କରୋନା ଯୁଦ୍ଧରେ ହାରିଗଲେ ସବୁଜ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ରିଡର୍ ସବୁଜ ସାହୁଙ୍କ ଅକାଳ ବିୟୋଗ ଘଟିଛି। ୧୯୭୬ ଜୁଲାଇ ପହିଲାରେ ଜନ୍ମିତ ଶ୍ରୀ ସାହୁ ୨୦୦୩ରେ ଉତ୍କଳ ବିଶ୍ୱବିଦ୍ୟାଳୟର ଔଷଧୀ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବରେ ଯୋଗଦେଇଥିଲେ। ୨୦୧୫ ସେପ୍ଟମ୍ବର ୨୧ରେ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗରେ ରିଡର୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ୨୦୧୭ ଜୁନ୍ ପହିଲାରୁ ୨୦୧୯ ଜୁନ୍ ୮ ପର୍ଯ୍ୟନ୍ତ ବିଭାଗୀୟ ମୁଖ୍ୟ ଦାୟିତ୍ବ ସମ୍ପାଦନା କରିଥିଲେ। ନିଜର ଶୈକ୍ଷିକ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ସେ ବିଶ୍ବବିଦ୍ୟାଳୟର ଉପ -କୁଳସଚିବ(ସ୍ବତନ୍ତ୍ର ସେଲ୍) ଓ କମ୍ପ୍ୟୁଟର ସେଣ୍ଟରର ଭାରପ୍ରାପ୍ତ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବିରେ ରହି ବିଶ୍ବବିଦ୍ୟାଳୟକୁ ସଫଳତାର ପାହାଚରେ ଆଗେଇ ନେଇଥିଲେ।

ନିର୍ଭୀକ ଓ ଖୋଲା ହୃଦୟର ମଣିଷ ଡ. ସାହୁ ଏତେ ସବୁ ଗୁରୁତ୍ୱପୂର୍ଣ୍ଣ ପଦରେ ରହି ମଧ୍ୟ ନିଜ ଜୀବନଚର୍ଯ୍ୟାକୁ ସରଳ ଓ ସୁନ୍ଦର କରିଥିଲେ। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଛାତ୍ରଛତ୍ରୀଙ୍କୁ ଉତ୍ତମ ଦିଗଦର୍ଶନ ଦେବାଠାରୁ ଆରମ୍ଭ କରି ସହ କର୍ମଚାରୀଙ୍କ ପ୍ରତି ସୁବ୍ୟବହାର ତାଙ୍କ ଉଦାରତା ଓ ମେଳାପୀ ସ୍ୱଭାବର ନିଦର୍ଶନ ହୋଇ ରହିଥିଲା। ଜୀବନର ଶେଷ ନିଃଶ୍ୱାସ ଯାଏଁ କୋଭିଡ୍-୧୯ ସହିତ ଯୁଦ୍ଧ କରି ଶେଷରେ ଇହଧାମ ତ୍ୟାଗ କରିଛନ୍ତି। ଡ. ସାହୁଙ୍କ ଦେହାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ତଥା ସାରା ବିଜ୍ଞାନ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ପିଜି କାଉନସିଲ୍‌ ଅଧ୍ୟକ୍ଷ ବସନ୍ତ କୁମାର ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର