ଆକ୍ରାନ୍ତଙ୍କୁ ସାହା ହେଉଛି ସବ୍ୟସାଚୀଙ୍କ ‘ସ୍ମାଇଲ୍‌ ଫୋର୍ସ’

ଭୁବନେଶ୍ବରରେ ବସି ୪୦୦ କିମି ଦୂର କଣ୍ଟାବାଞ୍ଝିରେ ଯୋଗାଡ଼ କଲେ ଅମ୍ଳଜାନ
ବାଇପାକ୍ ଆମ୍ବୁଲାନ୍ସ ଜରିଆରେ ମହିଳାଙ୍କୁ ରାଉରକେଲାରୁ ଭୁବନେଶ୍ବର ଆଣିଲେ
ଦ୍ବିତୀୟ ଲହରରେ ୧୨ହଜାର ସଦସ୍ୟ ବିଶିଷ୍ଟ ଗ୍ରୁପ୍

ଭୁବନେଶ୍ବର : ମହାମାରୀ କରୋନାର ଦ୍ବିତୀୟ ଲହରରେ ସଂକ୍ରମଣର ହାର ବଢ଼ୁଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କର ସମାଜସେବାକୁ ଆହୁରି ବ୍ୟାପକ କରିଛନ୍ତି। ରାଜଧାନୀ ଭୁବନେଶ୍ବରରେ ରହି ରାତି ଅଧରେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ୪୦୦ କିମି ଦୂର ବଲାଙ୍ଗୀରର କଣ୍ଟାବାଞ୍ଝିର ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ପାଇଁ ଅମ୍ଳଜାନ ଯୋଗାଡ଼ କରିଛନ୍ତି। ଏଥିରେ ସବ୍ୟସାଚୀଙ୍କୁ ସହଯୋଗ କରିଛନ୍ତି, ତାଙ୍କର ସ୍ମାଇଲ୍‌ ପ୍ଲିଜ୍ ଗ୍ରୁପ୍‌ର ‘ସ୍ମାଇଲ୍ ଫୋର୍ସ’ର ସଦସ୍ୟ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଧିକାରିକ ଭାବେ ଏହି ସ୍ମାଇଲ୍ ଫୋର୍ସ ଗ୍ରୁପ୍‌ର ଏହା ଥିଲା ପ୍ରଥମ ଆହ୍ବାନ। ଏହି ଆହ୍ବାନକୁ ସଫଳତାର ସହ ତାଙ୍କ ଗ୍ରୁପ୍‌ର ସଦସ୍ୟ ତୁଲାଇ ଥିବାରୁ ଆଗକୁ ତାଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ସବ୍ୟସାଚୀ ଆଶା ପ୍ରକଟ କରିଛନ୍ତି।

ବୁଧବାର ରାତିରେ ସବ୍ୟସାଚୀଙ୍କ ପାଖକୁ ଖବର ଆସିଥିଲା, ବଲାଙ୍ଗୀର କଣ୍ଟାବାଞ୍ଝିର ଏକ ନିପଟ ମଫସଲରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଅମ୍ଳଜାନ ସ୍ତର ବହୁତ କମିଯାଇଛି। ଅମ୍ଳଜାନ ନ ମିଳିଲେ, ପରିସ୍ଥିତି ଆହୁରି ଜଟିଳ ହୋଇପାରେ। ରାଜଧାନୀରେ ବସି କିଭଳି ବ୍ୟକ୍ତିଙ୍କ ପାଇଁ ଅମ୍ଳଜାନ ଯୋଗାଡ଼ କରିବେ, ତାଙ୍କୁ ଚିନ୍ତା ଘାରିଥିଲା। ଏହା ପରେ ନିଜେ ଆରମ୍ଭ କରିଥିବା ସ୍ମାଇଲ୍ ଫୋର୍ସ ସଦସ୍ୟଙ୍କ ସହାୟତାରେ ସଇଁତଳାରୁ ଅମ୍ଳଜାନ ସିଲିଣ୍ଡର୍ ଆଣି ତା’କୁ ଭରିବା ସହିତ ମାତ୍ର ୩୦ ମିନିଟ୍‌ରେ କାମ ସାରିଥିଲେ। ହେଲେ ଅମ୍ଳଜାନ ସିଲିଣ୍ଡର୍‌ର ଫ୍ଲୋ ମିଟର୍ ଓ ନାଜାଲ କିଟ୍‌ ନ ମିଳିବାରୁ ଏକ ଘଣ୍ଟା ଅଧିକ ସମୟ ଲାଗିଥିଲା। ଶେଷରେ ଉକ୍ତ ସଇଁତଳା ଅଞ୍ଚଳରୁ ସ୍ମାଇଲ୍ ଫୋର୍ସ ସଦସ୍ୟ ଫ୍ଲୋ ମିଟର୍ ଯୋଗାଡ଼ କରି ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ।

ସେହିଭଳି କିଛି ଦିନ ତଳେ ସବ୍ୟସାଚୀଙ୍କୁ ରାତି ସାମେ ୧ଟାରେ ଏକ ଟ୍ବିଟ୍ ଆସିଥିଲା। ରବୀନ୍ଦ୍ର ପ୍ରଧାନ ନାମକ ଜଣେ ଡାକ୍ତରୀ ଛାତ୍ରଙ୍କର ମା’ଙ୍କର ଅମ୍ଳଜାନ ସ୍ତର ୬୫କୁ ଖସି ଆସିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୂରା ବିଗିଡ଼ି ଯାଇଥିଲା। ପରିସ୍ଥିତି ଏତେ ଶୋଚନୀୟ ଥିଲା ଯେ ରାଉରକେଲା ଆଇଜିଏଚ୍‌ ଡାକ୍ତରଖାନା ମଧ୍ୟ ତାଙ୍କ ମା’ଙ୍କ ଚିକିତ୍ସା କରି ଭଲ କରିବା ସମ୍ଭବ ନଥିଲା। ସେଥିପାଇଁ ରାତି ରାତି ତାଙ୍କ ମା’ଙ୍କୁ ଏମ୍‌ସ ଆଣିବା ପାଇଁ ବାଇପାକ୍ ମେସିନ୍‌ଯୁକ୍ତ ଏକ ଆମ୍ବୁଲାନ୍ସ ଦରକାର ଥିଲା। ଏତେ ବିଳମ୍ବିତ ରାତିରେ ତାଙ୍କୁ ଏଭଳି ବାଇପାକ୍ ମେସିନ୍‌ଯୁକ୍ତ ଆମ୍ବୁଲାନ୍ସ କେଉଁଠୁ ମିଳିବ ଚିନ୍ତା କରି ଶେଷରେ ସେ ସବ୍ୟସାଚୀଙ୍କ ପାଖକୁ ଟ୍ବିଟ୍ କରିଥିଲେ। ରାଜ୍ୟ ସରକାରଙ୍କ ଡିଷ୍ଟ୍ରିକ୍ଟ ମିନେରାଲ୍ସ ଫଣ୍ଡକୁ ଆମ୍ବୁଲାନ୍ସ ଦେବା ପାଇଁ ସବ୍ୟସାଚୀ ଅନୁରୋଧ କରିବା ସହ ବ୍ୟକ୍ତିଗତ ସଂପର୍କ ଓ ଉପାୟ ବଳରେ ରବୀନ୍ଦ୍ରଙ୍କ ମା’ଙ୍କ ପାଇଁ ବାଇପାକ୍ ଆମ୍ବୁଲାନ୍ସ ଯୋଗାଡ଼ କରିଥିଲେ।

ଏନେଇ ସବ୍ୟସାଚୀ କହିଛନ୍ତି ଯେ କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଲୋକଙ୍କୁ ସହାୟତା କରିବା ତାଙ୍କ ପାଇଁ କାଠିକର ପାଠ ହେଉଛି। କାରଣ ଗତବର୍ଷ ଲୋକ ଘରକୁ ଯିବାକୁ ବ୍ୟାକୁଳ ହେଉଥିଲେ। ସଙ୍ଗେସଙ୍ଗେ ନ ହେଲେ ବି ତାଙ୍କ ପାଇଁ କିଛି ଦିନର ଖାଦ୍ୟ ଯୋଗାଡ଼ କରି ସେଠାରେ ରଖିବା ପରେ ସୁବିଧା ଦେଖି ତାଙ୍କୁ ଘରକୁ ଗାଡ଼ି କରି ପଠାଉଥିଲି। ମାତ୍ର ଏବେ ଲୋକେ ଡାକ୍ତରଖାନା ଯିବାକୁ ବ୍ୟାକୁଳ ହେଉଛନ୍ତି। ସେତେବେଳେ ୧୦ ଦିନ ଡେରି ହେଲେ ଚଳୁଥିଲା, ଏବେ ୧୦ ମିନିଟ୍ ବିଳମ୍ବ ହେଲେ ଜୀବନ ସଂକଟରେ ପଡ଼ି ଯାଉଛି। ଏପରିକି ଲୋକେ ମରିଯାଉଥିବା ଶୁଣିଛି। ତେଣୁ ଏଥିପାଇଁ ନିଜ ସହିତ ୧୨ ହଜାର ସ୍ବେଚ୍ଛାସେବୀଙ୍କୁ ନେଇ ଏକ ସ୍ମାଇଲ୍ ଫୋର୍ସ ଗ୍ରୁପ୍ ତିଆରି କରିଛି। ରାଜ୍ୟର କୋଣଅନୁକୋଣରେ ଏହି ଗ୍ରୁପ୍‌ର ସଦସ୍ୟ କାମ କରି ଲୋକଙ୍କ ସହାୟତା କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର