ନିଆରା ଢଙ୍ଗରେ ସବ୍ୟସାଚୀଙ୍କ ଜନ୍ମଦିନ

ଜଣେ ଚଳଚ୍ଚିତ୍ର ତାରକାଙ୍କ ପାଇଁ ଫିଲ୍ମ ଓ ପ୍ରଶଂସକ ସବୁକିଛି। ଚଳଚ୍ଚିତ୍ର ତ ତାରକାଙ୍କୁ ସୃଷ୍ଟି କରେ। କିନ୍ତୁ ପ୍ରଶଂସକମାନେ ତାରକାଙ୍କୁ ଅମର କରିଦିଅନ୍ତି। ଚଳଚ୍ଚିତ୍ରରେ ନାୟକଙ୍କ ସକାରାତ୍ମକ ଅଭିନୟରେ ପ୍ରଭାବିତ ହୋଇ ଫ୍ୟାନ୍‌ ତଥା ପ୍ରଶଂସକମାନେ ବି ତାଙ୍କୁ ଅନୁକରଣ କରନ୍ତି। ଜଣେ ତାରକା ପାଇଁ ଏହାଠୁ ବଡ଼ ଉପଲବ୍ଧି ବା ଆଉ କ’ଣ ହେଇପାରେ। ତେବେ ଆଜି ଓଲିଉଡ୍‌ ତାରକା ସବ୍ୟଚାସୀଙ୍କ କ୍ଷେତ୍ରରେ ଏମିତି ଏକ ଘଟଣା ଘଟିଛି ଯାହା ତାଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ। ଆଜି ସବ୍ୟସାଚୀଙ୍କର ଜନ୍ମଦିନ ଥିବା ବେଳେ ତାଙ୍କର ପ୍ରଶଂସକକୁ ନେଇ ଗଢ଼ି ଉଠିଥିବା ‘ପାଗଳ ପ୍ରେମୀ ଫ୍ୟାନ୍‌ କ୍ଲବ୍‌’ ୫ ହଜାର ବସ୍ତିବାସିନ୍ଦା ଓ ସାଧାରଣବର୍ଗର ଲୋକଙ୍କ ପାଇଁ ଆୟୋଜନ କରିଥିଲା ନାରାୟଣ ସେବା। ବସ୍ତି ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ହିଁ ସବ୍ୟସାଚୀ ଜନ୍ମଦିନର କେକ୍ କାଟିଥିଲେ। ବାଣୀବିହାର ଶନିମନ୍ଦିର ଓ ଏହାର ପାଖାପାଖି ବସ୍ତିମାନଙ୍କରେ ୫ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା।

ଫ୍ୟାନ୍‌ମାନଙ୍କ କହିବା ଅନୁଯାୟୀ, ସବ୍ୟ ଭାଇ ଫିଲ୍ମରେ ବହୁ ଭଲ କାମ କରିବାର ଦେଖିଛୁ। ସବୁ ଦିନ ନ‌ହେଲେ ବି ଗୋଟିଏ ଦିନ ସେ ପୁଣି ଭାଇଙ୍କ ଜନ୍ମଦିନ ଅବସରରେ କିଛି ଲୋକଙ୍କ ମୁହ‌ଁରେ ଆହାର ଦେଇ ଏକ ଅବିସ୍ମରଣୀୟ ଅନୁଭବ ସାଉଁଟିଛୁ। ଏନେଇ ସବ୍ୟସାଚୀ କୁହନ୍ତି, ଏହି ଜନ୍ମ ଦିନ ମୋ ପାଇଁ ଥିଲା ସବୁଠୁ ବଡ଼ ସର୍‌ପ୍ରାଇଜ୍‌। ବଞ୍ଚିଥିବା ଯାଏଁ ଏହା ମନେ ରହିବ। ଯେବେ ଫିଲ୍ମ ମୁକ୍ତିଲାଭ କରେ କେବଳ ସେଇ ସମୟରେ ପ୍ରଶଂସକମାନେ ହଲ୍‌ ସମ୍ମୁଖରେ ଭିଡ଼ ଲଗାଇ ଅଟୋଗ୍ରାଫ୍‌ ନେବା ଓ ଚିଲେଇବା ଦେଖିଥିଲି। ମାତ୍ର ଜଣେ ତାରକାକୁ ଅନୁକରଣ କରି ତା’ର ପ୍ରଶଂସକମାନେ ଏଭଳି କାମ କରିପାରନ୍ତି ତାହା ଆଜି ଉପଲବ୍ଧି କଲି। ମୋ ପ୍ରଶଂସକଙ୍କ ମଧ୍ୟରେ ରିଅଲ୍‌ ହିରୋମାନଙ୍କୁ ଚିହ୍ନିବାର ଇଏ ଏକ ଅବକାଶ ଥିବାରୁ ଏହା ମୋ ପାଇଁ ସବୁଠୁ ବଡ଼ ଉପଲବ୍ଧି ବୋଲି ସବ୍ୟସାଚୀ କହିଛନ୍ତି।

ସମ୍ବନ୍ଧିତ ଖବର