କଷଣ ଦେଲା କରୋନା, ସ୍ବାବଲମ୍ବୀ କଲେ ସବ୍ୟସାଚୀ

ଭୁବନେଶ୍ବର: ଦିନେ ଯିଏ ଗରିବ ଲୋକଙ୍କୁ ଘର ଯୋଗାଇ ଦେବାକୁ ଲଢ଼େଇ କରୁଥିଲା, ଆଜି ସେ ନିଜେ ବେସାହାରା। କାହାର ବିପଦ ପଡ଼ିଲେ ଯିଏ ଯାଇ ରାତି ଅଧରେ ଅନ୍ୟର ଘରେ ଛିଡ଼ା ହେଉଥିଲା, ଆଜି ତାଙ୍କ ବିପଦ କାଳରେ କେହି ଆହା ପଦେ ବି କହିବାକୁ ଆଗେଇ ଆସିନାହାନ୍ତି। ସମାଜ ଆଖିରେ ସେ ସମାଜସେବୀ ଜ୍ୟୋତ୍ସ୍ନା ମହାନ୍ତି। ପ୍ରମୁଖ ରାଜନୈତିକ ଦଳର ମହିଳା ସଦସ୍ୟ ମଧ୍ୟ। ମାତ୍ର ବ୍ୟକ୍ତିଗତସ୍ତରରେ ଆଜି ବି ସକାଳୁ ଉଠିଲେ ଗୁଜୁରାଣ ମେଣ୍ଟିବା ଚିନ୍ତା ତାଙ୍କୁ ମାଡ଼ି ବସେ।

ଜ୍ୟୋତ୍ସ୍ନାଙ୍କ ଅବସ୍ଥା ଆଗରୁ ଏପରି ନଥିଲା। ବିଲ୍‌ଡର ପରିବାରରେ ବିବାହ କରିଥିଲେ ଜ୍ୟୋତ୍ସ୍ନା। ଧନୀ ଘରେ ବାହା ହୋଇଥିବାରୁ ଟଙ୍କା ପଇସାର ଅଭାବ ନଥିଲା। ମାତ୍ର ବିବାହର କିଛି ବର୍ଷ ପରେ ସ୍ବାମୀ ଦୁଇ ପିଲା ଓ ପତ୍ନୀ ଜ୍ୟୋତ୍ସ୍ନାଙ୍କୁ ଛାଡ଼ି କେଉଁଆଡ଼େ ଚାଲିଗଲେ। ଏହା ପରେ ଜ୍ୟୋତ୍ସ୍ନା ତାଙ୍କୁ ବହୁତ ଖୋଜାଖୋଜି କଲେ। କିନ୍ତୁ ପରେ ଏପରି କିଛି ଘଟଣା ଘଟିଲା ଯେଉଁଥିପାଇଁ ଜ୍ୟୋତ୍ସ୍ନା ଶାଶୂଘର ଛାଡ଼ିବାକୁ ବାଧ୍ୟ ହେଲେ। ଏହା ତାଙ୍କ ପାଇଁ ଆହ୍ବାନ ପାଲଟିଲା। ୯ ବର୍ଷ ତଳୁ ଶାଶୂଘର ଛାଡ଼ିବା ପରେ ଭଡ଼ା ଘରେ ରହୁଥିଲେ। ଏଣେ ଜ୍ୟୋତ୍ସ୍ନା ସମାଜସେବାରେ ରୁଚି ରଖୁଥିବାରୁ କିଛି ମହିଳା ସଂଗଠନର ନେତୃତ୍ବ ନେଲେ। ଏବେ ମଧ୍ୟ ଏକ ମହିଳା ମହାସଂଘର ସମ୍ପାଦିକା ଭାବେ ସେ କାର୍ଯ୍ୟରତ। ବାପ ଘର ସୂତ୍ରରୁ କିଛି ସହଯୋଗ ମିଳିଯାଉଥିବାରୁ ଚଳିଯାଉଥିଲେ। ପୁଅ ଝିଅଙ୍କୁ ପଢ଼ାଉଥିଲେ। ଯାହା ଯେମିତି ଚଳି ଯାଉଥିଲେ ବି ଯେବେଠୁ ବାପ ଘର ସୂତ୍ରରୁ ଅର୍ଥ ସହଯୋଗ ମିଳିବା ଅସମ୍ଭବ ହେଲା ସେ ଉପାୟଶୂନ୍ୟ ହୋଇଗଲେ। ଘର ଭଡ଼ା ଦେବା ସମ୍ଭବ ହେଲା ନାହିଁ। ତେଣୁ ବିଧାୟକଙ୍କ ସହଯୋଗରେ ଜିଜିପି କଲୋନି ୱାର୍ଡ ଅଫିସ୍‌ ନିକଟରେ ଏକ ପରିତ୍ୟକ୍ତ ଘରେ ରହି ଆସୁଛନ୍ତି। ମାତ୍ର ସେଠୁ ବି ତାଙ୍କୁ ଉଠିଯିବାକୁ ବାରମ୍ବାର ଚାପ ପଡ଼ିଲା। ଏଭଳି ଘଡ଼ିସନ୍ଧି ସମୟରେ ଡରି ମରି ବଞ୍ଚୁଥିବା ବେଳେ ନିଜ ସଂସାରକୁ ବାହି ନେବା ପାଇଁ ସେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହଯୋଗ ଲୋଡ଼ିଲେ।

ଜ୍ୟୋତ୍ସ୍ନାଙ୍କର ସ୍ବାଭିମାନୀ ମନୋଭାବ ଓ ସ୍ବାବଲମ୍ବୀ ହେବାର ଆଗ୍ରହ ଦେଖି ସବ୍ୟସାଚୀ ସହାୟତା କରିବାକୁ ରାଜି ହେଲେ। ଜ୍ୟୋତ୍ସ୍ନା ଭଲ ରୋଷେଇ କରିପାରୁଥିବାରୁ ସବ୍ୟସାଚୀ ତାଙ୍କୁ ରୋଷେଇ କରି ରସୁଲଗଡ଼ ପାଖାପାଖି ଅଞ୍ଚଳରେ ଥିବା ମେସ୍‌ ଓ ହଷ୍ଟେଲ୍‌କୁ ଖାଦ୍ୟ ଯୋଗାଇବାକୁ ପ୍ରସ୍ତାବ ଦେଲେ। ଏଥିରେ ଜ୍ୟୋତ୍ସ୍ନା ରାଜି ହେବାରୁ ସବ୍ୟସାଚୀ ୟୁନିଟ୍‌ ୧ ମାର୍କେଟ୍‌ରୁ ସମସ୍ତ ରୋଷେଇ ସରଞ୍ଜାମ ଯୋଗାଇ ଦେଇଛନ୍ତି। କିଭଳି ସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କରିପାରିବେ ସେ ସମସ୍ତ ବ୍ୟବସ୍ଥା ମଧ୍ୟ କରିଦେଇଛନ୍ତି। ଏଥିସହ ଜ୍ୟୋତ୍ସ୍ନା କିଭଳି ନିଜ ଖାଦ୍ୟ ଯୋଗାଇବାକୁ ବଜାର ପାଇବେ ସେଥିପାଇଁ ମଧ୍ୟ ସବ୍ୟସାଚୀ ପ୍ରଚାରରେ ସହଯୋଗ କରୁଛନ୍ତି। ଜ୍ୟୋତ୍ସ୍ନା ଏବେ କିଛି ମେସ୍‌ ଓ ହଷ୍ଟେଲ୍‌ରୁ ପିଲାଙ୍କୁ ଖାଦ୍ୟ ଯୋଗାଇବା କାମରେ ଲାଗିଥିବା ବ‌ଳେ ସବ୍ୟସାଚୀଙ୍କ ସାଧୁ ଉଦ୍ୟମ ପାଇଁ ନିଜ କ୍ୟାଣ୍ଟିନର ନାମ ‘ସବ୍ୟସାଚୀ କ୍ୟାଣ୍ଟିନ’ ରଖିବେ ବୋଲି କହିଛନ୍ତି। ଜ୍ୟୋତ୍ସ୍ନାଙ୍କୁ ସହଯୋଗ ଯୋଗାଇ ଦେବାକୁ ରସୁଲଗଡ଼ ପାଖାପାଖି ଅଞ୍ଚଳରେ ରହୁଥିବା ହଷ୍ଟେଲ୍‌ ଓ ମେସ୍‌ର ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷ ତାଙ୍କୁ ମୋବାଇଲ୍‌ ନମ୍ବର ୭୮୫୩୦୩୪୪୫୮ରେ ଯୋଗାଯୋଗ କରି ଖାଦ୍ୟ ମଗେଇ ସ୍ବାବଲମ୍ବୀ ହେବାକୁ ସହଯୋଗ କରିପାରିବେ।

ସମ୍ବନ୍ଧିତ ଖବର