୫ମ ଦିନରେ ‘ଅଞ୍ଜଳି’: ଶିଶୁମାନଙ୍କ ସହ କଥା ହେଲେ ସବ୍ୟସାଚୀ, ଅର୍ଚ୍ଚିତା

ଭୁବନେଶ୍ବର: ଆଜିଯାଏ ଯାହାକୁ ପରଦା ଉପରେ ନାୟକ ନାୟିକା ରୂପରେ ଦେଖିଥିଲେ, ଆଜି ତାଙ୍କ ସହ କଥା ହେବାର ସୁଯୋଗ ପାଇଛନ୍ତି ଶିଶୁମା‌ନେ। ଅଞ୍ଜଳି ଶିଶୁ ଓ ଯୁବ ଅନ୍ତର୍ଜାତୀୟ ମହୋତ୍ସବ ଆଣିଦେଇଥିଲା ଏହି ସୁଯୋଗ। ଓଲିଉଡ୍‌ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ସାହୁଙ୍କୁ କାର୍ଯ୍ୟକ୍ରମରେ ଯୋଡ଼ା ଯାଇଥିବାରୁ ଶତାଧିକ ଶିଶୁ ଅନଲାଇନ୍‌ରେ ଯୋଡ଼ି ହୋଇ ସେମାନଙ୍କ ସଙ୍ଗେ କଥା ହୋଇଥିଲେ। ଜୀବନ ଶୈଳୀ ସହ ଦୁଇ ତାରକା ଫିଲ୍ମ ଜୀବନର ସଫଳ ଯାତ୍ରା ବାବଦରେ ପିଲାମାନଙ୍କୁ କହିଥିଲେ। ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ସହ ଆଲୋଚନା କରିଥିଲେ ସୁଲଗ୍ନା ରାଉତରାୟ।

ଏହି ଅବସରରେ ଆଜି ସମ୍ବଲପୁରୀ, ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଜେଶ ରଂଜନ ଓ ଅରୁଣ ପ୍ରଧାନ ବିଚାରକ ଭାବେ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ। ପିଲାମାନଙ୍କ ପାଇଁ ଭର୍ଚୁଆଲ ସିଟି ଟୁର୍‌ କାର୍ଯ୍ୟକ୍ରମ ହୋଇଥିଲା। ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳ ଦେଖାଇବା ସହ ସେ ସମ୍ବନ୍ଧରେ ସୂଚନା ଦିଆଯାଇଥିଲା। କାର୍ଟୁନିଷ୍ଟ କମଳାକାନ୍ତ ରଥ କାର୍ଟୁନ୍‌ କର୍ମଶାଳାରେ ପିଲାମାନଙ୍କୁ କାର୍ଟୁନ କରିବା ଶିଖାଇଥିଲେ। ବୃତ୍ତ ସହିତ ମଜାଳିଆ ଚେହେରା ଆଙ୍କିବାର କୌଶଳକୁ ପିଲାମାନେ ଉପଭୋଗ କରିଥିଲେ। ପରେ କ୍ରୀଡ଼ା ଓ ଅକ୍ଷମତା ଶୀର୍ଷକ ବିଷୟ ଉପରେ ଆଲୋଚନା ହୋଇଥିଲା। ଦୃଷ୍ଟିହୀନ କ୍ରୀଡ଼ାବିତ୍‌ ଦିବ୍ୟାନଶୁ ଗନ୍ତରା, ଅନ୍ତର୍ଜାତୀୟ ପାରା ସନ୍ତରଣ ଚାମ୍ପିୟନ ଜଷ୍ଟିନ ବିଜୟ ଜେସୁଦାସ, ପାରା ଅଲିମ୍ପିୟାନ ପ୍ରଦୀପ ରାଜ ପ୍ରମୁଖ ଆଲୋଚନାପୂର୍ବକ ଦେଶରେ ପାରା ସ୍ପୋର୍ଟ୍ସକୁ ପ୍ରାଧାନ୍ୟ ଦେବା, ସ୍ପୋର୍ଟ‌୍ସ ସପୋର୍ଟ ଷ୍ଟାଫ୍‌ ଓ କୋଚ୍‌ମାନଙ୍କୁ ବିଦେଶରେ ତାଲିମ୍‌ ଦେବା ଆବଶ୍ୟକ ବୋଲି ମତ ରଖିଥିଲେ। ‘ଅଞ୍ଜଳି’ କାର୍ଯ୍ୟକ୍ରମର ମୁଖ୍ୟ ଶ୍ରୁତି ମହାପାତ୍ର ସମଗ୍ର କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର