ଜନଜାତି ଜୀବନର ଦୁଃଖ ବଖାଣିଲା ‘ନୂଆ’

ଭୁବନେଶ୍ବର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବି ଜନଜାତିର ମା’ଟିଏ କୋଳରେ ନିଜ ମମତାକୁ ଧରିବାକୁ ଚାହେଁ। ସନ୍ତାନକୁ ଗେଲବସର ଜୀବନଟେ ଭେଟି ଦେବାକୁ ଚାହେଁ। କିନ୍ତୁ ଆର୍ଥିକ ଅନଟନ ଓ ଅପପୃଷ୍ଟି ମଧ୍ୟରେ କ’ଣ ତା’ର ଏ ସ୍ବପ୍ନ ସାକାର ହୁଏ? ସରକାରଙ୍କ ଯୋଜନା ରହିଥିଲେ ହେଁ ଏସବୁକୁ କ’ଣ ସରକାରୀ ବାବୁମାନେ ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚାନ୍ତି? ଏହିଭଳି ଏକ ଆଦିବାସୀ ଦମ୍ପତିଙ୍କ ଦରଦୀ ଜୀବନର କଥା କହିଥିଲା ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ନାଟକ ‘ନୂଆ’। ଗୁରୁବାରୀ ଭଳି ଚରିତ୍ରମାନେ ନିଜ କଳ୍ପନାର ସନ୍ତାନକୁ କ’ଣ କୋଳରେ ଧରିପାରିବେନି? ସେମାନେ କ’ଣ ସବୁବେଳେ ଏମିତି ପଛୁଆ ବର୍ଗରେ ରହିଯିବେ ଏବଂ ଆମେ ପଛୁଆ ବର୍ଗ କହି ସେମାନଙ୍କୁ ସଂରକ୍ଷଣ ତାଲିକାଭୁକ୍ତ କରି ଚୁପ୍‌ ବସିଯିବା? ନା କିଛି କରିବା? ଏମିତି ଅନେକ ପ୍ରଶ୍ନ ଉଠାଇଥିଲା ଏହି ନାଟକ। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଦ୍ବାରା ରଚିତ ମୂଳ ଗଳ୍ପ ‘ନୂ୍ଆ ଠିକଣା’ ଉପରେ ଆଧାରିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ସୁବୋଧ ପଟ୍ଟନାୟକ। ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ହରାଇଜନ୍‌ ସିରିଜ୍‌ ଅବସରରେ ନାଟ୍ୟ ଚେତନା ପକ୍ଷରୁ ପରିବେଷିତ ଏହି ନାଟକରେ ବିଭିନ୍ନ ଭୂମିକାରେ ରୂପସାଗର, ସୁଜାତା, ରଘୁ, ବାପି, ରାଜା, ମନୋଜ, ରାକେଶ, ମାନିନୀ ଓ ତୁଷାର ରଞ୍ଜନ ପ୍ରମୁଖ ଅଭିନୟ କରିଥିଲେ। କାର୍ଯ୍ୟକ୍ରମରେ ଆଇସିସିଆର୍‌ର ଆଞ୍ଚଳିକ ନିର୍ଦ୍ଦେଶକ ରଣଜିତ୍‌ ରାଜ୍‌ ଆରୋରା ଏବଂ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥି‌ଲେ।

ସମ୍ବନ୍ଧିତ ଖବର