ଭୁବନେଶ୍ବର : ବାତ୍ୟାରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ସହିଦନଗରସ୍ଥିତ ରୁପାଲି ହାଟର ପୁନରୁଦ୍ଧାର ହେବ। ୧୦ଦିନ ଭିତରେ ହାଟ ନୂଆ ରୂପ ପାଇବ। ଏଥିପାଇଁ ହିଣ୍ଡାଲ୍କୋ ସହାୟତାର ହାତ ବଢ଼ାଇଛି। ହିଣ୍ଡାଲକୋ ସିଏସ୍ଆର୍ କାର୍ଯ୍ୟରେ ଏହି ହାଟର ପୁନଃନିର୍ମାଣ କରିବାକୁ ରାଜି ହୋଇଛି। ବୁଧବାରଠାରୁ କାମ ଆରମ୍ଭ ହେବାକୁ ଥିବାବେଳେ ୧୦ଦିନ ଭିତରେ ରୁପାଲି ହାଟ ନୂଆ ରୂପ ପାଇବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ରୁପାଲି ହାଟରେ ୨୨୦ଟି ପିଣ୍ଡି ଥିବାବେଳେ ରାଜଧାନୀର ଏହା ଏକ ପ୍ରମୁଖ ହାଟ। ହେଲେ ମେ ୩ରେ ହୋଇଥିବା ବାତ୍ୟାରେ ହାଟ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ବ୍ୟବସାୟୀମାନେ ଖୋଲା ପିଣ୍ଡିରେ ବ୍ୟବସାୟ କରୁଥିବାବେଳେ ବିଏମ୍ସି ବି ନିକଟରେ ଏହାର ପୁନରୁଦ୍ଧାର କରିପାରିବନି ବୋଲି ଜଣାଇ ଦେଇଥିଲା। ଆଗକୁ ବର୍ଷା ଋତୁ ଆସୁଥିବାରୁ ହାଟର ବ୍ୟବସାୟୀ ଦୁର୍ଦ୍ଦଶାର ଶିକାର ହୋଇଥାନ୍ତେ। ଏହାକୁ ନଜରରେ ରଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟ ହିଣ୍ଡାଲକୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। କମ୍ପାନି କର୍ତ୍ତୃପକ୍ଷ ରାଜି ହେବା ପରେ ଆଜି ରୁପାଲି ହାଟର ପୁନରୁଦ୍ଧାର ପାଇଁ ହିଣ୍ଡାଲକୋ ତରଫରୁ ଅର୍ଦ୍ଧେନ୍ଦୁ ମହାପାତ୍ର ବିଏମ୍ସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ସହ ଆଲୋଚନା କରିଛନ୍ତି। ବିଏମ୍ସି କର୍ତ୍ତୃପକ୍ଷ ରାଜି ହୋଇଥିବାରୁ ଆସନ୍ତା ବୁଧବାରଠାରୁ ହାଟର ପୁନରୁଦ୍ଧାର କାମ ଆରମ୍ଭ େବାଲି ବିଏମ୍ସି ପକ୍ଷରୁ କୁହାଯାଇଛି। ହାଟରେ ଲୁହା ରେଲିଂ କରିବା ସହ ଟିଣ ଚଦର ପକାଇବା ଏବଂ ଏହାକୁ ଏକ ଭିନ୍ନ ରୂପ ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।