ଶବର ସାହିରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଆଇସିୟୁରେ ପୀଡ଼ିତା

୭୨ଘଣ୍ଟା ସ୍ଥିତି ଉପରେ ନଜର

କଟକ: ଶବରସାହି ଦୁଷ୍କର୍ମ ପୀଡ଼ିତା ଶିଶୁକୁ ଏବେ ଗୁରୁତର ଅବସ୍ଥାରେ ଏସ୍‌ସିବି ମେଡିକାଲର ଶିଶୁରୋଗ ଆଇସିୟୁରେ ଚିକିତ୍ସା କରାଯାଉଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ୭୨ ଘଣ୍ଟା ନିରୀକ୍ଷଣରେ ରଖାଯାଇଛି। ମଙ୍ଗଳବାର ସଂଧ୍ୟା ସାଢେ ୫ଟାରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରୁ ଏସ୍‌ସିବି ମେଡିକାଲ୍‌କୁ ପୀଡ଼ିତାକୁ ଅଣାଯାଇଥିଲା। ସେତେବେଳେ ଅବସ୍ଥା ଅତି ଗୁରୁତର ଥିବାରୁ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି କରାଯାଇଥିଲା। ରାତି ସାଢ଼େ ୮ଟାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରି ବିଭାଗ ଡାକ୍ତରମାନେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ। ରାତି ପ୍ରାୟ ୧୧ଟାରେ ତାକୁ ଆଇସିୟୁକୁ ନିଆଯାଇଥିଲା। ପୀଡ଼ିତା ନାବାଳିକାର ଚିକିତ୍ସା ପାଇଁ ମେଡିକାଲ୍‌ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ସ୍ତ୍ରୀ ଓ ପ୍ରସୂତି ବିଭାଗ, ସର୍ଜରି, ଆନାସ୍ଥେସିଆ, ଶିଶୁରୋଗ, ନେଫ୍ରୋଲୋଜି, କାର୍ଡିଓଲୋଜି ଏବଂ ଏଫ୍‌ଏମ୍‌ଟି ବିଭାଗର ଡାକ୍ତରମାନଙ୍କୁ ଏହି ଦଳରେ ସାମିଲ କରାଯାଇଛି। ପୀଡ଼ିତାର ସମସ୍ତ ପରୀକ୍ଷା ଓ ଚିକିତ୍ସାକୁ ସଂପୂର୍ଣ୍ଣ ମାଗଣା କରାଯାଇଛି। ପିଲାଦିନୁ ମାନସିକ ବିକାରଗ୍ରସ୍ତ ଥିବା ଉକ୍ତ ଶିଶୁକୁ ଫିଡ୍‌ସ ମଧ୍ୟ ମାରିଥାଏ। ତେଣୁ ଆସନ୍ତା ୭୨ ଘଣ୍ଟା ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ୨୪ଘଣ୍ଟିଆ ଶିଶୁରୋଗ ବିଭାଗର ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଏସ୍‌ସିବି ମେଡିକାଲ୍‌ ପକ୍ଷରୁ କୁହାଯାଇଛି।

ନାବାଳକ ମାମୁ ହିଁ ଅଭିଯୁକ୍ତ
ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଧୀନ ଶବରସାହିରେ ଜଣେ ନାବାଳିକାଙ୍କୁ ହୋଇଥିବା ଦୁଷ୍କର୍ମ ଘଟଣାରେ ତାର ନାବାଳକ ମାମୁଁ ହିଁ ଅଭିଯୁକ୍ତ। ପୁଲିସ ନାବାଳକ ମାମୁଁକୁ ଅଟକ ରଖିବା ସହିତ କ୍ୟାପିଟାଲ ହସ୍ପିଟାଲ ନେଇ ଡାକ୍ତରୀମାଇନା କରାଇଛି। ଏବେ ନାବାଳକକୁ ଚାଇଲ୍ଡ ଲାଇନ୍‌ରେ ରଖାଯାଇଛି। ଗୁରୁବାର ଖୋର୍ଧା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବ। ପରେ ତାକୁ ବାଳ ସୁଧାର ଗୃହକୁ ପଠାଯିବାର ସମ୍ଭାବନା ରହିଛି ବୋଲି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତିଶ୍ରୀ ମହାନ୍ତି କହିଛନ୍ତି, ଆଜି ଏକ ନିର୍ଦିଷ୍ଟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କି ଏହା ଏକ ଗଣଦୁଷ୍କର୍ମ ବୋଲି। ଏପରିକି ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗରେ ବାଡ଼ି ଭର୍ତି କରାଯାଇଥିଲା ବୋଲି ପ୍ରକାଶ ପାଇଥିଲା। ଯାହାକି ସଂପୂର୍ଣ ଭାବେ ମିଥ୍ୟା। ଏଭଳି ଘଟଣା ଆଦୌ ଘଟିନାହିଁ। ନାବାଳିକାଙ୍କ ମା’ ଘରେ ନ ଥିବାର ସୁଯୋଗ ପାଇ ନାବାଳକ ମାମୁଁ ହିଁ ଏଭଳି କାଣ୍ଡ ଘଟାଇଛି। ତେବେ ପରିବାର ଲୋକ ଏ ନେଇ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି। ଲକ୍ଷ୍ମୀସାଗର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରୁ ଖବର ପାଇ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା। ପରେ ନାବାଳକ ମାମୁଁକୁ ମହିଷାଖାଲ ବସ୍ତିରୁ ଠାବ କରାଯାଇଥିଲା ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ, ବିଜେପି ଓ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି।

ସମ୍ବନ୍ଧିତ ଖବର