ସାବାସ୍‌ ଖୁଲଣା ସୁନ୍ଦରୀ

ଭୁବନେଶ୍ବର: ସେ ଯାଇଥିଲେ ଅବୈଧ ବିବାହକୁ ରୋକିବା ପାଇଁ। ଅଥଚ ତାଙ୍କୁ ଘରେ ତାଲା ପକାଇ ଦେବାକୁ ଉଦ୍ୟମ ହେଲା। ଠେଲା ପେଲା କରାଗଲା। ମୋବାଇଲ୍‌ ଛଡ଼ାଇ ନେବାକୁ ଧମକ ଦିଆଗଲା। ସେମାନେ ଥିଲେ ତିରିଶ, ଅପର ପକ୍ଷରେ ଖୁଲଣା ଥିଲେ ଏକୁଟିଆ। ତଥାପି ହାର୍‌ ମାନି ନଥିଲେ ଆଇସିଡିଏସ୍‌ (ଇଣ୍ଟିଗ୍ରେଟେଡ୍‌ ଚାଇଲ୍‌ଡ ଡେଭଲପମେଣ୍ଟ୍‌ ସର୍ଭିସ୍‌) ମହିଳା ସୁପରଭାଇଜର ଖୁଲଣା ସୁନ୍ଦରୀ। କହୁଣିଆ ମାରି, ବଳ ପ୍ରୟୋଗ କରି ଘର ଭିତରୁ ବାହାରି ଆସିଥିଲେ ସିନା, କିନ୍ତୁ ନାବାଳିକାକୁ ବାହା କରେଇ ନଦେବାକୁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ। ଅପରାହ୍‌ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ତାଙ୍କୁ କସରତ କରିବାକୁ ପଡ଼ିଥିଲା। ଗୁରୁବାର ବାହା ବେଦିରୁ ନାବାଳିକା ଉଦ୍ଧାର ହେବା କଥା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲେ ହେଁ, ୟା ଭିତରେ ଖୁଲଣାଙ୍କ ଭୂମିକା ଗୋଟିଏ ଧାଡ଼ିରେ ସୀମିତ ରହିଯାଇଥିଲା।

ଏନେଇ ଆଜି ଯେତେବେଳେ ଆମେ ତାଙ୍କୁ ଭେଟିଥିଲୁ ସେ ବଖାଣିଥିଲେ ପୂରା ଘଟଣା। ବାସ୍ତବରେ କାଲି ଯେଉଁ ଅଞ୍ଚଳରେ ଘଟଣାଟି ଘଟିଥିଲା ସେହି ଅଞ୍ଚଳର ଦାୟିତ୍ବରେ ଥିଲେ ଅନନ୍ୟା ଜେନା। ତେବେ ସେ ରସୁଲଗଡ଼ରେ ଏକ ବୈଠକର ଦାୟିତ୍ବରେ ଥିବାରୁ ସିଡିପିଓ ଏସ୍‌ ହୋତା ରସୁଲଗଡ଼ର ଦାୟିତ୍ବରେ ଥିବା ଖୁଲଣାଙ୍କୁ ଭରତପୁରସ୍ଥିତ ସେଇ ବାହାଘର ସ୍ଥଳକୁ ଯିବାକୁ ନିର୍ଦେଶ ଦେଇଥିଲେ। ନିର୍ଦେଶ ପାଇବା ପରେ ଖୁଲଣା ସେଠାରେ ପହଞ୍ଚି ଝିଅକୁ ୧୭ବର୍ଷ ହୋଇଥିବାରୁ ବାହାଘର ବନ୍ଦ କରିବାକୁ କହିଥିଲେ। କିନ୍ତୁ ଝିଅଘର ପରିବାର ଓ ବନ୍ଧୁବାନ୍ଧବ ଏହାକୁ ଗ୍ରହଣ କରିନଥିଲେ। ଖୁଲଣା ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଧୀରେଧୀରେ ସ୍ଥିତି ବିଗିଡ଼ିଗଲା। କିଛି ମହିଳା ଓ ଯୁବକ ତାଙ୍କ ଆଡ଼କୁ ମାଡ଼ି ଆସି କହିଲେ, ୟାକୁ ଆ‌ଗ ଧର। ତାଲା ପକାଅ। ଏମିତି କହି ଖୁଲଣାଙ୍କୁ ଘେରି ଯାଇଥିଲେ। ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ସାହସର ସହ ସେମାନଙ୍କୁ ମୁକାବିଲା କରି ନିଜକୁ ମୁକୁଳାଇବା ସହ ଝିଅର ବାହାଘର ବନ୍ଦ କରିବାକୁ ଲଢ଼ିଥିଲେ। କିଛି ଲୋକ ତାଙ୍କୁ ଆକ୍ରମଣ ପାଇଁ ଉଦ୍ୟତ ହେବାରୁ ସେଠିକାର କିଛି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ବି ତାଙ୍କୁ ଘେରି ଯାଇ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ଝିଅକୁ ଜ୍ବାଇଁ ସହ ପଠାଇ ଦେବାକୁ ଉଦ୍ୟମ ହୋଇଥିଲା। ତେବେ ଖୁଲଣା ଏମିତି ବାଣୀ ଶୁଣାଇଲେ ଯେ ଝିଅ-ଜ୍ବାଇଁ ବାଟରୁ ଫେରି ଆସି ବାହାଘର ସ୍ଥଳରେ ଦେଢ଼ ଘଣ୍ଟା ଭିତରେ ହାଜର ହୋଇଯାଇଥିଲେ। ପୁଲିସ୍‌, ସିଡିପିଓ, ଚାଇଲ୍‌ଡ ହେଲପ୍‌ଲାଇନ୍‌ର ସଦସ୍ୟମାନଙ୍କ ଉଦ୍ୟମରେ ନାବାଳିକାଙ୍କ ସମେତ କନ୍ଧମାଳର ୨୯ ବର୍ଷୀୟ ବରକୁ ଆଣି ଥାନାରେ କଥା ଫଇସଲା କରାଯାଇଥିଲା। ଖୁଲଣାଙ୍କ ଉଦ୍ୟମ ପାଇଁ ତାଙ୍କୁ ସମସ୍ତେ ସାବାସୀ ଦେଇଥିଲେ। ଖୁଲଣାଙ୍କ ପୂରା ନାଁ ହେଉଛି ଖୁଲଣା ସୁନ୍ଦରୀ ଦେଇ। ଘର ପୁରୀ ଜିଲ୍ଲା କାକଟପୁରରେ। ୧୯୯୧ରୁ ଚାକିରିରେ ଯୋଗ ଦେଇଥିବା ଖୁଲଣା ୫୧ ବର୍ଷରେ ଉପନୀତ ହୋଇଥିଲେ ହେଁ, ବିବାହ କରିନାହାନ୍ତି। ଯେଉଁଠି ବି ଅନ୍ୟାୟ ଦେଖନ୍ତି ପ୍ରତିବାଦ କରନ୍ତି। କିଡ୍‌ନି, ଡାଇବେଟିସ୍‌, ମେରୁଦଣ୍ଡ, ଉଚ୍ଚ ରକ୍ତଚାପ, ଅଲ୍‌ସର ଭଳି ରୋଗ ତାଙ୍କୁ ଶାରୀରିକ ସ୍ତରରେ ଦୁର୍ବଳ କରିଦେଇଛି ସତ, କିନ୍ତୁ ଅନ୍ୟାୟ ଦେଖିଲେ ଯେମିତି ତାଙ୍କ ଦେହରେ ଶତ ସିଂହର ବଳ ପଶିଯାଏ…

ସମ୍ବନ୍ଧିତ ଖବର