ପୁରୁଣା ଭୁବନେଶ୍ବର: ଦଶହରାରେ ଶବ୍ଦ ପ୍ରଦୂଷଣ ମାମଲାରେ ସୀମା ଭିତରେ ରହିବାକୁ ପୁଲିସ ସତର୍କ କରିଥିଲା, ଅନେକ ପୂଜା କମିଟି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଭସାଣି ଉତ୍ସବରେ ଡିଜେ କମ୍ପିଲା ଯଥାରୀତି। ଶୋଭାଯାତ୍ରା ଆରମ୍ଭରେ ଶବ୍ଦ ଗ୍ରହଣୀୟ ହେଲାଭଳି କମ୍‌ ଥିବାବେଳେ ଶୋଭାଯାତ୍ରା ଆଗକୁ ବଢ଼ିବାପରେ ଡିଜେଗୁଡ଼ିକ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଗଲା ଓ ତୀବ୍ରତା ସୀମା ଲଂଘିଲା। ଏଭଳି ରାଜଧାନୀର ଏକାଧିକ ସ୍ଥାନରେ ଘଟିଥିଲେ ହେଁ ପୁରୁଣା ଭୁବନେଶ୍ବରରୁ ସବୁଠାରୁ ଅଧିକ ଅଭିଯୋଗ ଆସିଛି। ଭସାଣି ସମୟରେ ତୀବ୍ର ଡିଜେ ଶବ୍ଦରେ ପୁରୁଣା ଭୁବନେଶ୍ବରର ଜଣେ ବୃଦ୍ଧଙ୍କ ହୃଦ୍‌ଘାତ ହୋଇଥିବାବେଳେ ଏକାଧିକ ବୟସ୍କ ଲୋକ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଅନ୍ୟ ଅନେକ ଲୋକ ମଧ୍ୟ ତୀବ୍ର ଡିଜେ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟରେ ଅପିଲ କରିବାଲାଗି ମଧ୍ୟ କିଛି ଲୋକ ଚେତାବନୀ ଦେଇଛନ୍ତି।

Advertisment

ନିୟମ ଅନୁଯାୟୀ, ଶବ୍ଦବର୍ଦ୍ଧକ ଦ୍ବାରା ଅତି ଉଚ୍ଚ ଶବ୍ଦ ସୃଷ୍ଟିକରୁଥିବା ସଙ୍ଗୀତ ଯନ୍ତ୍ରାଂଶ, ସାଉଣ୍ଡ ବକ୍ସ ତଥା ଡିଜେଗୁଡ଼ିକରେ ଶବ୍ଦ ନିୟନ୍ତ୍ରକ ଲଗାଇବା ନିୟମ ରହିଛି, ଯେମିତିକି ଆମ୍ପ୍ଲିଫାୟାରରୁ ସୃଷ୍ଟି ହେଉଥିବା ଶବ୍ଦର ତୀବ୍ରତା ୬୫ ଡେସିବଲ୍‌କୁ ଅତିକ୍ରମ କରିବନି। ୧୨୫ ଡେସିବଲ୍‌ରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ‌ଡିଜେ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଏ ନିୟମର କୌଣସି ପ୍ରକାର ଖିଲାପ ହେଲେ ଓଡ଼ିଶା (ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରବିଧାନ) ଆଇନ-୧୯୫୮ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ-୨୦୦୦ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଚଳିତବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ଏଭଳି ନିୟମ ଜାରି କରିଥିଲେ। ଏ ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ ସମ୍ପୃକ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନିକଟରେ କରାଯାଇପାରିବ ବୋଲି ବୋର୍ଡ ପକ୍ଷରୁ ଜାରି ନିୟମାବଳୀ‌ରେ ସ୍ପଷ୍ଟ କରାଯାଇଥିଲା।

କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ଏହି ନିୟମ ପାଳନ କରିବାକୁ ପୂଜା କମିଟିଗୁଡ଼ିକୁ କୁହାଯାଇଥିଲା। ଡିଜେର ଶବ୍ଦ ୬୫ ଡେସିବଲ୍‌ରୁ ନବଢ଼ାଇବାଲାଗି ସ୍ପଷ୍ଟ କୁହାଯାଇଥିଲା। ହେଲେ ଭସାଣିରେ ଏହା କାର୍ଯ୍ୟକାରୀ ହେଲାନାହିଁ। ବିଶେଷ କରି ପୁରୁଣା ଭୁବନେଶ୍ବରରେ ଏହି ନିୟମ ଫୁଃ ହୋଇଗଲା। ପୁରୁଣା ଭୁବନେଶ୍ବର ରଥଦାଣ୍ଡରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ବିଭାଗରେ କାର୍ଯ୍ୟ କରୁଥିବା ସୁକାନ୍ତ ପଣ୍ଡାଙ୍କ ବାପା ବିଜୟ ରାମ ପଣ୍ଡା ଡିଜେ ଶବ୍ଦରେ ହୃଦଘାତର ଶିକାର ହେଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ତାଙ୍କୁ ଏବେ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେହିପରି ସମାନ କାରଣରୁ ଏକାଧିକ ଲୋକ ଅସୁସ୍ଥ ‌ହୋଇ ପଡ଼ିଛନ୍ତି। ସେଠାରେ ଡିଜେ ଶବ୍ଦର ତୀବ୍ରତା ଏତେ ଥିଲା ଯେ ରାସ୍ତାକଡ଼ ଦୋକାନଗୁଡ଼ିକର ଥାକରୁ ମଧ୍ୟ ଜିନିଷପତ୍ର ତଳେ ପଡ଼ି ଯାଇଥିବା ଦେଖିବା ଲୋକେ କହୁଛନ୍ତି। ପୁରୁଣା ଭୁବନେଶ୍ବରରେ ଡିଜେ ଶଦ୍ଦର ଯାଞ୍ଚ ତ ହୋଇ ନଥିଲା, ଅଭିଯୋଗ ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା।

ଏ ପ୍ରସଙ୍ଗରେ ସ୍ଥାନୀୟ ଯୁବକ ଅମରେନ୍ଦ୍ର ଗରାବଡ଼ୁ କହନ୍ତି, ‘‘ଅଦାଲତଙ୍କ ନିୟମକୁ ବେଖାତିର କରି ଡିଜେ ବାଜୁଛି। ଏଣୁ ପୁଣି ଆମେ ଅପିଲ କରିବୁ।’’ ବ୍ୟବସାୟୀ କାର୍ତ୍ତିକ ସଂଘିତ୍ରା କହିଲେ, ‘‘ପୁରୁଣା ଭୁବନେଶ୍ବରରେ ପୁଲିସ ସବୁ ଦେଖି ଚୁପ୍‌ ରହିଲା। ଶବ୍ଦ ଯୋଗୁ ଦୋକାନ ସାମଗ୍ରୀ ମଧ୍ୟ ତଳେ ପଡ଼ିଗଲା। ଫଳରେ ଭ‌ସାଣିରେ ଉତ୍ତେଜନା ପ୍ରକାଶ ପାଇଥିଲା।’’ ସେହିପରି ଜଣେ ବରିଷ୍ଠ ନାଗରିକ ବୈକୁଣ୍ଠ ନାଥ ଦାଶ କହନ୍ତି, ‘‘ଡିଜେ ଦ୍ବାରା ହୃଦ୍‌ଘାତର ଭୟ ଥିବାରୁ ଭସାଣି ଦେଖିବାକୁ ଆମେ ଯାଇନାହୁଁ।’’ ସେହିପରି ‘ଆମ ସ୍ବର’ର ସଂଗଠକ ଦେବ ପ୍ରସାଦ ପରିଜା କହନ୍ତି, ‘‘କିଛି ବର୍ଷ ତଳେ କମିସନରେଟ୍‌ ପୁଲିସ ପକ୍ଷରୁ ଡିଜେର ଶବ୍ଦ ଯାଞ୍ଚ କରିବା ପରେ ଅନୁମତି ଦିଆଯାଉଥିଲା। ଫଳରେ ଶବ୍ଦ ସୀମା ଭିତରେ ରହୁଥିଲା।

ମାତ୍ର ଏବେ ତାହା ହେଉ ନଥିବାରୁ ଶବ୍ଦ ନିୟନ୍ତ୍ରଣ ଭିତରେ ରହୁନାହିଁ। ଭସାଣିରେ ମଦ୍ୟପାନ କରୁଥିବା ଯୁବକମାନେ ଡିଜେ ଶବ୍ଦ ବଢ଼ାଇବାକୁ ବାଧ୍ୟ କରୁଛନ୍ତି। ସେଥିପାଇଁ ଶବ୍ଦ ପ୍ରଦୂଷଣ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଡିଜେକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରମ୍ପରିକ ବାଦ୍ୟ ବ୍ୟବହାର ହେଉ।’’ ଜଣେ ସେବାୟତ ଗଜେନ୍ଦ୍ର ପଣ୍ଡା ଏକ ପୁରୁଣା କଥା ମନେ ପକାଇ କହିଲେ, ତାଙ୍କ ପୁଅର ବାହାଘରରେ ଡିଜେ ବାଜିବା ଯୋଗୁ ବ୍ରାହ୍ମଣ ଯିବାକୁ ମନାକରିଥିଲେ। ହୃଦ୍‌ରୋଗ ଡାକ୍ତର ଦୀପକ ଦାସ କହନ୍ତି, ‘‘ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡ଼ାକବାଜି ଯନ୍ତ୍ର, ଶବ୍ଦବର୍ଦ୍ଧକ ବ୍ୟବହାର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି। ହୃଦ୍‌ଘାତ ଆଶଙ୍କାରେ ଥିବା ଲୋକ ଏଥିରୁ ଦୂରରେ ନରହିଲେ ବଡ଼ କ୍ଷତିର ଆଶଙ୍କା ରହିଛି।’’ ତେବେ ଏନେଇ ଡିଜେ ମାଲକି ସଂଘ ପକ୍ଷରୁ ଜଗଦୀଶ ମହାରଣା କହିଲେ, ‘‘ସମସ୍ତେ ନୁହେଁ, ଅନୁମତି ପାଇ ନଥିବା କେତେକ ଡିଜେ ମାଲିକ ହିଁ ଏପରି କରିଛନ୍ତି।’’