ଭୁବନେଶ୍ବର: କରୋନା ମୁକାବିଲା ପାଇଁ ବଲିଉଡ୍ ତାରକାଙ୍କ ବଦାନ୍ୟତାର ଖବର ପ୍ରତ୍ୟେକ ଦିନ ଶୁଣିବାକୁ ମିଳୁଛି। ମାତ୍ର ପଛରେ ପଡ଼ି ନାହାନ୍ତି ଓଲିଉଡ୍ ତାରକା ସବ୍ୟସାଚୀ ମିଶ୍ର। ସେ କେବଳ ଟିଭି ପରଦା ନୁହେଁ, ବରଂ ଏ ବିପତ୍ତି କାଳେ ଅସଲ ନାୟକ ସାଜିଛନ୍ତି। ରାଜସ୍ଥାନ ଜୟପୁରସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ୬୦ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇ ଆଣିବାର ମୁଖ୍ୟ ସୂତ୍ରଧର ପାଲଟିଛନ୍ତି।
ସବ୍ୟସାଚୀଙ୍କ କହିବା ମୁତାବକ, ସମ୍ପୃକ୍ତ ବିଶ୍ବବିଦ୍ୟାଳୟର ଛାତ୍ରୀ ରୋଜାଲିନ ମିଶ୍ର ମତେ ଟ୍ବିଟ୍ କରି ଓଡ଼ିଶା ଫେରାଇ ନେବାକୁ ନିବେଦନ କରିଥିଲେ। ଖରାଦିନ ଯୋଗୁଁ ସେଠାରେ ପିଇବା ପାଣି ପାଇଁ ବହୁତ ସମସ୍ୟା ହୋଇଥିଲା। ଏ ଦୁର୍ଦ୍ଦିନରେ ସେଠାରେ ପାଣି କିଣି ପିଇବା ସମ୍ଭବ ହେଉନାହିଁ ବୋଲି କିଛି ଛାତ୍ରଛାତ୍ରୀ କହିଥିଲେ। ଏଣେ ଓଡ଼ିଶାରେ ବି ସେମାନଙ୍କ ଘରଲୋକ ବ୍ୟସ୍ତ ହେଉଥିଲେ। ଗତ ୧୧ତାରିଖରେ ରୋଜାଲିନଙ୍କ ଟ୍ବିଟ୍ ଦେଖିବା ପରେ ସବ୍ୟସାଚୀ ବାସ୍ତବତା ପରଖିଥିଲେ। ଏ ନେଇ ସେ ରାଜ୍ୟ କଣ୍ଟ୍ରୋଲ୍ ରୁମ୍ର ଅଧିକାରୀ ଜ୍ଞାନରଂଜନ ମହାପାତ୍ରଙ୍କ ସହ ଯୋଗାଯୋଗ କରି ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ପଂଜୀକରଣ ବ୍ୟବସ୍ଥା କରିଥିଲେ। ଏଥିପାଇଁ ୯ ଦିନ କସରତ କରିବାକୁ ପଡ଼ିଥିଲା। କିଛି ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସବ୍ୟସାଚୀ ଆର୍ଥିକ ସହଯୋଗ ସହ ୨ଟି ବସ୍ର ବ୍ୟବସ୍ଥା କରିଥିଲେ। ବସ୍କୁ ସାନିଟାଇଜ୍ କରାଇବା ସହ ୬୦ ଜଣ ପିଲାଙ୍କ ଲାଗି ଖାଦ୍ୟର ବ୍ୟବସ୍ଥା କରିଥିଲେ। ଓଡ଼ିଶାରେ ପହଞ୍ଚିବା ପାଇଁ ଅଢ଼େଇ ଦିନ ଲାଗିବାକୁ ଥିବାରୁ ସେମାନଙ୍କ ପାଇଁ ୩ କେଜି ଶୁଖିଲା ଖାଦ୍ୟ ପଠାଇଥିଲେ। ଖାଦ୍ୟ ପୁଡ଼ିଆ ଓ ପିଇବା ପାଣି ସହ ସବ୍ୟସାଚୀ ସମସ୍ତଙ୍କୁ ଏକ ଚିଠି ସଂଲଗ୍ନ କରି ଦେଇଥିଲେ। ଚିଠିରେ ଏକ ସ୍ମାଇଲ୍ ଚିହ୍ନ ସହ ସେ ଲେଖିଥିଲେ, ହାରିବନି ଓଡ଼ିଶା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ବିଶ୍ବାସ ଓ ତୁମ ଭିତରେ ଏକତା ଓଡ଼ିଶାକୁ ନିଶ୍ଚୟ ଜିତାଇବ। ତୁମମାନଙ୍କର ଯାତ୍ରା ସଫଳ ହେଉ। ତୁମର ପ୍ରିୟ ସବ୍ୟସାଚୀ ଭାଇ..।
ବସ୍ ବ୍ୟବସ୍ଥା ପରେ ଦୀର୍ଘ ଦିନ ହେଲା ଚିନ୍ତିତ ଥିବା ଛାତ୍ରଛାତ୍ରୀଙ୍କ ମୁହଁରେ ହସ ଫୁଟିଥିଲା। ଛାତ୍ରଛାତ୍ରୀମାନେ ଆଜି ସାଢ଼େ ୧୦ଟା ବେଳେ ସେଠାରୁ ୨ଟି ବସ୍ରେ ଓଡ଼ିଶା ଅଭିମୁଖେ ବାହାରିଥିବା ବେଳେ ଅଢ଼େଇ ଦିନ ମଧ୍ୟରେ ଓଡ଼ିଶାରେ ପହଞ୍ଚିଯିବେ ବୋଲି ସବ୍ୟସାଚୀ କହିଛନ୍ତି। ତାଙ୍କ କହିବା ମୁତାବକ, ଉଦ୍ଦେଶ୍ୟ ଭଲ ଥିଲେ ଭଗବାନ ବାଟ ଖୋଲିଦିଅନ୍ତି। ମୋ କ୍ଷେତ୍ରରେ ବି ସେୟା ହୋଇଥିଲା। ଜ୍ଞାନରଂଜନ ମହାପାତ୍ରଙ୍କ ସମେତ ସେଠାକାର ଜିଲ୍ଲାପାଳ, ଏଡିଏମ ଓ ରାଜସ୍ଥାନ ପୁଲିସଙ୍କୁ ଯୋଗାଯୋଗ ମାତ୍ରେ ସେମାନେ ସହାୟତା ଯୋଗାଇ ଦେଇଥିଲେ। ସମସ୍ତଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।