ମୁମ୍ବାଇରୁ ଆସି ଫସିଲେ : ଶୂନ୍‌ଶାନ୍‌ ଦେଖି କାନ୍ଦିଲେ, ଯୁବତୀଙ୍କ ଦୁଃଖ ଶୁଣି ସାହା ହେଲେ ସବ୍ୟସାଚୀ

ଭୁବନେଶ୍ବର : ସଟ୍‌ଡାଉନ ପାଇଁ ପୂରା ସହର ଶୂନ୍‌ଶାନ୍‌ ଥିଲା। ଏଇ ସମୟରେ ‌ଭୋର୍‌ ପ୍ରାୟ ସାଢ଼େ ୪ଟାରେ ମୁମ୍ବାଇରୁ ଏକ ଟ୍ରେନ୍‌ ଆସି ଭୁବନେଶ୍ବର ପ୍ଲାଟଫର୍ମରେ ଲାଗିଲା। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ‌ଯାତ୍ରୀମାନେ ଘର ଲୋକଙ୍କୁ ଡକାଇ ନିଜ ଘର ଅଭି‌ମୁଖେ ଚାଲିଗଲେ। ମାତ୍ର ସେଇ ଟ୍ରେନ୍‌ରେ ଆସିଥିବା ସୁନ୍ଦରଗଡ଼ ହାଲ୍‌ମାର ଯୁବତୀ ପିଙ୍କି ମିଞ୍ଜ ପ୍ଲାଟଫର୍ମ ବାହାରକୁ ବାହାରିବା ପରେ ଶୂନ୍‌ଶାନ୍‌ ଦେଖି କାନ୍ଦିଥିଲେ। ଏକୁଟିଆ ଥିବାରୁ କୁଆଡ଼େ ଯିବେ ବାଟ ପାଇନଥିଲେ। ଟ୍ରେନ୍‌ରେ ଆସିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଓ ମୋବାଇଲ୍‌ ଛଡ଼ାଇ ନେଇଥିବାରୁ ନା ପାଖରେ ଟଙ୍କା ଥିଲା ନା ଘର ଲୋକଙ୍କୁ ଫୋନ୍‌ କରିବାକୁ କିଛି ବିକଳ୍ପ ଥିଲା। ବାଧ୍ୟ ହୋଇ ଚାଲିଚାଲି ରସୁଲଗଡ଼ ପର୍ଯ୍ୟନ୍ତ ଆସିଲେ। କିଛି ବି ସାହାରା ନପାଇ କାନ୍ଦୁଥିଲେ। ଏ ସମ୍ବନ୍ଧରେ ଖବର ପାଇବା କ୍ଷଣି ପିଙ୍କିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ଆଜି ସଟ୍‌ଡାଉନ୍‌ ଅବସରରେ ରାଜଧାନୀରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।

ପିଙ୍କିଙ୍କ ସୂଚନା ମୁତାବକ, ତାଙ୍କ ବାପା ନଥିବାରୁ କାମ ପାଇଁ ସେ ମୁମ୍ବାଇ ପଳାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ଘରେ ରହି କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁଁ ଘରକୁ ଫେରିବାକୁ ଚାହିଁ ମଧ୍ୟ ଫେରି ପାରୁନଥିଲେ। ଟିକେ କୋହଳ ହେବା ପରେ ପିଙ୍କିଙ୍କୁ ଘର ମାଲିକ ୧୫ ହଜାର ଟଙ୍କା ଦେଇ ଟ୍ରେନ୍‌ରେ ଚଢ଼ାଇ ଦେଇଥିଲେ। ହେଲେ ଟ୍ରେନ୍‌ରେ ଆସିବା ଭିତରେ ପିଙ୍କିଙ୍କୁ ଏକୁଟିଆ ଦେଖି ଜଣେ ଦୁର୍ବୃତ୍ତ ତାଙ୍କଠାରୁ ୧୫ହଜାର ଟଙ୍କା ଭର୍ତି ପର୍ସ ଓ ମୋବାଇଲ୍‌ ଛଡ଼େଇ ନେଇ ଦୌଡ଼ି ପଳେଇଥିଲା। ଫଳରେ ପିଙ୍କିଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ଟଙ୍କା ଲୁଟ୍‌ ହେବା ପରେ ପିଙ୍କିଙ୍କୁ ଭୋକିଲା ରହିବାକୁ ପଡ଼ିଥିଲା। କିଛି ଉପାୟ ବି ନଥିଲା। ସେ ରସୁଲଗଡ଼ରେ ଛିଡ଼ା ହୋଇ କାନ୍ଦୁଥିବା ବ‌େଳେ ‘କନକ ନ୍ୟୁଜ’ ପକ୍ଷରୁ ପିଙ୍କିଙ୍କ ଦୁର୍ଦ୍ଦଶା ବାବଦ‌ରେ ଖବରର ସିଧା ପ୍ରସାରଣ ହୋଇଥିଲା। ସବ୍ୟସାଚୀ ଏହା ଦେଖିବା ପରେ ତୁରନ୍ତ ଯୋଗାଯୋଗ କରି ପିଙ୍କିଙ୍କ ପାଖରେ ପହଞ୍ଚିଥିଲେ। ସଟ୍‌ଡାଉନ୍ ଥିବାରୁ ଖାଦ୍ୟ ମିଳିବାର ସମ୍ଭାବନା ନଥିଲା। ତେଣୁ କିଛି ଶୁଖିଲା ଖାଦ୍ୟ ନେଇ ସବ୍ୟସାଚୀ ତାଙ୍କ ପାଖରେ ପହଞ୍ଚିଥିଲେ। ଫୋନ୍‌ ଯୋଗେ ପିଙ୍କିଙ୍କୁ ତାଙ୍କ ମା’ଙ୍କ ସହ କଥା କରାଇଥିଲେ। ପିଙ୍କିଙ୍କୁ ନିରାପଦରେ ଘରେ ପହଞ୍ଚାଇବେ ବୋଲି ତାଙ୍କ ମା’ଙ୍କୁ ସାନ୍ତ୍ବନା ଦେବା ପରେ ପିଙ୍କିଙ୍କ ମା’ ଆଶ୍ବସ୍ତ ହୋଇଥିଲେ। ସବ୍ୟସାଚୀ ଏହି ଘଟଣା ପରେ କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌‌ ସହ ଯୋଗାଯୋଗ କରି ଆଇପିଏସ ଅମିତାଭ ଠାକୁରଙ୍କ ସହ କଥା ହୋଇଥିଲେ। ପିଙ୍କିଙ୍କୁ ବସ୍‌ ଯୋଗେ ପଠାଇବେ ବୋଲି ଖଣ୍ଡଗିରି ଥାନା ଆଇଆଇସି ରଶ୍ମିରଂଜନ ମହାପାତ୍ରଙ୍କ ସହ‌ ଯୋଗାଯୋଗ କରିଥିଲେ। ମାତ୍ର ଆବଶ୍ୟକ ଲୋକ ହେଉନଥିବାରୁ ବସ୍‌ ଗଡ଼ିବା ସମ୍ଭାବନା କମ୍‌ ଥିଲା। ତେଣୁ ଯୁବତୀଙ୍କ ସୁରକ୍ଷା ଦୃଷ୍ଟିରୁ ସବ୍ୟସାଚୀ ବିଏମସି ଅଧିକାରୀଙ୍କ ସହ କଥା ହୋଇ ତାଙ୍କୁ ଟ୍ରାଇଡେଣ୍ଟ କଲେଜ୍‌ର କ୍ବାରାଣ୍ଟିନ କେନ୍ଦ୍ରରେ ରଖିବାର ବ୍ୟବସ୍ଥା କରିଛନ୍ତି। ତାଙ୍କ ହାତରେ ୩ ହଜାର ଟଙ୍କା ମଧ୍ୟ ଦେଇଛନ୍ତି। ଆସନ୍ତାକାଲି ତାଙ୍କୁ କାର୍‌ ଯୋଗେ ଘରକୁ ପଠାଇବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର