ରାଜଧାନୀର କଳେବର ବଢ଼ୁଛି। ଅନେକ ସମ୍ଭାବନାର ସହର ହୋଇଥିବାରୁ ଅନେକ ଆଶା ଓ ସ୍ୱପ୍ନ ନେଇ ବହୁ ଆଡ଼ୁ ଲୋକ ଏଠାକୁ ଆସୁଛନ୍ତି। ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ଆଗରେ ରହିଥିବାରୁ ସାରା ଦେଶର ନଜର ଏହି ସହର ଉପରେ ରହୁଛି। ସହରରେ ଲୋକ ସଂଖ୍ୟା ଯେମିତି ବଢ଼ୁଛନ୍ତି, ଗାଡ଼ି ସଂଖ୍ୟା ବି ସେମିତି ବଢ଼ୁଛି। ପବ୍ଲିକ୍ ଟ୍ରାନ୍ସପୋର୍ଟ ବି ଆଶାତୀତ ଭାବେ ବଢ଼ିଛି। ଟ୍ରାଫିକ୍ ସମସ୍ୟାକୁ ନଜରରେ ରଖି କିଛି ରାସ୍ତାଘାଟ ପୂର୍ବାପେକ୍ଷା ପ୍ରଶସ୍ତ ହୋଇଛି। ସ୍ମାର୍ଟ ସିଟି ଘୋଷଣା ହେଲା ପରେ ବହୁ ନୂଆ ଛକରେ ଟ୍ରାଫିକ୍ ଲାଇଟ୍ ଲଗାଯାଇଛି। କିନ୍ତୁ ସବୁ ନୂଆ ଭିତରେ କିଛି ପୁରୁଣା ତଥା ଜନଗହଳିପୂର୍ଣ୍ଣ ଛକ ଏବେ ସହରର ଦୁଃଖ ପାଲଟିଯାଇଛନ୍ତି। ସହର ଭୌଗଳିକ ସୀମା ଚତୁର୍ଦ୍ଦିଗକୁ ଯେତେ ବଢ଼ୁଥିଲେ ବି ଏହି ଗୁରୁତ୍ୱପୂର୍ଣ୍ଣ ଛକଗୁଡ଼ିକରେ ଗହଳି କମି ନାହିଁ କି କେବେ କମିବାର ନାହିଁ। କିନ୍ତୁ ଛକଗୁଡ଼ିକୁ ଟ୍ରାଫିକ୍ ଦୃଷ୍ଟିକୋଣରୁ ଯେତିକି ଗୁରୁତ୍ୱ ଦିଆଯିବା କଥା, ତାହା ଦିଆଯାଉ ନାହିଁ। ବିଶେଷ କରି ସକାଳେ ଓ ସନ୍ଧ୍ୟାରେ ଏହି ଛକଗୁଡ଼ିକରେ ଟ୍ରାଫିକ୍ ବ୍ୟବସ୍ଥାକୁ ଏକପ୍ରକାର ଭଗବାନଙ୍କ ଭରସାରେ ଛାଡ଼ି ଦିଆଯାଏ। ପୁଲିସ୍ ବୁଝିପାରେନି କିପରି ଟ୍ରାଫିକ୍ ନିୟନ୍ତ୍ରଣ କରିବ? ଲୋକ ବି ଜାଣିପାରନ୍ତିନି ଏହି ଛକରେ ଟ୍ରାଫିକ୍ ନିୟମ କ’ଣ?
ଉପସ୍ଥାପନା: ସସ୍ମିତା ମଲ୍ଲ,
ଫଟୋ: ପ୍ରଭାତ ମହାନ୍ତି
କଳିଙ୍ଗ ହସ୍ପିଟାଲ ଛକ
ଚନ୍ଦ୍ରଶେଖରପୁରକୁ ନୂଆ ରାଜଧାନୀ କୁହାଯାଉଥିବାରୁ ଏହାର ପ୍ରବେଶ ପଥ କଳିଙ୍ଗ ହସ୍ପିଟାଲ ଛକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଛକଟି ବେଶ୍ ପ୍ରଶସ୍ତ ରହିଛି। ଟ୍ରାଫିକ୍ ଦୃଷ୍ଟିକୋଣରୁ ଏହି ଛକଟି ବ୍ୟବସ୍ଥିତ। ଏଠାରେ ଏକ ଟ୍ରାଫିକ୍ ଆଉଟ୍ ପୋଷ୍ଟ ରହିବା ସହ ଅଧିକ ଟ୍ରାଫିକ୍ ପୁଲିସ୍ ମୁତୟନ ବି କରାଯାଇଛି। କିନ୍ତୁ ଏହି ଛକଟି ଏବେ ରାଜଧାନୀର ଅନ୍ୟତମ ଜନଗହଳିପୂର୍ଣ୍ଣ ଛକ ପାଲଟିଯାଇଛି। ବିଭିନ୍ନ କର୍ପୋରେଟ୍ ହାଉସ୍, ହୋଟେଲ୍, ହସ୍ପିଟାଲ୍, ସ୍କୁଲ୍, କଲେଜ ଏହି ଅଞ୍ଚଳରେ ହିଁ ରହିଛି। ତେଣୁ ଦିନତମାମ ଏଠାରେ ଭିଡ଼। ସକାଳ ୧୦ଟା ଓ ସନ୍ଧ୍ୟାରେ ନାହିଁ ନ ଥିବା ଗହଳି। ଛକକୁ ଛୁଇଁଥିବା ସବୁ ରାସ୍ତାରେ ଆଖି ନ ପାଉଥିବା ପରି ଲମ୍ବା ଧାଡ଼ି। ସେହି ଛକକୁ ପାରି ହେବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏଠାରେ ସ୍ଥାୟୀ ପ୍ରତିକାର ଭାବେ ଏକ ଓଭର୍ବ୍ରିଜ୍ର ଜରୁରୀ ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକମାନେ ମତ ଦେଇଛନ୍ତି। ଏ ନେଇ ସରକାରୀ ସ୍ତରରେ ଆଲୋଚନା ହୋଇଥିଲେ ବି ପ୍ରକ୍ରିୟା ବିଶେଷ ଅଗ୍ରଗତି ହୋଇପାରି ନାହିଁ।
ଖଣ୍ଡଗିରି ଛକ
ସହରର ଅନ୍ୟତମ ପୁରୁଣା ଓ ବ୍ୟସ୍ତବହୁଳ ଛକ ହେଲା ଖଣ୍ଡଗିରି ଛକ। ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି-ଉଦୟଗିରି ନିକଟରେ ଏହି ଛକଟି ଥିବାରୁ ବହୁ ପୂର୍ବରୁ ଏଠାରେ ଗହଳି ଲାଗି ରହିଆସୁଛି। ଜାତୀୟ ରାଜପଥରେ ଏହି ଛକଟି ଥିବାରୁ ଏଠାରେ ଗହଳି ଅଧିକ ହେଉଛି। ପର୍ଯ୍ୟଟନସ୍ଥଳୀ ସହ କଲେଜ, ହସ୍ପିଟାଲ୍ ସବୁ ନିକଟସ୍ଥ ଅଞ୍ଚଳରେ ଗଢ଼ି ଉଠିଛି। ପୁଣି ଖଣ୍ଡଗିରି-ଉଦୟଗିରି ନିକଟରେ ହୋଟେଲ୍, ମଲ୍ ବି ଖୋଲିଲାଣି। ତେଣୁ ଖଣ୍ଡଗିରି ଛକରେ ଦିନକୁ ଦିନ ଅସମ୍ଭାଳ ଭିଡ଼ ହେଉଥିବା ଲକ୍ଷ୍ୟ କରାଯାଉଛି। ଏହି ଛକକୁ ବିଭିନ୍ନ ଦିଗରୁ ଛୁଇଁଥିବା ରାସ୍ତାଗୁଡ଼ିକ ଏପରି ହୋଇଛି ଯେ ଗହଳି ସମୟରେ ପୁଲିସ୍ ବି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଅସହାୟ ହୋଇପଡ଼େ। ଫଳରେ ବହୁ ସମୟରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଏ। କେବଳ ଜଣେ ଅନୁଭବୀ ହିଁ କହିପାରିବ ଖଣ୍ଡଗିରି ଛକ ଦେଇ ସନ୍ଧ୍ୟାରେ ଯିବା କେତେ କଷ୍ଟ। ଏଠାରେ ଓଭର୍ବ୍ରିଜ୍ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଟେଣ୍ଡର୍ ଡାକି କାର୍ଯ୍ୟାଦେଶ ଦେଇସାରିଛନ୍ତି। କିନ୍ତୁ ଏହାର ନିର୍ମାଣ ବିଳମ୍ବ ହୋଇ ଚାଲିଥିଲା ବେଳେ ସମସ୍ୟା ସଙ୍ଗିନ୍ ହେବାରେ ଲାଗିଛି।
ରବି ଟକିଜ୍ ଛକ
ଭୁବନେଶ୍ୱରର ଏକ ପୁରାତନ ଛକ ହେଲା ରବି ଟକିଜ୍ ଛକ। ଦିନତମାମ ଏହି ଛକରେ ଗହଳି ଥାଏ। କଳ୍ପନା ଛକରୁ ଲିଙ୍ଗରାଜ ମନ୍ଦିର, ଧଉଳି ଓ ପୁରୀ ଗଲା ବେଳେ ଏହି ଛକ ଦେଇ ଯିବାକୁ ପଡ଼େ। ପୁଣି ଟଙ୍କପାଣି ରୋଡ୍ରେ ଏକାଧିକ ପୁରାତନ ମନ୍ଦିର ଓ ସାଇମନ୍ଦିର ଯିବାକୁ ବି ଏହି ରାସ୍ତା। ସେଥିପାଇଁ ଦିନର ଅଧିକାଂଶ ସମୟରେ ରବି ଟକିଜ୍ ଛକରେ ଭିଡ଼ ଥାଏ। ସକାଳ ୯ଟାରୁ ୧୧ଟା ଏବଂ ସନ୍ଧ୍ୟା ୬ଟାରୁ ୯ଟା ଏଠାରେ ସ୍ଥିତି ଅସମ୍ଭାଳ। ଏହି ସମୟରେ ଟ୍ରାଫିକ୍ ନିୟମ ସାଧାରଣ ଲୋକ ତ ଜାଣିବା ଦୂରର କଥା। ଖୋଦ୍ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୁଲିସ୍ ବି ଜାଣିପାରନ୍ତିନି। ଟଙ୍କପାଣି ରୋଡ୍ ପଟୁ ଏବଂ ରବି ଟକିଜ୍ ପଟୁ ରାସ୍ତା ଏତେ ଚଉଡ଼ା ନାହିଁ କି ଡିଭାଇଡର୍ ନାହିଁ। ତେଣୁ ଟ୍ରାଫିକ୍ ପୁଲିସ୍ ଏଠି ବାଟ ହୁଡ଼ିଯାଆନ୍ତି। ଏଠି ଟ୍ରାଫିକ୍ରେ ସର୍ବାଧିକ ଅବ୍ୟବସ୍ଥା ଥିଲେ ବି ଭିଡ଼ ସମୟରେ ମାତ୍ର ଜଣେ ଦୁଇ ଜଣ ପୁଲିସ୍ରେ କାମ ଚଳାଇ ଦିଆଯାଉଛି। କିଛି ଟ୍ରାଫିକ୍ ସ୍ୱେଚ୍ଛାସେବୀ ହିଁ ଏଠାରେ ନିୟୋଜିତ ହେଉଛନ୍ତି। ସେମାନେ ବି କୂଳ କି ନାରା ପାଉ ନାହାନ୍ତି। ଫଳରେ ଅନେକ ସମୟରେ ଏଠି ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି। ପୁଲିସ୍ କିଛି କରିପାରିବ ବୋଲି ଲୋକଙ୍କ ଆଉ ଭରସା ବି ପାଉନି।
ଲକ୍ଷ୍ମୀସାଗରଓଭରବ୍ରିଜ୍
ସତ୍ୟନଗର ପଟୁ କଟକ ରୋଡ୍ ଆସିବା ପାଇଁ ଲକ୍ଷ୍ମୀସାଗର ଓଭର୍ବ୍ରିଜ୍ ହିଁ ଏକମାତ୍ର ବାଟ। ପୁଣି ରସୁଲଗଡ଼ରୁ କଳ୍ପନା ଛକ ଯିବା ପାଇଁ ଓଭର୍ବ୍ରିଜ୍ କଡ଼େ କଡ଼େ ହିଁ ଯିବାକୁ ପଡ଼େ। ସତ୍ୟନଗର ପଟୁ ଆସିଲେ ଓଭର୍ବ୍ରିଜ୍ ଯେଉଁଠି ଶେଷ ହେଉଛି(ପେଟ୍ରୋଲ୍ ଟାଙ୍କି ସାମ୍ନା), ସେଠାରେ ସନ୍ଧ୍ୟା ସମୟରେ ବିଚିତ୍ର ସ୍ଥିତି ସୃଷ୍ଟି ହେଉଛି। ସେଠାରେ ଗୋଲେଇ ପାଖରେ ଏମିତି ଗାଡ଼ି ଜାମ୍ ହେଉଛି ଯେ କିଛି ସମୟ ପାଇଁ କେହି ଆଗପଛ ହୋଇପାରୁ ନାହାନ୍ତି। ଫଳରେ ସେହି ଗୋଲେଇ ଆଡ଼କୁ ପଡ଼ିଥିବା ସବୁ ରାସ୍ତାରେ ଗାଡ଼ିର ଲମ୍ବା ଧାଡ଼ି ଲାଗିଯାଉଛି। ସନ୍ଧ୍ୟା ବେଳେ ଏହା ଏକ ନିୟମିତ ଦୃଶ୍ୟ ହୋଇଥିଲେ ବି କେବେ ବି ଟ୍ରାଫିକ୍ ପୁଲିସ୍ଙ୍କୁ ଏଠାରେ ଦେଖିବାକୁ ମିଳେ ନାହିଁ। ସ୍ଥାନୀୟ ଲୋକ ଏ ନେଇ ଅଭିଯୋଗ କଲେ ମଧ୍ୟ ପୁଲିସ୍ର ନଜର ପଡ଼ୁ ନାହିଁ। ଏଠାରେ ଟ୍ରାଫିକ୍ ପୁଲିସ୍ ନିୟୋଜିତ କଲେ ସନ୍ଧ୍ୟା ସମୟରେ ଭିଡ଼ ନିୟନ୍ତ୍ରଣ କରିବାରେ ଅସୁବିଧା ହେବ ନାହିଁ। କିନ୍ତୁ ସେତିକି କରିବାକୁ ପୁଲିସ୍ର ସମୟ ନାହିଁ।
ମାଉସୀ ମା’ ଛକ
ସହରର ଆଉ ଏକ ପୁରୁଣା ଛକ ହେଲା ମାଉସୀମା’ ଛକ। ଜନପଥରୁ ଶିଶୁଭବନ ଛକ ଦେଇ ଗୌତମ ନଗର ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳକୁ ଆସିବା ପାଇଁ ମାଉସୀମା ଓଭର୍ବ୍ରିଜ୍ ହିଁ ଏକମାତ୍ର ରାସ୍ତା। ଏହି ଛକରେ ଟ୍ରାଫିକ୍ ସମସ୍ୟା ସକାଳେ ଓ ସନ୍ଧ୍ୟାରେ ଜଟିଳ ହୋଇପଡ଼ୁଛି। ସ୍ଥିତି ଏମିତି ହେଉଛି ଯେ ଶିଶୁଭବନ ଛକରୁ ମାଉସୀମା’ ଛକ ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଧାଡ଼ି ଲାଗିଯାଉଛି। ରଥଦାଣ୍ଡରୁ ଶିଶୁଭବନ ଯିବାକୁ ଚାହୁଁଥିବା ଲୋକମାନେ ଓଭର୍ବ୍ରିଜ୍ ଉପରକୁ ଚଢ଼ିଲା ବେଳେ ଓ ଶିଶୁଭବନରୁ ରଥରୋଡ୍ ଯିବାକୁ ଚାହୁଁଥିବା ଲୋକମାନେ ମାଉସୀମା’ ଛକ ନିକଟରେ ଓଭର୍ବ୍ରିଜ୍ରୁ ଗଡ଼ିଲା ବେଳେ ମୁହାଁମୁହିଁ ହୋଇଯାଉଛନ୍ତି। ସେମିତି ବିଏମ୍ସି ଅଫିସ୍ ଆଡ଼ୁ ରଥରୋଡ୍ ଗଲା ବେଳେ ଏବଂ ବିବେକାନନ୍ଦ ମାର୍ଗରୁ ଶିଶୁଭବନ ଆଡ଼କୁ ଗଲା ବେଳେ ମାଉସୀମା’ ଛକ ନିକଟରେ ଗାଡ଼ିଗୁଡ଼ିକ ଇତସ୍ତତଃ ହୋଇପଡ଼ୁଛନ୍ତି। ଉଠା ଦୋକାନୀଙ୍କ ଭିଡ଼ ଯୋଗୁ ସେଠାରେ ଟ୍ରାଫିକ୍ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଜଣେ ଦୁଇ ଜଣ ଟ୍ରାଫିକ୍ ପୁଲିସ୍ ଏଠାରେ ମୁତୟନ କରାଯାଇଥିଲେ ବି ସେମାନେ କେବଳ ଦେଖଣାହାରୀ ସାଜୁଛନ୍ତି।