ଭୁବନେଶ୍ବର: ସ୍ବାଧୀନତାର ୭୨ ବର୍ଷ ପରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଏବେ ଉଚିତ ସମ୍ମାନ ମିଳିଛି ବୋଲି ପଟେଲ ଜୟନ୍ତୀ ଅବସରରେ ଆଜି ଏଠାରେ ଆୟୋଜିତ ‘ରନ୍ ଫର୍ ୟୁନିଟ୍’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ସକାଳେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଲେ, ଦେଶ ସ୍ବାଧୀନତା ହେବାର ଶ୍ରେୟ ଗୋଟିଏ ପରିବାରକୁ ଦେବାର ମାନସିକତା କାରଣରୁ ସର୍ଦ୍ଦାରଙ୍କୁ ଉଚିତ୍ ସ୍ଥାନ ମିଳି ନଥିଲା। ସର୍ଦ୍ଦାର ପଟେଲ ନ ଥିଲେ ବ୍ରିଟିସ୍ ଶାସନର ଡିଭାଇଡ୍ ଆଣ୍ଡ ରୁଲ୍ ଷଡ଼ଯନ୍ତ୍ରରେ ଭାରତ ଖଣ୍ଡଖଣ୍ଡ ହୋଇ ରହିଥାନ୍ତା। ପଟେଲଙ୍କ ଉଦ୍ୟମ ଯୋଗୁଁ ହିମାଳୟରୁ କନ୍ୟାକୁମାରୀ ଯାଏଁ ଭାରତ ଏକ ରାଷ୍ଟ୍ର ହୋଇପାରିଲା। ପଟେଲଙ୍କ ନେତୃତ୍ବରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାରେ ଓଡ଼ିଶାର ନୀଳଗିରି ଭାରତରେ ସାମିଲ ହୋଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ‘ରନ୍ ଫର୍ ୟୁନିଟ୍’ କାର୍ଯ୍ୟକ୍ରମରେ ବହୁ ଯୁବକ ଯୁବତୀ ସାମିଲ ହୋଇଥିଲେ।