ବନ୍ଧା ହେଲା ମ୍ୟା‌କ୍ସି ପିନ୍ଧା ରୂପେଶ

ଲୁଟ୍‌ ପାଇଁ ଘରେ ପଶି କରିଥିଲା ଆକ୍ରମଣ, ସହଯୋଗୀ ସଞ୍ଜୟ ବି ଗିରଫ

ଚନ୍ଦ୍ରଶେଖରପୁର : ବହୁ ସୁନ୍ଦର ମନଗଢ଼ା କାହାଣୀ ଶୁଣାଇ ଶୁଣାଇ ପୁଲିସକୁ ଦୁଇ ଦିନ କା‌ଳ ପାଣି ପିଆଇଲା ଅଭିଯୁକ୍ତ ରୂପେଶ ପଣ୍ଡା। କିନ୍ତୁ ପୁଲିସ ତଦନ୍ତକୁ ବେଶି ସମୟ ବାଟବଣା କରିପାରିଲାନାହିଁ। ପଡ଼ୋଶୀ ଘରେ ବିପୁଳ ସୁନାଗହଣା ଓ ନଗଦ ଟଙ୍କା ଥିବା ଜାଣି ସାଙ୍ଗ ସଞ୍ଜୟ ପଣ୍ଡା ସହ ମିଶି ଲୁଟ୍‌ କରିବାକୁ ସୁଚିନ୍ତିତ ଯୋଜନା କରିଥିଲା ବୋଲି ଶେଷରେ ମାନିଗଲା। ମ୍ୟାକ୍ସି ପିନ୍ଧି ଯୁବତୀ ବେଶରେ ପଡ଼ୋଶୀ ପ୍ରଫେସରଙ୍କ ଘରୁ ଲୁଟ୍‌ କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ରୂପେଶ ଓ ତା’ ସାଙ୍ଗ ସଞ୍ଜୟକୁ କୋର୍ଟ ଚାଲାଣ କରିବା ଅବସରରେ ପୁଲିସ ଏହି ସୂଚନା ଦେଇଛି।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ସୂଚନାନୁସାରେ; ରୂପେଶକୁ ହସ୍ପିଟାଲରୁ ଆଣିବା ପରେ ଘନଘନ ଜେରା କରାଯାଇଥିଲା। କିନ୍ତୁ ପୂର୍ବରୁ ପ୍ରସ୍ତୁତ କରିଥିବା ଅପହରଣ କାହାଣୀକୁ ସେ ବାରମ୍ବାର ଦୋହରାଇଥିଲା। ତେଣୁ ତଦନ୍ତକାରୀ ଟିମ୍‌ ତାକୁ ନୀଳାଦ୍ରିବିହାରର ବିଭିନ୍ନ ଅଞ୍ଚଳ ବୁଲାଇ ବୁଲାଇ ଅପହରଣ ପ୍ରସଙ୍ଗରେ ଜେରା କରିଥିଲା। ଫଳରେ ରୂପେଶର ମନଗଢ଼ା ଅପହରଣ କାହାଣୀ ଅଧିକ ସମୟ ତିଷ୍ଠି ପାରିନଥିଲା। ବାଧ୍ୟ ହୋଇ ସେ ସବୁ ସତ ଉଗାରି ପକାଇଥିଲା। ଏହି ଅଭିନବ ଲୁଟ୍‌ ଉଦ୍ୟମ ପଛରେ ତା’ ସହିତ ବନ୍ଧୁ ସଞ୍ଜୟ ପଣ୍ଡା ବି ରହିଛି ବୋଲି କହିପକାଇଥିଲା। ତେଣୁ ପୁଲିସ ନୂଆପଲ୍ଲୀରୁ ସଞ୍ଜୟକୁ ଉଠାଇଥିଲା। ଏହା ପରେ ସଞ୍ଜୟ ବି ସବୁ ମାନିଯାଇଥିଲା। ଅବସରପ୍ରାପ୍ତ ପ୍ରଫେସର ସୁରେଶ ମିଶ୍ରାଙ୍କ ଝିଅର ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା ଏବଂ ସେ ଘରେ ପ୍ରଚୁର ସୁନାଗହଣା ଓ ନଗଦ ଟଙ୍କା ରଖିଥିବା ଜାଣି ସେମାନେ ଏହି ଲୁଟ୍‌ ଉଦ୍ୟମ କରିଥିଲେ। ମାତ୍ର ପ୍ରଫେସର ମିଶ୍ରାଙ୍କ ଝିଅ ଅନନ୍ୟାର ସାହସ ସବୁ ବିଗାଡ଼ି ଦେଲା। ପାଲଟା ଆକ୍ରମଣରେ ମ୍ୟାକ୍ସିରେ ଯୁବତୀ ବେଶ ଧାରଣ କରିଥିବା ରୂପେଶ ରକ୍ତାକ୍ତ ହୋଇପଡ଼ିବା ପରେ ବାହାରେ ଅପେକ୍ଷା କରିଥିବା ସଞ୍ଜୟ ସ୍କୁଟି ଧରି ଚମ୍ପଟ ମାରିଥିଲା।

ଯୁବତୀ ବେଶ ଓଲଟା ଫଳ ଦେଲା!
ଅଭିନବ ଢଙ୍ଗରେ ଯୁବତୀ ବେଶରେ ଲୁଟ୍‌ କରିବାକୁ ରୂପେଶ ଓ ସଞ୍ଜୟ ‌ଯେଉଁ ଯୋଜନା କରିଥିଲେ, ତାହା ଶେଷରେ ଓଲଟା ଫଳ ଦେଲା। ଅତର୍କିତ ଭାବେ ଅନନ୍ୟା ପାଲଟା ଆକ୍ରମଣ କଲେ। ଜଣେ ଯୁବତୀ ଲୁଟେରା ସେମାନଙ୍କୁ ବଳେଇବ ନାହିଁ ବୋଲି ଅନନ୍ୟା ସାହସ କରି ତାକୁ କାବୁ କରିବାକୁ ଡେଇଁ ପଡ଼ିଥିଲେ। ଅଚାନକ ଆକ୍ରମଣରେ ହଡ଼ବଡ଼େଇ ଯାଇ ରୂପେଶ ତାଙ୍କ ପେଟକୁ ଲକ୍ଷ୍ୟ କରି ଛୁରି ଭୁସିଦେଲା। କିନ୍ତୁ ଅନନ୍ୟା କୌଶଳକ୍ରମେ ପାଖେଇ ଗଲେ ଓ ଛୁରି ତାଙ୍କ ଜଙ୍ଘରେ ବାଜିଲା। ତଥାପି ସେ ରୂପେଶ ହାତରୁ ଛୁରି ଛଡ଼ାଇ ତାକୁ ଭୁସି ପକାଇଲେ। ଅନନ୍ୟା ହାତରୁ ଖସିବା ବାଟ ନପାଇ ରୂପେଶ ସଂଜ୍ଞାହୀନ ବାହାନାରେ ଚଟାଣରେ ପଡ଼ିରହିଲା।

୧୦ ଦିନ ଆଗରୁ ପ୍ରସ୍ତୁତ ହୋଇଥିଲା ଯୋଜନା
ରୂପେଶ ଓ ସଞ୍ଜୟ ଏକ ଜଣାଶୁଣା ୱେବ୍‌ ଚ୍ୟାନେଲ୍‌ରେ କାମ କରନ୍ତି। ତେଣୁ ବିଭିନ୍ନ ତରିକାର ଲୁଟ୍‌ ବାବଦରେ ସେମାନଙ୍କୁ ଜଣାଥିଲା। ପୂର୍ବରୁ ପ୍ରତ୍ୟକ୍ଷ ଅଭିଜ୍ଞତା ନଥିଲେ ବି ସେମାନେ ଏହି ରିସ୍କ ନେଇଥିଲେ। ପ୍ରଫେସର ଘରେ ରହୁନଥିବା ସମୟରେ କେବଳ ବୃଦ୍ଧା ମା’ଙ୍କ ସହ ଝିଅ ଅନନ୍ୟା ରହୁଥିବାରୁ ସେମାନଙ୍କୁ ସହଜରେ କାବୁ କରି ଲୁଟିବା ପାଇଁ ସେମାନେ ବୁଦ୍ଧି ପାଞ୍ଚିଥିଲେ। ସେହିଭଳି ପୁଲିସକୁ ଭୁଆଁ ବୁଲାଇବା ପାଇଁ ରୂପେଶ ଯୁବତୀ ବେଶକୁ ବାଛିଥିଲେ। ଲୁଟ୍‌ ପରେ ପୁଲିସ ମହିଳା ଲୁଟେରା ପଛରେ ପଡ଼ିବ ଓ ସେମାନଙ୍କ ଆଡ଼କୁ କାହାର ନଜର ଆସିବ ନାହିଁ ବୋଲି ସେମାନେ ଭାବିଥିଲେ। ଶେଷରେ ଘଟଣାଟି ରହସ୍ୟ ହୋଇ ରହିଯିବ ବୋଲି ସେମାନେ ଧରିନେଇଥିଲେ। ତେଣୁ ୧୦ ଦିନ ଆଗରୁ ସେମାନେ ଯୋଜନା ତିଆରି କରିଥିଲେ। କ୍ୟାପିଟାଲ ହାଟରୁ ମ୍ୟାକ୍ସି, ପ୍ଲାଷ୍ଟିକ୍‌ ରଶି, ଛୁରି ଓ ଖେଳଣା ବନ୍ଧୁକ କିଣି ରଖିଥିଲେ। ଯୋଜନା‌ନୁସାରେ ଘଟଣା ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେମାନେ ଆସିଥିଲେ। ସିସିଟିଭିରୁ ବର୍ତ୍ତିବା ପାଇଁ ପ୍ରଫେସରଙ୍କ ଘରଠାରୁ କିଛି ଦୂରରେ ସ୍କୁଟି ରଖିଥିଲେ। ଚାଲିଚାଲି ପ୍ରଫେସରଙ୍କ ଘର ପର୍ଯ୍ୟନ୍ତ ଆସିଥିଲେ। ପ୍ରଥମେ ରୂପେଶ ଭିତରକୁ ଯାଇଥିଲା ଓ କିଛି ସମୟ ପରେ ସଞ୍ଜୟ ଯିବାର ଥିଲା।

ମା’ଝିଅଙ୍କୁ ସମ୍ବର୍ଦ୍ଧିତ କଲା ପୁଲିସ
ଏକ ବଡ଼ଧରଣର ଲୁଟ୍‌ ଯୋଜନାକୁ ବିଫଳ କରିଥିବାରୁ ପ୍ରଫେସର ମିଶ୍ରାଙ୍କ ସ୍ତ୍ରୀ ସ୍ମିତା ମିଶ୍ରା ଓ ଝିଅ ଅନନ୍ୟାଙ୍କୁ ଆଜି ଡିସିପି କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଉପସ୍ଥିତରେ ମା’ ଓ ଝିଅଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ମା’ ଓ ଝିଅଙ୍କୁ ଫୁଲମାଳ ପିନ୍ଧା‌ଇଛନ୍ତି।

ସମ୍ବନ୍ଧିତ ଖବର