ଓଡ଼ିଆ ସିନେମାରେ ବର୍ଷା ଗୀତ : ‘ଆକାଶରେ କେତେ ବିଜୁଳି ଚମକେ…’ରୁ ‘ବର୍ଷା ହେବ ଛତା ନାହିଁ, ଓଢ଼ଣି ତଳକୁ ଆ…’

‘ନେଇ ଯା’ରେ ମେଘ ମୋତେ…ଦେ ଛାଡ଼ି ସେଇ ଦେଶେ…ମୋ ପ୍ରିୟ ପାଶେ……।’ ଏହି ପ୍ରଥମ ଦୁଇ ପଦ ହିଁ ମେଘକୁ ନେଇ ଜଣେ ପ୍ରେମିକାର ବିଭୋରପଣକୁ  ବ୍ୟକ୍ତ କରୁଛି। ମେଘକୁ ମାଧ୍ୟମ କରି ହିଁ ତା’ର ପ୍ରିୟ ଲୋକ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ପ୍ରେମିକାଟିଏ। ୧୯୭୮ ମସିହାରେ ‘ବଳିଦାନ’ ଚଳଚ୍ଚିତ୍ରର ଏହି କାଳଜୟୀ ଗୀତଟିକୁ ସୃଷ୍ଟି କରିଥିଲେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ୪୦ ବର୍ଷ ପରେ ବି ଏହି ଗୀତ ସେମିତି ଭିଜାଉଛି ଓଡ଼ିଆ ଶ୍ରୋତାଙ୍କୁ। ଓଡ଼ିଆ ଚଳଚ୍ଚିତ୍ରରେ ବର୍ଷାକୁ ନେଇ ଅନେକ ଗୀତ ସୃଷ୍ଟି ହୋଇଛି। କେତେବେଳେ ବର୍ଷା ମିଳନର ଗାଥା ଗାଇଛି ତ କେତେବେଳେ ବିରହର। ପୁଣି ଶବ୍ଦ ଓ ସ୍ୱରର ଚାତୁରିରେ ରୋମାଣ୍ଟିକ୍‌ ଦୁନିଆକୁ ନେଇ ଯାଇଛି ଅଗଣିତ ଶ୍ରୋତାଙ୍କୁ। ୫୯ ବର୍ଷ ପୂର୍ବେ ଓଲିଉଡ୍‌ରେ ଚାଲିଥିବା ବର୍ଷା ଗୀତର ଧାରା ଏବେ ବି ଜାରି ରହିଛି। ୧୯୫୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀଶ୍ରୀ ମହାଲକ୍ଷ୍ମୀ ପୂଜା’ର ‘ଆକାଶରେ କେତେ ବିଜୁଳି ଚମକେ…’ ଗୀତ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ବର୍ଷା ଗୀତ ବୋଲି କୁହାଯାଏ। ଏହାର ତିନି ବର୍ଷ ପରେ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରରେ ‘ବାରିଦ ରେ ତୁ ଯା ନା….’ ନାମକ ଆଉ ଏକ ଗୀତ ପ୍ରସ୍ତୁତ କରିଥିଲେ ଶାରଦା ନାୟକ। ଏହା ପରେ ବର୍ଷା ଗୀତର ସ୍ଥିତି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସୁଦୃଢ଼ ହେବା ସହ ସେବେଠାରୁ ଏହି ଧାରା ଚାଲୁ ରହିଛି।

‘ଶେଷ ଶ୍ରାବଣ’ ଚଳଚ୍ଚିତ୍ରର ‘ମେଘ ବରଷିଲା ଟୁପୁରୁ ଟୁପୁରୁ’ ଓ ‘ହାଏରେ ହାଏ ଗରଜେ ମେଘ ଘୁମ୍‌ଘୁମ୍‌’ ଗୀତ ଦୁଇଟି ଓଡ଼ିଆ ବର୍ଷା ଗୀତଧାରାର ମାଇଲଖୁଣ୍ଟ ହୋଇ ରହିଯାଇଛି। ସେମିତି ‘ଅରୁନ୍ଧତୀ’ ଚଳଚ୍ଚିତ୍ରର ‘ମୟୂରୀ ଗୋ ତୁମ ଆକାଶେ…ମୁଁ ଦିନେ ମହ୍ଲାରେ ମେଘ ସାଜିଲି’ ଗୀତଟି ଆଉ ଏକ କାଳଜୟୀ ସୃଷ୍ଟି। ‘କି ହେବ ଶୁଆ ପୋଷିଲେ’ ଚଳଚ୍ଚିତ୍ରର ‘ବର୍ଷା ପଡ଼ିଲାଣି କେମିତି ଯିବା…’ ଓ ‘ସାକ୍ଷୀ ରହିବ ଏ ଶଙ୍ଖାସିନ୍ଦୂର’ ଚଳଚ୍ଚିତ୍ରର ‘ବର୍ଷା କମି ନ ଯାଉ, ପ୍ରେମ ଥମି ନ ଯାଉ’ ଶ୍ରୋତାଙ୍କୁ ରୋମାଣ୍ଟିକ୍‌ ଦୁନିଆକୁ ନେଇଯାଏ। ପ୍ରେମୀଯୁଗଳଙ୍କ ପାଇଁ ଏହି ଦୁଇଟି ଗୀତ ବର୍ଷାକୁ ମନଭରି ଉପଭୋଗ କରିବାକୁ ଏକ ସୁଯୋଗ ଦିଏ। ବର୍ଷାକୁ ନେଇ ଓଡ଼ିଆ ଗୀତର ତାଲିକା ଲମ୍ବା ନ ହେଲେ ବି କିଛି ମନ୍ଦ ନୁହେଁ। ଏହା ମଧ୍ୟରେ ଅଛି ବର୍ଷା ମାଇଁ ଡାର୍ଲିଂ…(ବର୍ଷା ମାଇଁ ଡାର୍ଲିଂ), ବର୍ଷାର ମଜା ବର୍ଷାର ଭିଜା…(କଥା କହିବ ମୋ ମଥା ସିନ୍ଦୂର), ବର୍ଷା ବର୍ଷା ମାଇଁ ଲଭ୍‌ ବର୍ଷା…(ଗପ ହେଲେ ବି ସତ), ରିମ୍‌ଝିମ୍‌ ରିମ୍‌ଝିମ୍‌ ବର୍ଷା…(ପାଗଳ କରିଚି ପାଉଁଜି ତୋର), ମେଘରୁ ତୁ ଝରିଲୁ…(ପ୍ରେମ ଅଢ଼େଇ ଅକ୍ଷର), ଜ୍ୟୋତ୍ସ୍ନାରେ ଭିଜିଥିଲେ…(ମୋ ମନ ଖାଲି ତୋରି ପାଇଁ), ଟିପ୍‌ଟିପ୍‌ ଟିପ୍‌ଟିପ୍‌ ବର୍ଷା ପଡ଼େ…(କାଳୀଶଙ୍କର), ବର୍ଷା ହେବ ଛତା ନାହିଁ, ଓଢ଼ଣି ତଳକୁ ଆ…(ଲଭ୍‌ ଡଟ୍‌ କମ୍‌)।

ସମ୍ବନ୍ଧିତ ଖବର