ଘରୋଇ ହସ୍ପିଟାଲ ନିୟମ ଜୀବନ ନେଇଗଲା: ରକା ପଶିଥିଲା, କରୋନାରେ ମଲେ

ଭୁବନେଶ୍ବର: ଆଗ କରୋନା ପରୀକ୍ଷା କରିବ, ତା’ପରେ ଚିକିତ୍ସା ହେବ କି ନାହିଁ ନିଷ୍ପତ୍ତି ହେବ। ଘରୋଇ ହସ୍ପିଟାଲ ଏହିଭଳି ନିୟମ ଦେଖାଇବାରୁ ଜଣେ ବ୍ୟକ୍ତିଙ୍କର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। କରୋନାରେ ମୃତ୍ୟୁ ହୋଇଛି କିନ୍ତୁ ଏମିତି ଢଙ୍ଗରେ ତାଙ୍କର ମୃତ୍ୟୁ ହୋଇଛି ଯେ ରାଜ୍ୟ ସରକାର କରୋନା ଜନିତ ମୃତ୍ୟୁ ‌ନଦେଖାଇଲେ ବି କେହି ପ୍ରତିବାଦ କରିପାରିବେ ନାହିଁ।

ଅଭିଯୋଗ ଅନୁଯାୟୀ, ପଳାସୁଣିର ୬୨ ବର୍ଷୀୟ ରୁଦ୍ର ନାରାୟଣ ପାଲ୍‌ଙ୍କର ପ୍ରାୟ ୧୦ଦିନ ତଳେ ଅଣ୍ଟାରେ ରକା ପଶିଥିଲା। ସେ ଭଲରେ ଚାଲିବୁଲି ପାରୁନଥିଲେ। କିନ୍ତୁ ତିନି ଚାରିଦିନ ତଳେ ନିଶ୍ବାସ ପ୍ରଶ୍ବାସରେ ଟିକେ ସମସ୍ୟା ଦେଖାଦେଲା। ଭାବିଲେ ଛାତିକୁ ରକା ଚଢ଼ିଗଲା ବୋଧେ, ସେଥିପାଇଁ ଅସୁବିଧା ହେଉଛି। ଏହାପରେ କାଶ ହେଲା। କାଶ ବଢ଼ିବାରୁ ସେ ଚିକିତ୍ସା ପାଇଁ ସୋମବାର ସକାଳେ କିମ୍‌ସ ହସ୍ପିଟାଲକୁ ଗଲେ, କିନ୍ତୁ ସେଠାରେ ବେଡ୍‌ ନାହିଁ କହି ଫେରାଇଦେଲେ। କହିଲେ ଯେ ରୋଗୀ କରୋନା ଆକ୍ରାନ୍ତ ଭଳି ଜଣାପଡ଼ୁଛନ୍ତି ତାଙ୍କର କିଛି ରିପୋର୍ଟ ଅଛି କି? ରିପୋର୍ଟ ନଥିବାରୁ ଫେରାଇ ଦେଲେ।

ଏହାପରେ ସମ୍‌ ହସ୍ପିଟାଲକୁ ପରିବାର ଲୋକ ନେଇକି ଗଲେ। ସେଠାରେ ବି ସମାନ କଥା କହିଲେ। ଆଉ କହିଲେ ଯେ କରୋନା ରିପୋର୍ଟ ନଥିଲେ ଚିକିତ୍ସା ହୋଇପାରିବନି। କରୋନା ପରୀକ୍ଷା କରିବାକୁ କହିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ ଆମର ଏଠି ଏବେ ହେଉନି ତୁମେ ଆମ୍ରି ହସ୍ପିଟାଲ ନେଇଯାଅ। ଆକ୍ରାନ୍ତଙ୍କୁ ପରିବାରଲୋକ ସେଠାକୁ ନେଇକି ପରୀକ୍ଷା କଲେ। କିନ୍ତୁ ସେଠାରେ ରୋଗୀଙ୍କୁ ହସ୍ପିଟାଲରେ ବେଡ୍‌ ନାହିଁ କହି ଫେରାଇ ଦେଲେ। ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେଉଥିବାରୁ ପରିବାରଲୋକ ଟିକେ ଅକ୍ସିଜେନ୍ ଦେବାକୁ କହିଲେ। କିନ୍ତୁ କେହି ଦେଲେନି।

ଶେଷରେ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲକୁ ଆଣିଲେ। ସେଠାରେ ଅକ୍ସିଜେନ୍‌ ଲଗାଇ କୋଭିଡ୍‌ ପରୀକ୍ଷା କରାଗଲା। କିନ୍ତୁ ୧୫ ମିନିଟରେ ଶ୍ରୀ ପାଲ୍‌ଙ୍କର ଜୀବନ ଚାଲିଗଲା। ମୃତ୍ୟୁର କିଛି ସମୟ ପରେ କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ଆସିଲା। ପରିବାର ଲୋକ କହିଛନ୍ତି ଯେ କ୍ୟାପିଟାଲ ହସ୍ପିଟାଲରେ ଆମେ ଶେଷ ମୁହୂର୍ତ୍ତରେ ପହଞ୍ଚିଲୁ ସେଠାରେ ଆମକୁ ଚିକିତ୍ସା ମିଳିଲା। କିନ୍ତୁ ରାଜଧାନୀର ତିନିଟି ବଡ଼ ହସ୍ପିଟ‌ାଲ ଆମକୁ ଅକ୍ସିଜେନ୍‌ ଟିକେ ଦେଲେନି। ଯଦି ଅକ୍ସିଜେନ୍ ଦେଇଥାନ୍ତେ ହୁଏତ ସେ ବଞ୍ଚିଯାଇଥା’ନ୍ତେ।

ସମ୍ବନ୍ଧିତ ଖବର