ସରସ୍ବତୀ ବସ୍ତିରେ ଶବ ଗୁଜବ: ‘ଦୃଶ୍ୟମ୍‌’ ଚଳଚ୍ଚିତ୍ର ଭଳି ନାଟକୀୟ ପରିସମାପ୍ତି

ମାଟି ତଳୁ ବାହାରିଲା ମଲା କୁକୁର ଓ କୁକୁଡ଼ା

ଚନ୍ଦ୍ରଶେଖରପୁର: ଗତ ଦୁଇ ଦିନ ହେଲା ମାଟି ତଳୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା। ଫଳରେ ସରସ୍ବତୀ ବସ୍ତିରେ ନାକ ଫାଟି ପଡ଼ିଥିଲା। ହଠାତ୍ ଏକ ଗୁଜବ ସୃଷ୍ଟି ହେଲା କି ଏକ ହତ୍ୟାକାଣ୍ଡକୁ ଲୁଚାଇବାକୁ ଯାଇ ଶବକୁ ସେଠାରେ ପୋତି ଦିଆଯାଇଛି। କାନକୁ କାନ ହୋଇ କଥା ଗଣମାଧ୍ୟମରେ ପ୍ରସାରିତ ହେଲା। କିନ୍ତୁ ଆଜି ପୁଲିସ ଏହି ସ୍ଥ‌ାନକୁ ଖୋଳିବା ମାଟି ତଳୁ ପୁଲିସକୁ ଗୋଟିଏ ପୋ‌ଷା କୁକୁରର ମୃତଦେହ ଓ ଅନ୍ୟ ଏକ ସ୍ଥାନରୁ କିଛି ମଲା କୁକୁଡ଼ା ମିଳିଛି। ଅଜୟ ଦେବଗନ୍‌ଙ୍କ ବହୁଚର୍ଚ୍ଚିତ ବଲିଉଡ୍‌ ସିନେମା ‘ଦୃଶ୍ୟମ୍‌’ ଭଳି ଶେଷରେ ଏହି ଗୁଜବର ନାଟକୀୟ ପରିସମାପ୍ତି ଘଟିଛି। ଗତ ଦୁଇ ଦିନ ହେଲା ଏହି ବସ୍ତିରେ ଘୂରି ବୁଲୁଥିବା ଚାପା ଗୁଞ୍ଜରଣ ପବନରେ ମିଳେଇ ଯାଇଥିବାବେଳେ ଉତ୍ତେଜନା ମଧ୍ୟ ସ୍ବତଃ ଥମି ଯାଇଛି।

ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର କନ୍ୟାଶ୍ରମ ନିକଟ ସରସ୍ବତୀ ବସ୍ତି ନିକଟରେ ଏକ ମଣିଷର ଶବ ପୋତା ହୋଇଥିବା ଖବର ପାଇ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜେସିବି ମେସିନ୍‌ ଲଗାଇ ଉକ୍ତ ସନ୍ଦେହଜନକ ସ୍ଥାନଦ୍ବୟକୁ ଖୋଳାଇଥିଲା। ପୁଲିସ ମାଟି ଖୋଳାଇବା କଥା ପୂର୍ବରୁ ଜଣାଥିବାରୁ ବସ୍ତିର ଶହ ଶହ ବାସିନ୍ଦାଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମର ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତେ ସେଠାରେ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଏକ ନିଶ୍ଚିତ ହତ୍ୟାକାଣ୍ଡ ବାବଦରେ ଜଣାପଡ଼ିବ ବୋଲି ମଧ୍ୟ ସେଠାରେ ଆଲୋଚନା ଚାଲିଥିଲା। ମାତ୍ର ମାଟି ତଳୁ ଗୋଟିଏ ସ୍ଥାନରୁ ଏକ ପୋଷା କୁକୁରର ଶବ ଓ ଅନ୍ୟ ଏକ ସ୍ଥାନରୁ କିଛି ମଲା କୁକୁଡ଼ା ଦେଖିବାକୁ ମିଳିଥିଲା। ତେଣୁ ଲୋକଙ୍କ ସନ୍ଦେହ ଦୂର ହେବା ପରେ ଲୋକେ ଚୁପ୍‌ଚାପ ଘଟଣାସ୍ଥଳରୁ ପଳାଇଥିଲେ। ପୁଲିସ ମଧ୍ୟ ପୁଣି ଉକ୍ତ ସ୍ଥାନକୁ ପୋତି ଫେରି ଯାଇଥିଲା।

ଗୁଜବ ସୃଷ୍ଟି ହେଲା କେମିତି?
ସ୍ଥାନୀୟ ଜଣେ ମହିଳା ଏଠି ଶବ ପୋତା ଯାଇଛି ବୋଲି ପ୍ରଥମେ କିଛି ଲୋକଙ୍କୁ କହିଥିଲେ। ୮ ତାରିଖ ବିଳମ୍ବିତ ରାତିରେ ମହିଳାଜଣକ ସେଠାରେ ଏକ କାର୍‌ ଅଟକିଥିବା ଦେଖିଥିଲେ। କାର୍‌ରୁ ୨ ଜଣ ଯୁବକ ଓ ୨ଜଣ ଯୁବତୀ ଓହ୍ଲାଇ ଗାତ ଖୋଳିଥିଲେ। ତା’ ପରେ ଗାଡ଼ିରୁ ଏକ ଧଳାଲୁଗାରେ ଗୁଡ଼େଇ ଦିଆଯାଇଥିବା ଶବକୁ ବାହାର କରି ସେହି ଗାତରେ ପୋତିଥିଲେ। ମାଟି ଘୋଡ଼ାଇବା ପରେ ସେଠାରେ ଗେଣ୍ଡୁ ଫୁଲ ପକାଇଥିଲେ ଓ ଧୂପକାଠି ଜଳାଇଥିଲେ। ଫେରିବାବେଳେ ଯୁବତୀଦ୍ବୟ କାନ୍ଦୁଥିଲେ ବୋଲି ଉକ୍ତ ମହିଳା ଦେଖିଥିଲେ। ତେଣୁ ପରଦିନ ସକାଳୁ ସେ ପାଖ ପଡ଼ୋଶୀଙ୍କୁ ଏହା ଜଣାଇବା ପରେ ସେମାନେ ଗାତ ନିକଟକୁ ଯାଇ ସେଠାରେ ଦୁଇ ହଳ ଗ୍ଲୋବସ, ବ୍ଲିଚିଂ ଆଦି ପଡ଼ିଥିବା ଦେଖିଥିଲେ। ଯେତେବେଳେ ପ୍ରବଳ ଦୁର୍ଗନ୍ଧ ହେଲା, ସେତେବେଳେ ସେମାନଙ୍କ ସନ୍ଦେହ ଗୁଜବରେ ପରିଣତ ହୋଇ ଲୋକଙ୍କ ଭିତରେ ଖେଳେଇ ହୋଇଯାଇଥିଲା।

ସନ୍ଦେହ ବଢ଼ିଲା କାହିଁକି?
ହତ୍ୟା ସନ୍ଦେହର କାରଣ ହେଲା, କିଛି ବର୍ଷ ପୂର୍ବେ ମଞ୍ଚେଶ୍ବର ଥାନା ଧିରିକୁଟି ବସ୍ତିରେ ଜଣେ ଯୁବକଙ୍କୁ ହତ୍ୟା କରି ପୋତି ଦିଆଯାଇଥିଲା। ପରକୀୟା ପ୍ରୀତିରେ ପଡ଼ି ଜଣେ ମହିଳା, ପ୍ରେମିକ ସହ ମିଶି ଶୋଇଥିବା ଅବସ୍ଥାରେ ନିଜ ସ୍ବାମୀର ମୁଣ୍ଡକୁ ଢାଳରେ ପିଟିପିଟି ମାରି ଦେଇଥିଲା। ଏହାପରେ ମୃତଦେହକୁ ନିଜ ଝୁମ୍ପୁଡ଼ିଘର ଭିତରେ ଗାତ ଖୋଳି ପୋତିଦେଇଥି‌ଲା ଓ ପ୍ରେମିକ ସହ ଚମ୍ପଟ ମାରିଥିଲା। ଦୁଇ ତିନି ଦିନ ପରେ ବସ୍ତିରେ ଦୁର୍ଗନ୍ଧ ଖେଳେଇ ହେବା ପରେ ଘଟଣା ଜଣାପଡ଼ିଥିଲା। ପୁଲିସ ଝୁମ୍ପୁଡ଼ି ଘର ଚଟାଣ ଖୋଳି ମୃତଦେହ ଜବତ କରିଥିଲା ଓ ପରେ ପ୍ରେମିକ ସହ ମହିଳାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର