ରୁସା ଭବନ ନାମକରଣ କାହିଁକି? ଓଡ଼ିଶାର ବରପୁତ୍ରଙ୍କ ନାମରେ କରିବାକୁ ଦାବି

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ଓଡ଼ିଆ ଭାଷାକୁ ଅଣଦେଖା ନେଇ ବିବାଦ ଥମିନି। ଭାଷାବିତ୍‌ଙ୍କଠାରୁ ଆରମ୍ଭ କରି ପୁରାତନ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକଳାପକୁ ସମାଲୋଚନା କରୁଛନ୍ତି। ତେବେ ରାତି ପାହିଲେ କ୍ୟାମ୍ପସକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବା ବେଳେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ବିଲଡିଂଗୁଡ଼ିକ ଓଡ଼ିଶାର ବରପୁତ୍ରଙ୍କ ନାମରେ ହୋଇଛି। ଏବେ ପ୍ରାୟ ୨୫ କୋଟି ଟଙ୍କା ବିନିମୟରେ କ୍ୟାମ୍ପସରେ ବିଶାଳ ପ୍ରଶାସନିକ ବିଲଡିଂ ନିର୍ମାଣ ଚାଲିଛି। ବିଲଡିଂର ନାମକରଣ ହୋଇଛି ‘ରୁସା ଭବନ’। ଓଡ଼ିଶାର ବରପୁତ୍ର, ଐତିହ୍ୟକୁ ପଛରେ ପକାଇ ଏଭଳି ନାମକରଣକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ରେ ବିଶ୍ବବିଦ୍ୟାଳୟକୁ ମିଳିଥିବା ଅର୍ଥରେ ଏହି ବିଲଡିଂ ନିର୍ମାଣ କରାଯାଉଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟର ଭାଗୀଦାରିତା ଯଥାକ୍ରମେ ୬୦:୪୦ ପ୍ରତିଶତ ରହିଛି। ବିଲଡିଂ ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଇଛନ୍ତି। ତେବେ ଯେଉଁ ସଂସ୍ଥା‌ ବିଲଡିଂ ପାଇଁ ଫଣ୍ଡିଂ କରିଛି, ତାହାର ନାମ ଅନୁଯାୟୀ ବିଲଡିଂର ନାମକରଣ ହୋଇଛି। ଏହାକୁ ନେଇ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି।

ସେମାନଙ୍କ କହିବା କଥା ହେଉଛି ଯେ ଓଡ଼ିଶା ଶିକ୍ଷାର ପ୍ରାଣକେନ୍ଦ୍ର ହେଉଛି ‘ବାଣୀବିହାର’। ସ୍ବାଧୀନତା ପୂର୍ବରୁ ରାଜ୍ୟର ଅନେକ ବରପୁତ୍ରଙ୍କ ଉଦ୍ୟମରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଯେଉଁଥିପାଇଁ ଛାତ୍ର ଓ ଛାତ୍ରୀ ହଷ୍ଟେଲଗୁଡ଼ିକର ନାମକରଣ ସମ୍ପୃକ୍ତ ବରପୁତ୍ରଙ୍କ ନାମରେ ହୋଇଥିଲା। ଯେପରିକି ଗୋପବନ୍ଧୁ ଛାତ୍ରାବାସ, ମଧୁସୂଦନ ଛାତ୍ରାବାସ, ଫକୀରମୋହନ ଛାତ୍ରାବାସ, ଗୋଦାବରୀଶ ଛାତ୍ରାବାସ, ଆଚାର୍ଯ୍ୟ ହରିହର ଛାତ୍ରାବାସ, ନୀଳକଣ୍ଠ ଛାତ୍ରବାସ, କୁନ୍ତଳା କୁମାରୀ ଛାତ୍ରୀନିବାସ, ରମାଦେବୀ ଛାତ୍ରୀନିବାସ, ସରଳା ଦେବୀ ଛାତ୍ରୀ ନିବାସ, ମାଳତୀ ଦେବୀ ଛାତ୍ରୀନିବାସ ଆଦି। ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରାଣକୃଷ୍ଣ ପରିଜାଙ୍କ ନାମରେ ପରିଜା ପାଠାଗାର ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ କ୍ରୀଡ଼ାଙ୍ଗନ ହୋଇଛି।

ତେବେ ଏହି ବିଶାଳ ପ୍ରାଶାସନିକ କୋଠାର ନାମକରଣ ଓଡ଼ିଶାର କୌଣସି ବରପୁତ୍ରଙ୍କ ନାମରେ କରାଗଲା ନାହିଁ କାହିଁକି? ରୁସା ଫଣ୍ଡ୍‌ରେ କ୍ୟାମ୍ପସରେ କେବଳ ଏହି ଗୋଟିଏ କୋଠା ନିର୍ମାଣ ହୋଇଛି କି? ଯଦି ଏମିତି ନାମକରଣ ରହିବ, ତେବେ ଭବିଷ୍ୟତରେ ଯେଉଁ ସଂସ୍ଥା ଅର୍ଥ ‌ଦେବ ତାଙ୍କ ନାମ ଅନୁଯାୟୀ ନାମକରଣ ଦାବି ଉଠିବ। ଯେମିତିକି ବିଲଡିଂ ନିର୍ମାଣ ପାଇଁ ୟୁଜିସି ଅର୍ଥ ଦେଲେ ‘ୟୁଜିସି ଭବନ’, ରାଜ୍ୟ ସରକାର ଅର୍ଥ ଦେଲେ ‘ରାଜ୍ୟ ସରକାର ଭବନ’, ବିଶ୍ବବ୍ୟାଙ୍କ ଅର୍ଥରେ ନିର୍ମାଣ ହେଉଥିବା କୋଠାକୁ ‘ବିଶ୍ବବ୍ୟାଙ୍କ ଭବନ’ ଆଦି କରାଯିବ କି? ନା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କାହାକୁ ସନ୍ତୁଷ୍ଟ କରିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର ଗୌରବ ଓ ଐତିହ୍ୟକୁ ନଷ୍ଟ କରି ଚାଲିଛନ୍ତି। ଏମିତି ନାମକରଣ ନ କରି ବିଶ୍ବବିଦ୍ୟାଳୟର ନାମ ଅନୁଯାୟୀ ‘ଉତ୍କଳ ପ୍ରାଶାସନିକ ଭବନ’ କରାଯିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି।

ଏଭଳି ନାମକରଣ ନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ପଟ୍ଟନାୟକଙ୍କୁ ଯୋଗ‌ାଯୋଗ କରାଯାଇଥିଲେ ମଧ୍ୟ ସେ ଉତ୍ତର ଦେଇ ନ ଥିଲେ। କୁଳସଚିବ ଦୟାନିଧି ନାୟକ ନାମକରଣ ପ୍ରସଙ୍ଗକୁ ହାଲୁକା ଭାବେ ନେଇଛନ୍ତି। ସେ କହିଛନ୍ତି ଯେ ରୁସା ଫଣ୍ଡିଂରୁ ବିଲଡିଂ କରାଯାଉଛି। ତେଣୁ ରୁସା ଭବନ ରଖାଯାଇଛି। ଆଉ କ’ଣ ପରିବର୍ତନ କରାଯିବ?

ସମ୍ବନ୍ଧିତ ଖବର