ଜଗବନ୍ଧୁ-ଗୌରୀଙ୍କ ମୁହଁରେ ହସ ଫୁଟାଇଲେ ସବ୍ୟସାଚୀ : ମୋ ଗୌରୀ ଫେରିଆସିଛି

ଭୁବନେଶ୍ୱର : ମୁଁ ଆଉ ମୋ ଗୌରୀକି ଦେଖିପାରିବିନି। ତା’ର ମୋ’ର ଆଉ ଭେଟ ହେବନି। ମୁଁ ମରିଯିବି। ସେ ବି ମରିଯିବ। କରୋନା ଆକ୍ରାନ୍ତ ବୃଦ୍ଧବୃଦ୍ଧାମାନେ ଟଳି ପଡ଼ୁଥିବାର ଖବର ଦେଖି ୮୨ ବର୍ଷୀୟ ଜଗବନ୍ଧୁ ଗୁଜରାଟରେ ଫସି ଯାଇଥିବା ନିଜ ପତ୍ନୀ ଗୌରୀଙ୍କୁ ହରାଇ ଦେବା ଚିନ୍ତାରେ ଭାଳି ହେଲେ। ଲକଡାଉନ୍‌ ଯୋଗୁଁ ଗୌରୀ ଗୁଜରାଟରୁ ଫେରି ନପାରିବାରୁ ସେ ବ୍ୟଥିତ ହୋଇପଡ଼ିଲେ। କରୋନା ଯୋଗୁଁ ମନରେ ସୃଷ୍ଟି ହୋଇଥିବା ମୃତ୍ୟୁର ଭୟ ତାଙ୍କୁ ଯେତିକି ବିଚଳିତ କରୁ ନଥିଲା, ନିଜ ପତ୍ନୀଙ୍କୁ ଶେଷ ସମୟରେ କାଳେ ଦେଖିପାରିବେନି; ସେଇ ଚିନ୍ତା ତାଙ୍କୁ ଆକ୍ତାମାକ୍ତା କରି ଦେଉଥିଲା। ଖାଇବା ପିଇବା କମେଇ ଦେଲେ। ନିବୁଜ ଘର ଭିତରେ ବସି ରହିଲେ। ଶେଷରେ ତାଙ୍କର ଏ ଅବସ୍ଥା ଦେଖି ସାହା ହେଲେ ଅଭିନେତା ସବ୍ୟସାଚୀ। ଏ ବୟସରେ ପତି-ପତ୍ନୀଙ୍କ ନିଃସର୍ତ୍ତ ଭଲ ପାଇବା ଦେଖି ସବ୍ୟସାଚୀ ଗୌରୀଙ୍କୁ ଓଡ଼ିଶା ଫେରାଇ ଆଣିବା ଦାୟିତ୍ବ ନେଲେ। ଯେଉଁଦିନ ଗୌରୀ ଘରେ ପାଦ ରଖିଲେ, ଜଗବନ୍ଧୁଙ୍କ ହୃଦୟ ଖୋଲା ହସ କହିଦେଉଥିଲା, ଯେମିତି ତାଙ୍କୁ କୋଟିନିଧି ପାଇ ଯାଇଛନ୍ତି।

ବାଲେଶ୍ବର ସୋର ଅନ୍ତର୍ଗତ ବେଲଦା ଗ୍ରାମର ଜଗବନ୍ଧୁ ସାହୁଙ୍କ ପତ୍ନୀ ଗୌରୀ ସାହୁ (୭୫) ମାର୍ଚ୍ଚ ପ୍ରଥମ ସପ୍ତାହରେ ବଡ଼ ପୁଅ ସହ ଗୁଜୁରାଟ‌ ଯାଇଥିଲେ। ସେଠାରେ କିଛି ଦିନ ରହିବା ଭିତରେ ଲକ୍‌ଡାଉନ୍‌ ଘୋଷଣା ହେଲା। ବଡ଼ ପୁଅ କାମ କରୁଥିବା କମ୍ପାନି ବନ୍ଦ ହୋଇଗଲା। କିଛିଦିନ ଭିତରେ ସବୁ ଠିକ୍‌ ହୋଇଯିବ ଭାବି ଜଗବନ୍ଧୁ ନିଜକୁ ସମ୍ଭାଳି ନେଲେ। ମାତ୍ର ଲକ୍‌ଡାଉନ୍ ଅବଧି ବଢ଼ି ଚାଲିବାରୁ ତାଙ୍କ ଚିନ୍ତା ବଢ଼ିଗଲା। ବୃଦ୍ଧବୃଦ୍ଧାମାନେ କରୋନାରେ ମୃତ୍ୟୁବରଣ କରୁଥିବା ଖବର ଗଣମାଧ୍ୟମରୁ ଦେଖି ଚିନ୍ତା ଦ୍ବିଗୁଣିତ ହେଲା। ତେଣୁ ପତ୍ନୀଙ୍କୁ ଫେରାଇ ଆଣିବାକୁ ପୁଅ, ବନ୍ଧୁ ବାନ୍ଧବଙ୍କ ପାଖେ ନେହୁରା ହେଲେ। ମାତ୍ର ଗୁଜରାଟର ସୀମାନ୍ତ ଅଞ୍ଚଳ ଦାଦ୍ରାରେ ଥିବାରୁ ସେଠାରୁ ଷ୍ଟେସନ୍‌ ପର୍ଯ୍ୟନ୍ତ ପହଞ୍ଚିବାକୁ ବସ୍‌ ଚାଲୁନଥିଲା। ଗୁଜରାଟରେ ରହୁଥିବା ପୁଅ ମଧୁମେହ ଆକ୍ରାନ୍ତ ହୋଇଥିବାରୁ ସେ ବି ମା’ଙ୍କୁ ସାଥିରେ ନେଇ ଓଡ଼ିଶା ଆସିବାକୁ ସାହସ ଜୁଟାଇ ପାରିଲେ ନାହିଁ। ଏଣେ କାମ ବନ୍ଦ ଥିବାରୁ ଆର୍ଥିକ ସଙ୍କଟ ପୁଅ ପାଇଁ ପ୍ରତିବନ୍ଧକ ‌ସାଜିଲା।

ସବୁଆଡ଼ୁ ନିରାଶ ହେବା ପରେ ବେଲଦାରେ ରହୁଥିବା ଜଗବନ୍ଧୁଙ୍କ ପୁତ୍ର ମୋହନ ଚରଣ ସାହୁ ସବ୍ୟସାଚୀଙ୍କ ସହଯୋଗ ଲୋଡ଼ିଲେ। ସବ୍ୟସାଚୀ ଖବର ପାଇବା କ୍ଷଣି ଗାଡ଼ିର ବ୍ୟବସ୍ଥା କରି ଗୌରୀଙ୍କୁ ଫେରାଇ ଆଣିଲେ। ସେଠାରୁ ଆସିବା ପରେ ଗୌରୀ ୨୧ ଦିନ କ୍ବାରାଣ୍ଟିନ କେନ୍ଦ୍ରରେ ରହି ଘରକୁ ଫେରିଛନ୍ତି। ଜଗବନ୍ଧୁ କହିଛନ୍ତି, ସବ୍ୟ ମୋ ଗୌରୀକୁ ଫେରାଇ ଆଣି ମତେ ଋଣୀ କରିଦେଲା। ସେ ୫/୬ଦିନ କୁଆଡ଼େ ଗଲେ ଚଳେଇ ନେଉଥିଲି, କିନ୍ତୁ କରୋନା ଯୋଗୁଁ ୬ ମାସ ଦୂରେଇ ରହିବା ଗୋଟେ ଯୁଗ ‌ଭଳି ଲାଗିଲା। କେମିତି ବା ଏତେ ଦିନ ଦୂରେଇ ରହିପାରିଥାଆନ୍ତି, ସେ ପରା ମୋ’ ଜୀବନ।

ସମ୍ବନ୍ଧିତ ଖବର