ଦୀପ ଦେଖାଇଲା ବଞ୍ଚିବାର ଆଶା, ବିଦୁଲତାଙ୍କ ସବୁ ଦୀପ କିଣିବେ ସବ୍ୟସାଚୀ

ଭୁବନେଶ୍ବର: ଯେପର୍ଯ୍ୟନ୍ତ ଚକ ମାଟି ପାତ୍ର ଗଢ଼ୁଥିଲା, ସେ ଯାଏ ତାଙ୍କ ସଂସାର ରଥ ଗଡ଼ି ଚାଲିଥିଲା। ହେଲେ ଯୋଉଦିନ ବାଳକାଟିର କେନାଲ ତାଙ୍କ ସ୍ବାମୀଙ୍କୁ ଗ୍ରାସି ଦେଲା, ସେଦିନଠୁ ସ୍ବାଭାବିକ ଜୀବନରେ ଯବନିକା ପଡ଼ିଲା। ମୃତ ମାଲୁ ମୁଦୁଲିଙ୍କ ପତ୍ନୀ ବିଦୁଲତାଙ୍କୁ ସବୁ ବୋଝ ମୁଣ୍ଡେଇବାକୁ ପଡ଼ିଲା। ମାତ୍ର ସ୍ବାମୀଙ୍କ ଅକାଳ ମୃତ୍ୟୁରେ ମାନସିକ ସନ୍ତୁଳନ ହରାଇ ବସିଥିଲେ ବିଦୁଲତା। ଏପରି ଅବସ୍ଥାରେ ତାଙ୍କୁ ଅଣ୍ଟା ସଳଖି ଛିଡ଼ା ହେବାକୁ ହାତ ବଢ଼େଇଥିଲେ ଅଭିନେତା ସବ୍ୟସାଚୀ। ସଂସାର କେମିତି ଚଳେଇବେ ଭାବି ଯେତେବେଳେ ବିଦୁଲତା ସନ୍ତୁଳି ହେଉଥିଲେ, ସେତେବେଳେ ତାଙ୍କର ସବୁ ଦୀପ କିଣିବେ ବୋଲି ପ୍ରତିଶ୍ରୁତି ଦେଇ ଦୀପ ଗଢ଼ିବାକୁ ଉତ୍ସାହିତ କରିଥିଲେ ସବ୍ୟସାଚୀ।

୨୦ ଦିନରୁ ଊର୍ଧ୍ବ ହେବ ବିଦୁଲତା ନିଜ ଝିଅ ସହ ମିଶି ବିଭିନ୍ନଧରଣର ଦୀପ ଗଢ଼ୁଛନ୍ତି। ପ୍ରଥମେ ଦିନକୁ ୫୦ରୁ ଶହେଟି ଦୀପ ତିଆରି କରୁଥିବା ବିଦୁଲତା ଏବେ ଦିନକୁ ୪ଶହ ଦୀପ ତିଆରି କରୁଛନ୍ତି। ଭବିଷ୍ୟତ କଥା ଚିନ୍ତା କରି ଯେଉଁ ମୁହଁରେ ଦିନ ଅନିଶ୍ଚିତତା ବସା ବାନ୍ଧିଥିଲା, ସେ ମୁହଁରେ ଆଜି କିଞ୍ଚିତ ହସ ଫେରିଛି। ସଂସାରର ନିୟମ ଆଗରେ ସମସ୍ତେ ଅସହାୟ। ମୃତ୍ୟୁ ସମସ୍ତଙ୍କୁ ଦିନେ ନା ଦିନେ ଆପଣାଇ ନେବ। ମାତ୍ର ଏହା ମଧ୍ୟରେ ବି ଅଣ୍ଟା ସଳଖି ବାକି ସଂସାରକୁ ବାହି ନେବାକୁ ପଡ଼ିବ ବୋଲି ଶିଖାଇ ଦେଇଥିଲେ ସବ୍ୟସାଚୀ। ଗାଧୋଇବାକୁ ଯାଇଥିବା ବେଳେ ମାଲୁଙ୍କର କେନାଲରେ ଗୋଡ଼ ଖସି ମୃତ୍ୟୁ ହୋଇଥିଲା। ତେଣୁ ବିଦୁଲତା ଭାଙ୍ଗି ପଡ଼ିଥିଲେ। ଏହି ଦୁର୍ଦ୍ଦଶାକୁ ସେଇ ପାଖ ଅଞ୍ଚଳରେ ଲୁଗା ଦୋକାନ କରିଥିବା ବାସୁ ଟ୍ବିଟର୍‌‌ରେ ଛାଡ଼ିବା ସହ ସବ୍ୟସାଚୀଙ୍କୁ ଟ୍ୟାଗ୍‌ କରିବା ପରେ ଶୋକରେ ବୁଡ଼ି ରହିଥିବା ପରିବାରରେ ପୁଣି ବଞ୍ଚିବାର ଆଶା ଉଙ୍କି ମାରିଥିଲା।

ସମ୍ବନ୍ଧିତ ଖବର