ସାବିତ୍ରୀ ଯନ୍ତ୍ରଣା: ପୁଲିସ୍‌ ଗୋଡ଼ାଇଲା, ଲାଠିମାଡ଼

ସିଂହଦ୍ବାରରୁ ପୂଜା ଥାଳି ବଢ଼ାଇଲେ

ପୁରୁଣା ଭୁବନେଶ୍ୱର: ମନ୍ଦିର ଭିତରକୁ ପ୍ରବେଶ ପାଇଁ କଡ଼ା ବାରଣ ଥିଲା। କରୋନା କଟକଣା ମନ୍ଦିର ଭିତରକୁ ଛାଡ଼ିଲା ନାହିଁ। ତେଣୁ ବାଧ୍ୟ ହୋଇ ମହିଳାମାନେ ସିଂହଦ୍ବାରରେ ଠିଆ ହୋଇ ପୂଜକଙ୍କ ହାତକୁ ପୂଜା ଥାଳି ବଢ଼ାଇଥିଲେ। ପୂଜକ ମନ୍ଦିର ଭିତରୁ ପୂଜା ସାରି ଥାଳି ଫେରାଇ ଦେଇଥିଲେ। ଏହି ପ୍ରକ୍ରିୟାରେ ପୂଜା ବେଶ୍‌ ବିଳମ୍ବ ହୋଇଥିଲା। ପ୍ରବଳ ଗରମରେ କଲବଲ ହେଉଥିବା ସତ୍ତ୍ବେ ମହିଳାମାନେ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ। ତେବେ ଗୌରୀ ମନ୍ଦିରରେ ମହିଳାମାନେ ଜୋର୍‌ କରି ପଶିବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ଘଉଡ଼ାଇଥିଲା। ଆଜି ପବିତ୍ର ସାବିତ୍ରୀ ପୂଜା ଅବସରରେ ପୁରୁଣା ଭୁବନେଶ୍ବରରେ ବିଭିନ୍ନ ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଆଜି ବିଧି ଓ ପରମ୍ପରା ଅନୁସା‌ରେ, ଶ୍ରୀଲିଙ୍ଗରାଜ ମନ୍ଦିରରେ ସାବିତ୍ରୀ ବ୍ରତ ନୀତିକାନ୍ତି ଅନୁଷ୍ଠିତ ହୋଇଛି। କିନ୍ତୁ କରୋନା କଟକଣା ପାଇଁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନଙ୍କୁ ପଶିବାକୁ ଦିଆଯାଇନଥିଲା। ମନ୍ଦିରକୁ ପଶିବା ମନା ଥିବାରୁ ଆଜି ବହୁ ମହିଳା ନିଜ ନିଜ ଘରେ ସାବିତ୍ରୀ ପୂଜା କରିଛନ୍ତି। ଘରକୁ ବ୍ରାହ୍ମଣ ଡାକି ପୂଜା କରିଛନ୍ତି। ତଥାପି କିଛି ମହିଳା ବିଭିନ୍ନ ମନ୍ଦିରକୁ ଯାଇ ପୂଜା କରାଇଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର, ଗୌରୀ ମନ୍ଦିର, ଭୀମେଶ୍ବର ମନ୍ଦିର, ମଙ୍ଗଳା ମନ୍ଦିର, କପିଳନାଥ ମନ୍ଦିର ଆଦି ବହୁ ମନ୍ଦିର ସିଂହଦ୍ବାର ନିକଟରେ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ସେବାୟତମାନେ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଦେଇନଥିଲେ। ମହିଳାମାନେ ସିଂହଦ୍ବାରଠାରେ ସେବକଙ୍କୁ ପୂଜା ଥାଳି ଓ ଶାଢ଼ି ବଢ଼ାଇ ଦେଇଥିଲେ। ତେବେ କିଛି ମନ୍ଦିର‌ରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଗୌରୀ ମନ୍ଦିରକୁ କିଛି ମହିଳା ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ‌ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ମହିଳାମାନଙ୍କୁ ଘଉଡ଼ାଇବା ପରେ ମନ୍ଦିର ଗେଟ୍‌କୁ ବନ୍ଦ କରିଥିଲା।

ଉଲ୍ଲେଖଯୋଗ୍ୟ, ସାବିତ୍ରୀ ବ୍ରତ ଅବସରରେ ମହିଳାମାନେ ସାଧାରଣତଃ ମହାପ୍ରସାଦ ଖାଇଥା’ନ୍ତି। ଏଥିପାଇଁ ଆଜି ଶ୍ରୀଅନନ୍ତ ବାସୁଦେବଙ୍କ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ସେଠାରେ ବ୍ରାହ୍ମଣ ନିଯୋଗ ପକ୍ଷରୁ କାହାକୁ ଅବଢ଼ା କିଣିବାକୁ ସୁଯୋଗ ମିଳି ନଥିଲା। କେବଳ ପୂର୍ବରୁ ବରାଦ ବା ଅଗ୍ରୀମ ଦେଇଥିବା ଗ୍ରାହକଙ୍କୁ ଅବଢ଼ା ମିଳିଥିଲା। ମନ୍ଦିର ବେଢ଼ାରେ ଅବଢ଼ା ବସି ଖାଇବାକୁ ବାରଣ ଥିବାରୁ ଲୋକେ ପ୍ରସାଦ କିଣି ଘରକୁ ନେଇଥିଲେ। ପୂର୍ବ ବର୍ଷମାନଙ୍କରେ ଲକ୍ଷାଧିକ ଟଙ୍କାର ଅବଢ଼ା ବିକ୍ରି ହୋଇଥାଏ। କିନ୍ତୁ ଚଳିତ ବର୍ଷ ପୂର୍ବ ବର୍ଷମାନଙ୍କ ତୁଳନାରେ ମାତ୍ର ୧୦ ଭାଗ ଅବଢ଼ା ବିକ୍ରି ହୋଇଥିଲା ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର