ନୌବିହାର କଲେ ସାଧବ-ସାଧବାଣୀ

ଅରୁନ୍ଧତୀ ଦେବୀଙ୍କୁ ଦୟାନଦୀ ସମ୍ମାନ

ଧଉଳି: କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ)ଆନୁକୂଲ୍ୟରେ ଦୟାନଦୀ ଲିଙ୍ଗିପୁର-ନାଥପୁର ଘାଟଠାରେ ଏକାଦଶ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକ ସୁସଜ୍ଜିତ ବୋଇତରେ ସାତ ସାଧବ ଓ ସାଧବାଣୀଙ୍କ ଗହଣରେ ଅତିଥିମାନେ ଦୟାନଦୀରେ ନୌବିହାର କରିଥିଲେ। କାପୋକର ସଭାପତି ତଥା ଓଡ଼ିଶା ଖଦୀ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ମୋ’ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ଭୁବନେଶ୍ବର ବ୍ଲକ୍‌ ଅଧ୍ୟକ୍ଷା ନିରୁପମା ସାହୁ, ଲିଙ୍ଗିପୁର ସମିତି ସଭ୍ୟ ପ୍ରକାଶ ସାହୁ, କାପୋକ ଉପସଭାପତି ରବୀନ୍ଦ୍ର ପାତ୍ର, ସଂପାଦକ ଚିତ୍ତରଞ୍ଜନ ମହାନ୍ତି ଏବଂ ବୋଇତ ବନ୍ଦାଣ କମିଟିର ଆବାହକ ଭକ୍ତଭୂଷଣ ବାରିକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ସମାଜସେବୀ ଅରୁନ୍ଧତୀ ଦେବୀଙ୍କୁ ଦୟାନଦୀ ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଭକ୍ତି ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା। ହାସ୍ୟାଭିନେତା ପ୍ରଜ୍ଞା ଖଟୁଆ ଓ ଶଙ୍କର ପ୍ରଧାନ ଦର୍ଶକମାନଙ୍କ ମନୋରଞ୍ଜନ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ରାଜଧାନୀରୁ ବି ବହୁ ଲୋକ ଡଙ୍ଗା ଭସାଇବାକୁ ଏଠାକୁ ଆସିଥିଲେ।

ସେହିପରି ଦୟାନଦୀର ଶାନ୍ତିସ୍ତୂପ ନିକଟସ୍ଥ ବହିରଙ୍ଗେଶ୍ବର ମନ୍ଦିର ନିକଟ ଘାଟ‌ରେ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆକର୍ଷଣୀୟ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଂପାଦକ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜାଗୃତି ପଣ୍ଡା ମହାରଥୀ ଓ ପୁରୀ ଜିଲ୍ଲା ବିଜେଡି ସଂପାଦକ ସତ୍ୟଜିତ ରାୟ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର