦରକୁ (ବାର୍ଷିକ ୧୦ଲକ୍ଷ ପର୍ଯ୍ୟନ୍ତ ଯାତ୍ରୀ ଯାତାୟାତ କରୁଥିବେ) ପ୍ଲାଷ୍ଟିକ ମୁକ୍ତ କରାଯିବ। ଏଥିପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ସହିତ ବିମାନବନ୍ଦରରେ ପର୍ଯ୍ୟାପ୍ତ ଡଷ୍ଟବିନ୍, ପ୍ଲାଷ୍ଟିକ୍ ବୋତଲ କ୍ରସିଂ ମେସିନ୍ ଲଗାଇବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର