‘ତମେ ତ ସତ ସତିକା ହିରୋ’ : ଆତ୍ମହତ୍ୟା କରିବାକୁ ଚାହୁଁଥିଲେ, ସବ୍ୟସାଚୀ ଦେବଦୂତ ସାଜି ଓଡ଼ିଶା ଆଣିଲେ

ଭୁବନେଶ୍ବର : ପଞ୍ଜୀକରଣ କଲୁ। ଆର୍‌.ଆଇଙ୍କୁ ଜଣେଇଲୁ। କେହି ଶୁଣୁନାହାନ୍ତି। ଦୁଇଦିନ ହେଲା ଚୁଡ଼ା ଖାଇ ରହିଛୁ। ଆମକୁ ଏଠୁ ନେଇଯାଅ। ନହେଲେ ଆମେ ଆତ୍ମହତ୍ୟା କରିଦେବୁ। ଏ କରୁଣ ନିବେଦନ ଥିଲା ତାମିଲନାଡ଼ୁର କୋଏମ୍ବାଟୁରରେ ଫସି ରହିଥିବା ଶ୍ରମିକ ଦମ୍ପତି ଓ କୁନି ଝିଅର। କୁନି ଝିଅ ସ୍ବିଟି ତା’ କଅଁଳ କଣ୍ଠରେ ଅନୁନୟ ହୋଇ କହୁଥିଲା, ଅଙ୍କଲ, ଆମକୁ ଆମ ଗାଁକୁ ନେଇଯାଅ, ଆମ ଗାଁ ଓଡ଼ିଶା…

ଏ ବାର୍ତା ପୁଣି ପହଞ୍ଚିଥିଲା ମହାମାରୀ ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ବିପଦର ବନ୍ଧୁ ସାଜିଥିବା ଅଭିନେତା ସବ୍ୟସାଚୀଙ୍କ ପାଖରେ। ନିବେଦନ କରିଥିବା ବ୍ୟକ୍ତି ଜଣକ ଥିଲେ ଜଗତସିଂପୁର କୁଜଙ୍ଗ ବାସିନ୍ଦା ଅନିରୁଦ୍ଧ ମଲ୍ଲିକଙ୍କର। ଦମ୍ପତି ଆତ୍ମହତ୍ୟା କରିଦେବାର ଦାରୁଣ ଅଭିବ୍ୟକ୍ତି ଏବଂ ଓଡ଼ିଶା ଫେରିବାକୁ କୁନି ଝିଅର ବିକଳ ସ୍ବର ସବ୍ୟଙ୍କୁ ଆନ୍ଦୋଳିତ କରିଥିଲା। ସଙ୍ଗେସଙ୍ଗେ ନମ୍ବର ସଂଗ୍ରହ କରି ଭିଡିଓ କଲ୍‌ ଯୋଗେ କୁନି ଝିଅଟିକୁ ସାନ୍ତ୍ବନା ଦେଇ କହିଲେ, ତୁ ବ୍ୟସ୍ତ ହଅନି। ତୁମ ପାଖେ ବସ୍‌ ପହଞ୍ଚିବା ଯାଏ ଅପେକ୍ଷା କର। କଥା ଦେଇ କଥା ରଖିଲେ ସବ୍ୟ। ତାଙ୍କୁ ଗତକାଲି ହିଁ ଗାଡ଼ିରେ ଆଣିବାର ବନ୍ଦୋବସ୍ତ କଲେ। ସେମାନେ ଗତକାଲି ବାହାରିଥିବା ବେଳେ ଆଜି ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ତାଙ୍କ ସହ ସେଠାରେ ଫସି ରହିଥିବା ଆଉ ୫୦ ଜଣ ମଧ୍ୟ ଓଡ଼ିଆ ମଧ୍ୟ ଭିଟାମାଟିକୁ ଫେରିଛନ୍ତି।

ଅନିରୁଦ୍ଧଙ୍କ କହିବା ମୁତାବକ, ସେ ୬ ମାସ ତଳେ ତାମିଲନାଡ଼ୁ ଯାଇଥିଲେ। ସେଠାରେ ଏକ କମ୍ପାନିରେ କାମ କରୁଥିଲେ। କାମ ବନ୍ଦ ପରେ କିଛିଦିନ ପର୍ଯ୍ୟନ୍ତ ମାଲିକ ତାଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କଲେ। କିନ୍ତୁ ଲକ୍‌ଡାଉନର ଅବଧି ବଢ଼ିବାରୁ କାମ ହୋଇପାରିଲାନି କି ଖାଦ୍ୟ ଦିଆଗଲା ନାହିଁ। ଓଡ଼ିଶା ଫେରିବା ପାଇଁ ଚାହୁଁଥିଲେ ବି ସେତିକି ସାହାଯ୍ୟ କେହି କଲେ ନାହିଁ। ତେଣୁ ସବ୍ୟସାଚୀ ଭାଇ ବାହାରେ ଫସି ରହିଥିବା ଶ୍ରମିକମାନଙ୍କୁ ଫେରାଇ ନେଉଥିବା କଥା ଶୁଣିବା ପରେ ତାଙ୍କୁ ସୋସିଆଲ ମିଡିଆରେ ଯୋଗାଯୋଗ କରିଥିଲୁ।

ସବ୍ୟସାଚୀ କହିଛନ୍ତି, ଶୁଭମ ନାମକ ଜଣେ ବ୍ୟକ୍ତି ମତେ ସେଇ ଦମ୍ପତିଙ୍କ ଭିଡିଓଟି ଟ୍ୟାଗ କରିଥିଲେ। ତାମିଲନାଡ଼ୁର ଜଣେ ଓଡ଼ିଆ ସ୍ବେଚ୍ଛାସେବୀ ଧୀରଜ ମଧ୍ୟ ମତେ ସେଇ ଭିଡିଓଟି ପଠାଇଥିଲେ। ତାଙ୍କ ମୋବାଇଲ୍‌ ନମ୍ବର ସଂଗ୍ରହ କରି ଯୋଗାଯୋଗ କରି ଜାଣିଲି, ସେଠାରେ ଆଉ ସେମାନେ ରହିବା ଅବସ୍ଥାରେ ନାହାନ୍ତି। ସେମାନେ ଏଭଳି ବ୍ୟତିବ୍ୟସ୍ତ ହୋଇଯାଇଥିଲେ ଯେ ତାଙ୍କୁ ସାନ୍ତ୍ବନା ଦେବା ପ୍ରଥମ ଆଭିମୁଖ୍ୟ ଥିଲା। ତେଣୁ ସେମାନଙ୍କର ବିଶ୍ବାସ ଜନ୍ମେଇବା ପାଇଁ ଭିଡିଓ କଲ୍‌ କରି ପ୍ରତିଶ୍ରୁତି ଦେଇଥିଲି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ହିଁ ଯେଉଁ ସମୟରେ ପହଣ୍ଡି ହେଉଥାଏ ସେଇ ସମୟରେ ଯାଇ ସେମାନଙ୍କ ପାଖେ ବସ୍‌ ପହଞ୍ଚିଲା। ବସ୍‌ରେ ବସିବା ପରେ ସେମାନଙ୍କ ମୁହଁର କାରୁଣ୍ୟ ଲିଭିଯାଇଥିଲା। ମୁହଁରେ ହସ ଟିକେ ଦେଖିବା ପାଇଁ ପୁଣି ତାଙ୍କୁ ଭିଡିଓ କଲ୍‌ କରିଥିଲି। ତେବେ କାହାଠୁ ଶୁଣିକି ହେଉ ଅବା ତା ନିଜ କଅଁଳ ବୁଦ୍ଧିରେ କୁନି ଝିଅ ସ୍ବିଟି କହିଥିଲା, ଆପଣ ତ ସତ ସତିକା ହିରୋ। ଏହାଠୁ ବଡ଼ ଆତ୍ମତୃପ୍ତି ମୋ ପାଇଁ ଆଉ କ’ଣ ହେଇପାରେ।

ସମ୍ବନ୍ଧିତ ଖବର