ସାବିତ୍ରୀ ବଜାର ହାଲ୍‌, ଫଳ ଦୋକାନୀ ମାଲେମାଲ୍

ଲୁଚାଚୋରାରେ ଶାଢ଼ି ବେପାର, ମନ୍ଦିର ଆଗରେ ପଇଁତରା ମାରିବ ପୁଲିସ

ଭୁବନେଶ୍ବର: ସାବିତ୍ରୀ ବ୍ରତ ପାଇଁ ଆଜି ରାଜଧାନୀ ହାଟ ବେଶ୍‌ ଚଳଚଞ୍ଚଳ ଥିଲା। ବିଶେଷକରି ଆଜି ଫଳ ବେପାରୀମାନେ ମାଲେମାଲ୍ ହୋଇଛନ୍ତି। ଲକ୍‌ଡାଉନ ଯୋଗୁଁ ୧୧ଟାରେ ବଜାର ବନ୍ଦ ହୋଇ ଯାଇଥିଲେ ବି ସେତିକି ସମୟ ବେଶ୍ ଭିଡ଼ ହୋଇଥିଲା। ପୁଲିସ ପ୍ରଶାସନ ମଧ୍ୟ ଟିକିଏ କୋହଳ ହୋଇଥିବା ଜଣାପଡ଼ୁଥିଲା। ଲାଗୁଥିଲା ଯେମିତି ଅଘୋଷିତ ଅନଲକ୍‌  କରିଛନ୍ତି ସରକାର। ଏମିତିକି ୧୧ଟା ପରେ ଅପରାହ୍ଣ ପର୍ଯ୍ୟନ୍ତ ଫଳ ଦୋକାନ ଲୁଚାଛପାରେ ଖୋଲା ଥିବା ଦେଖିବାକୁ ମିଳିଥିଲା। ସାବିତ୍ରୀ ଓଷା ପାଇଁ ଆଜି ଫଳ କିଣିବାକୁ ଆଜି ବହୁ ‌ସଂଖ୍ୟାରେ ଲୋକେ ବଜାରକୁ ଆସିଥିଲେ।

ଅନେକ ସ୍ଥାନରେ ଲୁଚାଚେରାରେ ଖୋଲିଥିବା ଲୁଗା ଦୋକାନରୁ ଶାଢ଼ି କିଣିଥିଲେ। କିନ୍ତୁ ମନପସନ୍ଦର ଶାଢ଼ି କିଣିନପାରି କାମ ଚଳେଇ ନେଇଥିଲେ। ତେବେ ଫଳ ଦୋକାନରୁ ଆମ୍ବ, ପଣସ, ସେଓ, ଅଙ୍ଗୁର, ଡାଳିମ୍ବ, ଖଜୁରି, ଲିଚୁ କୋଳି, ତାଳ ଭଳି ଫଳ କିଣିଥିଲେ। ଏଥିସହିତ ଫୁଟ୍‌ପାଥ୍‌ରୁ ଶଙ୍ଖା , ସିନ୍ଦୂର, ଅଳତା ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିଥିଲେ। ୧ନଂ ମାର୍କେଟ, କଳ୍ପନା ଛକ, ୪ନଂ ମାର୍କେଟରେ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳିଥିଲା। ସାମାଜିକ ଦୂରତା ନଥିବାରୁ ପୁଲିସ କିଛି ଦୋକାନୀମାନଙ୍କ ଠାରୁ ଜରିମାନା ଆଦାୟ କରିଥିଲା। ଫଳ ଦୋକାନୀମାନେ ସିନା ଜରିମାନା ଦେଇଥିଲେ, କିନ୍ତୁ ଦାମ୍‌ରେ ଗ୍ରାହକଙ୍କଠାରୁ କଷି ନେଇଥିଲେ। ଫଳ ମଧ୍ୟରେ ସେଓ କିଲୋ ୨୫୦ ଟଙ୍କା, ଅଙ୍ଗୁର କିଲୋ ୨୦୦ ଟଙ୍କା ହୋଇଯାଇଥିଲା।

ଲୁଚାଚୋରାରେ ଶାଢ଼ି ବେପାର

କରୋନା କଟକଣା ପାଇଁ ଲକ୍‌ଡାଉନ୍‌ ଲାଗୁ ହୋଇଥିବାରୁ ରାଜଧାନୀରେ ଶାଢ଼ି ଦୋକାନ ସବୁ ବନ୍ଦ ଥିଲା। କିନ୍ତୁ ଗଳିକନ୍ଦିରେ ଥିବା ଛୋଟ ଲୁଗା ଦୋକାନ ଓ କିଛି ପାଇକାରୀ ଦୋକାନ ଲୁଚାଚୋରାରେ ଶାଢ଼ି ବିକିଥିଲେ। ଏହି ସବୁ ଦୋକାନର ଆଗରେ ତାଲା ଝୁଲୁଥିବା ବେଳେ ପଛ ପଟେ କିନ୍ତୁ ଚାଲିଥିଲା କାରବାର। ପାଇକାରୀ ଦୋକାନ ପଛ ପଟ କବାଟ ଦେଇ ଗ୍ରାହକମାନଙ୍କୁ ଦୋକାନ ଭିତରକୁ ନେଇ ଶାଢ଼ି ବିକିବା ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ବହୁ ଲୋକ ଅନ୍‌ଲାଇନ୍‌ରେ ଶାଢ଼ି କିଣିଛନ୍ତି। ଫେସ୍‌ବୁକ୍ ଜରିଆରେ ମହିଳାମାନେ ଶାଢ଼ି ବେପାର କରିବା ଭାଇରାଲ କରିବା ପରେ ଗ୍ରାହକମାନେ ଫୋନ୍‌ ଯୋଗେ ଯୋଗାଯୋଗ କରି ଶାଢ଼ି କିଣିଛନ୍ତି। କିନ୍ତୁ ଯେଉଁମାନେ ଏହି ବ୍ୟବସ୍ଥାରେ ଅଭ୍ୟସ୍ତ ହୋଇନାହାନ୍ତି, ସେମାନେ ଆଜି ବଜାରକୁ ଶାଢ଼ି କିଣିବାକୁ ଆସି ଗଳିକନ୍ଦି ଖୋଜିଥିଲେ।

କରୋନା କଟକଣା କାରଣରୁ ବହୁ ଶାଢ଼ି ଦୋକାନ ବନ୍ଦ ଥିବା ବେଳେ କିଛି ସ୍ଥାନରେ ଦୋକାନୀମାନେ ଆଗରେ ସଟର ପକାଇ ପଛପଟେ ବିକ୍ରି କରୁଥିଲେ। ବଡ଼ କଥା ହେଉଛି ଗ୍ରାହକମାନେ ମଧ୍ୟ ଏହି କାରବାର ବାବଦରେ ଜାଣିଥିଲେ। ପୁଲିସ ଲାଠିମାଡ଼କୁ ଖାତିର ନକରି ଗ୍ରାହକମାନେ ଲୁଚାଚୋରାରେ ଶାଢ଼ି କିଣିଥିଲେ। ଏକ ଲୁଗା ଗୋଦାମ ପାଖରେ ପୁଲିସ ଲାଠି ମାଡ଼ ଖ‌ାଇଥିବ‌ା ଜଣେ ଗ୍ରାହକ ଦୀନକୃଷ୍ଣ ମହାରଣାଙ୍କ କହିବା କଥା ଏ ବର୍ଷ ତାଙ୍କ ଝିଅର ପ୍ରଥମ ସାବିତ୍ରୀ ପୂଜା। ତେଣୁ ଶାଶୁଘରେ ଝିଅର ଓଷା ତ ଯେମିତି ହେଲେ ହେବ। ବିଧି ପରମ୍ପରା ଅନୁସାରେ ବାପା ଘରୁ ଭାରବେଭାର ଯିବ। ତେଣୁ କଷ୍ଟ ହେଉ ପଛେ ଝିଅ ପାଇଁ ଶାଢ଼ିଟିଏ କିଣି ପାରିଲି।

ମନ୍ଦିର ଆଗରେ ପଇଁତରା ମାରିବ ପୁଲିସ

ଭୁବନେଶ୍ବର: ଏଥର ମଧ୍ୟ ସାବିତ୍ରୀମାନଙ୍କୁ ନିରାଶ ହେବାକୁ ପଡ଼ିବ। ଲକଡାଉନ୍ କଟକଣା ପାଇଁ ସର୍ବସାଧାରଣଙ୍କ ମନ୍ଦିର ପ୍ରବେଶ ବନ୍ଦ ରହିଛି। ଆଉ ସାବିତ୍ରୀରେ ବ୍ରତଧାରୀ ମହିଳାମାନେ ମନ୍ଦିରକୁ ଯାଇ ପୂଜା କରିପାରିବେ ନାହିଁ। କିନ୍ତୁ କେତେକ ମନ୍ଦିର ନିକଟକୁ ଯିବାର ସମ୍ଭାବନା ରହିଛି। ମନ୍ଦିର ଆଗରେ ଭିଡ଼ ହେବା ଆଶଙ୍କା ଥିବାରୁ ସବୁ ଥାନା ଅଞ୍ଚଳରେ ଥିବା ମନ୍ଦିର ଆଗରେ ପୁଲିସ ପଇଁତରା ମାରିବ। ପିସିଆର ଭ୍ୟାନ୍ ସହ ଥାନା ଗାଡ଼ି ମଧ୍ୟ ପଇଁତରା ମାରିବ ବୋଲି ଜଣାପଡ଼ିଛି। ଯଦି କେଉଁଠି ଆଇନ ଉଲ୍ଲଂଘନ ହେଉଥିବା ନଜରକୁ ଆସେ ତା’ହେଲେ ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର