ଭୁବନେଶ୍ବର: ହାଇଟେକ୍ ଫିଜିଓଥେରାପି କଲେଜର ସଚିନ ବେହେରା ଓ ଫାର୍ମାସି ବିଭାଗର ଅମନ ଛତ୍ରିଆ ରବିବାର ଗିନିଜ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି। ସଚିନ ଗୋଟିଏ ମିନିଟ୍ରେ ସର୍ବାଧିକ ୧୩୭ ଥର ଆଣ୍ଠୁ ପ୍ରଘାତ( ଫୁଲ କଣ୍ଟାକ୍ଟ ନି’ ଷ୍ଟ୍ରାଇକ) କରି ଏହି ବିଶ୍ବ ସ୍ତରୀୟ ସଫଳତା ହାସଲ କରିଛନ୍ତି। ପୂର୍ବରୁ ଏହି ନିଆରା କୀର୍ତ୍ତିମାନ ଭାରତର ଜୟନ୍ତ ରେଡ୍ଡୀଙ୍କ ନାଁରେ ଥିଲା। ଜୟନ୍ତ ଗୋଟିଏ ମିନିଟ୍ରେ ୧୧୫ ଥର ଆଣ୍ଠୁ ପ୍ରଘାତ ବା ନି’ ଷ୍ଟ୍ରାଇକ୍ କରିଥିଲେ। ତାଙ୍କ କୀର୍ତ୍ତିମାନକୁ କିନ୍ତୁ ସଚିନ ଆଜି ସହଜରେ କାଟି ଦେଇଛନ୍ତି। ସେହିପରି କିପ୍-ଅପ୍ ବା ବ୍ରେକ୍ଡ୍ୟାନ୍ସରେ ପାକିସ୍ତାନ ଫରାହାନ ଆୟୁବଙ୍କୁ ଅତିକ୍ରମ କରିଛନ୍ତି ଓଡ଼ିଆ ପୁଅ ଅମନ । ଅମନ ଗୋଟିଏ ମିନିଟ୍ରେ ୫୧ଥର କିପ୍-ଅପ୍ ଡ୍ୟାନସ କରିଥିଲେ। ଯାହା ଫରହାନଙ୍କଠାରୁ ୧୦ଟି କିପ୍-ଅପ୍ ଅଧିକ ଥିଲା। ଫରହାନ ଗୋଟିଏ ମିନିଟରେ ମାତ୍ର ୪୧ ଥର କିପ୍ ଅପ୍ କରି ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଉଭୟ ସଚିନ ଓ ଅମନ ଆଜି ବିଶ୍ବ କୀର୍ତ୍ତିମାନ କରିଥିଲେ ମଧ୍ୟ ଗିନିଜ୍ କର୍ତୁପକ୍ଷଙ୍କ ସ୍ବୀକୃତି ପରେ ଯାଇ ଅନୁଷ୍ଠାନିକ ଭାବେ ଏହାର ଅଧିକାରୀ ହେବେ। ୧୯ ବର୍ଷୀୟ ସଚିନ ନୂଆପଡ଼ା ଜିଲ୍ଲା ଲୁର୍କି ପଞ୍ଚାୟତର ବୋଡେନ୍ ଗାଁର ବାସିନ୍ଦା ଲକ୍ଷ୍ମୀ ପ୍ରସାଦ ବେହେରା ଏବଂ ଆରତି ବେହେରାଙ୍କ ପୁଅ। ଅନ୍ୟପକ୍ଷରେ ଅମନ ବଲାଙ୍ଗୀର ଜିଲ୍ଲା କଣ୍ଟାବଞ୍ଜିର ତୁରକେଲା ଗାଁର ରାଜୁ ଛତ୍ରିଆ ଓ ମାଧୁରୀ ଛତ୍ରିଆଙ୍କ ପୁଅ। ରବିବାରର ଏହି କାର୍ଯ୍ୟକ୍ରମ ଗିନିଜ୍ କୀର୍ତ୍ତିମାନଧାରୀ ସତ୍ୟପ୍ରିୟ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା।
ଗିନିଜ ବିଶ୍ବ ରେକର୍ଡସ୍ରେ ସଚିନ-ଅମନ
/sambad/media/post_attachments/wp-content/uploads/2019/03/Untitled-11-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)