ସ୍ବାମୀଙ୍କ ମଙ୍ଗଳ ମନାସି‌ଲେ…

ଗୁରୁମା’ଙ୍କୁ ପୂଜିଲା କିନ୍ନର ସମ୍ପ୍ରଦାୟ

ଭୁବନେଶ୍ବର: ‘ବନ୍ଦଇ ଦେବ ନାରାୟଣ… ଅନାଦି ପରମ କାରଣ।। ଜଗତ ହିତେ ଦେହ ଧରି….. ଧରାରେ ଧର୍ମ ରକ୍ଷା କରି।। ସକଳ ବ୍ରତର କାରଣ .. ଶ୍ରୀକୃଷ୍ଣ ସ୍ବୟ˚ ଭଗବାନ।।’ ଏଭଳି କିଛି ପ˚କ୍ତି ଆଜି ଭାସି ଆସୁଥିଲା ସହରର ସବୁ ଗଳି କନ୍ଦିରୁ। ହୁଳହୁଳି ଶବ୍ଦରେ ମୁଖରିତ ହୋଇ ଉଠୁଥିଲା ହିନ୍ଦୁ ଘର। ଅବସର ଥିଲା ପବିତ୍ର ‘ସାବିତ୍ରୀ ଅମାବାସ୍ୟା’ର। ମଥାର ଝଟକୁ ଥିବା ନାଲି ରଙ୍ଗ ସିନ୍ଦୂର, ଚୁଡ଼ିର ରୁଣୁଝୁଣୁ ଶବ୍ଦ ଓ ରଙ୍ଗବେରଙ୍ଗ ଶାଢ଼ି ପରିବେଶକୁ ରଙ୍ଗିନ ଓ ଉତ୍ସବମୁଖର କରୁଥିଲା। ସ୍ବାମୀ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ନିକଟରେ ଅଳି କରୁଥିଲେ। ଏଥିପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡ଼ିଥିଲା ମନ୍ଦିରମାଳିନୀ ସହର।

ଏ ପୁରାଣ ବିଷୟରେ କିଛି…
ପୁରାଣ ଯୁଗରେ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣକୁ ପଚାରିଥିଲେ, ହେ ମାଧବ କୁହନ୍ତୁ, କେଉଁ ବ୍ରତ ବା ଉପବାସ କଲେ ନାରୀ ସୌଭାଗ୍ୟବତୀ ହେବ। ବୈଧବ୍ୟ ଦୁଃଖ ଭୋଗ କରିବନି। ଶ୍ରୀକୃଷ୍ଣ ସେହି ସମୟରେ ଏହି ସାବିତ୍ରୀ ଓ ସତ୍ୟବାନଙ୍କ କାହାଣୀ କହିଥିଲେ। ସଧବା ନାରୀ ଏହି ବ୍ରତ କରିବା ଦ୍ବାରା ସ୍ବାମୀ ଦୀର୍ଘାୟୁ ହୁଅନ୍ତି। ପୂଜାର ସମସ୍ତ ରୀତିନୀତି ବିଷୟରେ ଅବଗତ ମଧ୍ୟ କରାଇଥିଲେ। ସେହିଦିନଠାରୁ ଲୋକେ ଏ ବ୍ରତ ନେଇ ସଚେତନ ହେଲେ ଓ ହିନ୍ଦୁ ଧର୍ମରେ ଏହି ବ୍ରତ କରାଯିବା ଆରମ୍ଭ ହୋଇଥିଲା।

ଜେଲ୍‌ରେ ବି ସାବିତ୍ରୀ
ଝାରପଡ଼ା ଜେଲ୍‌ରେ ରହୁଥିବା ୩୮ ଜଣ ସଧବା ଜେଲ୍‌ର ଚାରିକାନ୍ଥ ଭିତରେ ବନ୍ଦୀ ଥିଲେ ବି ଏହି ପବିତ୍ର ଦିନକୁ ଭୁଲି ନଥିଲେ। ଜେଲ୍‌ ତରଫରୁ ସମସ୍ତଙ୍କ ପାଇଁ ନୂଆ ଶାଢ଼ି, ଚୁଡ଼ି, ସିନ୍ଦୂର ଆଦି ଦିଆଯାଇଥିଲା। ଫଳଫୁଲ ଧରି ସେମାନେ ବି ସାବିତ୍ରୀ ପାଳିଥିଲେ। ଯେଉଁମାନଙ୍କ ସ୍ବାମୀ ବାହାରେ ଥିଲେ ସେମାନେ ଦେଖା କରିବାକୁ ମଧ୍ୟ ଆସିଥିଲେ। ଜେଲ୍‌ ଭିତରେ ସେମାନଙ୍କ ପାଇଁ ବ୍ରାହ୍ମଣ ଡକାଯାଇ ବିଧି ମୁତାବକ ପୂଜା କରାଯାଇଥିଲା ବୋଲି ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ୍‌ ରବୀନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି।

ଦିନେ ମା’ ସୀତାଙ୍କୁ ହନୁମାନ ପଚାରିଥିଲେ, ମା’ ଆପଣ ମଥାରେ ସିନ୍ଦୂର କାହିଁକି ପିନ୍ଧନ୍ତି? ମା’ କହିଲେ, ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପ୍ରତ୍ୟେକ ସଧବା ନାରୀ ମଥାରେ ସିନ୍ଦୂର ପିନ୍ଧନ୍ତି। ସେହିଦିନ ପାଇଁ ହନୁମାନ ମଧ୍ୟ ନିଜ ପ୍ରଭୁ ଶ୍ରୀରାମଙ୍କୁ ଅମର କରିବା ଉଦ୍ଦେଶ୍ୟରେ ଦେହ ସାରା ସିନ୍ଦୂର ବୋଳି ହେଉଥିଲେ। ହନୁମାନଙ୍କୁ ଆଦର୍ଶ ଭାବେ ନେଇ କାହିଁ କେଉଁ କାଳୁ କିନ୍ନରମାନେ ନିଜ ଗୁରୁମା’ଙ୍କ ପାଇଁ ମଥାରେ ସିନ୍ଦୂର ପିନ୍ଧି ସାବିତ୍ରୀ ପାଳନ କରନ୍ତି। ଏହି ଅବସରରେ କିନ୍ନରମାନେ ବଟ ବୃକ୍ଷକୁ ଶାଢ଼ି ପିନ୍ଧାଇ, ଶଙ୍ଖା ସିନ୍ଦୂର ଅର୍ପଣ କରିଥିଲେ। ଏହାପରେ ଗୁରୁମା’ ସମସ୍ତଙ୍କୁ ସିନ୍ଦୂର ପିନ୍ଧାଇଲା ପରେ ତାଙ୍କ ଚରଣ ସେବା ପରେ ପୂଜା ସରିଥିଲା।

ଆଜି ଟିଜି ସୁରକ୍ଷା ଟ୍ରଷ୍ଟ ଓ ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ସାବିତ୍ରୀ ବ୍ରତ କାର୍ଯ୍ୟକ୍ରମରେ ଶହ ଶହ କିନ୍ନର ଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ। ସେମାନେ ପ୍ରଥମେ ମା’ ଦୁର୍ଗାଙ୍କୁ ପୂଜା କରିବା ପରେ ଗୁରୁ ମେନକା, ସୁଇଟି କିନ୍ନର ଓ ବବି କିନ୍ନରଙ୍କ ଗୋଡ଼ ଧରି ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଦୁର୍ଗାପୂଜା ସମିତିର ସଭାପତି ପବିତ୍ର ମୋହନ ବେହେରା, ବିଜେପି ନେତ୍ରୀ ବନ୍ଦନା କାନୁନ୍‌ଗୋ, ରଜନୀବାଳା ଦାସ, ସୁଚିତ୍ରାବାଳା ପାତ୍ର, ରିୟା, ପ୍ରିୟା, ଲକି, ମମତା ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍ସବମୁଖର ମନ୍ଦିର
ସାବିତ୍ରୀ ପାଳନ କରିବା ପାଇଁ ମନ୍ଦିରଗୁଡ଼ିକରେ ସକାଳ ସକାଳୁ ମହିଳାଙ୍କ ଭିଡ଼ ଜମି ଯାଇଥିଲା। ପ୍ରତ୍ୟୁଷରୁ ସହରର ପ୍ରମୁଖ ମନ୍ଦିରଗୁଡ଼ିକରେ ମହିଳାମାନେ ଧାଡ଼ି ଲଗାଇ ବ୍ରତ, ଅଳତା, ଲାଲ୍‌ ଶଙ୍ଖା, କଳା ମାଳି ଓ ସିନ୍ଦୂର ପୂଜା କରିଥିଲେ। ସବୁଠୁ ଅଧିକ ଭିଡ଼ ଥିଲା ରାମ ମନ୍ଦିରରେ। ସକାଳ ୬ଟାରେୁ ଭକ୍ତଙ୍କ ଆଗମନ ଲାଗି ରହିଥିବା ବେଳେ ମଧ୍ୟାହ୍ନ ୧୨ଟା ପରେ ପୂଜାର୍ଚ୍ଚନା ଶେଷ ହୋଇଥିଲା। ସେହିପରି ଲିଙ୍ଗରାଜ ମନ୍ଦିର, ଚିନ୍ତାମଣିଶ୍ବର ମନ୍ଦିର ଓ ଅନ୍ୟାନ୍ୟ ଶୈବ ପୀଠ ସମେତ କିଛି ମହିଳା ମିଳିତ ଭାବେ ଘରେ ଶିଳ ପୁଆକୁ ପ୍ରତୀକ ସ୍ବରୂପ ନୂଆ ଶାଢ଼ି ପିନ୍ଧାଇ ଭୋଗ ସମର୍ପଣ କରି ପୂଜାର୍ଚ୍ଚନା କରିଥିଲେ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡ଼

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଜି ସାବିତ୍ରୀ ବ୍ରତ ପୂଜା ପାଇଁ ମହିଳାମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରତ୍ୟୁଷରୁ ମହିଳାମାନେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଧାଡ଼ି ବାନ୍ଧି ମନ୍ଦିର ପରିସରରେ ଥିବା ମା’ ସାବିତ୍ରୀଙ୍କୁ ପୂଜାର୍ଚନା କରିଥିଲେ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିପୂଜା ଆଳତି ପରେ ମା’ ସାବିତ୍ରୀଙ୍କ ଆଳତି କରାଯାଇଥିଲା। ଏହାପରେ ମହିଳାମାନେ ସେବାୟତଙ୍କ ଦ୍ୱାରା ସାବିତ୍ରୀ ପୂଜା କରିଥିଲେ। ଶତାଧିକ ମହିଳା ବିଭିନ୍ନ ପ୍ରକାର ଫଳ ଭୋଗ ଓ ନୂଆ ଲୁଗା ପୂଜା କରିଥିଲେ। ମନ୍ଦିର ପରିସରରେ ୧ପ୍ଲାଟୁନ ପୁଲିସ ରହି ଭିଡ଼ ନିୟନ୍ତ୍ରଣ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ସେହିପରି କେଦାରଗୌରୀ ମନ୍ଦିର, କପିଳେଶ୍ୱର ମନ୍ଦିର, ଭୀମେଶ୍ୱର ମନ୍ଦିର, ବାସୁଦେବ ମନ୍ଦିର, ରାମେଶ୍ୱର ମନ୍ଦିରରେ ଥିବା ବିଭିନ୍ନ ଦେବୀଙ୍କ ପାଖରେ ଶ୍ରଦ୍ଧାଳୁମାନେ ପୂଜାର୍ଚନା କରିଥିଲେ।

ସମ୍ବନ୍ଧିତ ଖବର