ନନ୍ଦନକାନନରେ ଅଘଟଣ : ପର୍ଯ୍ୟଟକଙ୍କୁ ଧକ୍କା ଦେଲା ସଫାରି ବସ୍‌

ବାରଙ୍ଗ: ବୁଧବାର ଅପରାହ୍ନରେ ନନ୍ଦନକାନନରେ ଅପ୍ରତ୍ୟାଶିତ ଭାବେ ଏକ ଦୁର୍ଘଟଣା ଘଟିଛି। ୩ ଜଣ ପର୍ଯ୍ୟଟକ ନନ୍ଦନକାନନରେ ବୁଲାବୁଲି କରୁଥିବାବେଳେ ଏକ ସଫାରି ବସ୍‌ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ୩ ଜଣ ଯାକ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ଦୁର୍ଘଟଣାର ଶିକାର ହୋଇଥିବା ପର୍ଯ୍ୟଟକମାନଙ୍କ ଘର କଟକ ସଦର ଥାନା ଅନ୍ତର୍ଗତ ମହୁରା ଗ୍ରାମରେ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ନାମ ଜ୍ଞାନରଞନ ମଙ୍ଗରାଜ ବୋଲି ଜଣାପଡ଼ିଛି। ସଫାରି ବସ୍‌ର ଚାଳକ ଫେରାର ହୋଇ ଯାଇଥିବାବେଳେ ନନ୍ଦନକାନନ ଥାନା ପୁଲିସ ବସ୍‌ଟିକୁ ଜବତ କରି ଅନୁସନ୍ଧାନ ଜାରି ରଖିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଏହି ତିନି ଜଣ ପର୍ଯ୍ୟଟକ ଜିରାଫ ଦେଖି ସାରି ସରୀସୃପ ଉଦ୍ୟାନ ଆଡକୁ ଆସୁଥିଲେ। ଏତିକିବେଳେ ପଛ ପଟରୁ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ସଫାରି ବୁଲାଇ ସାରି ଫେରୁଥିବା ହିଙ୍ଗୁଳା ନାମକ ସଫାରି ବସ୍‌ଟି ଅଚାନକ ନିୟନ୍ତ୍ରଣ ହରାଇ ଏହି ପର୍ଯ୍ୟଟକମାନଙ୍କ ଆଡ଼କୁ ମାଡ଼ିଯାଇଥିଲା ଏବଂ ପଛପଟୁ ଧକ୍କା ଦେଇଥିଲା। ଫଳରେ ୩ ଜଣ ରାସ୍ତାରେ ପଡ଼ିଯାଇଥିଲେ ଏବଂ ଜଣକ ଉପରେ ବସ୍‌ ଚକା ଚଢ଼ି ଯାଇଥିଲା। ତାଙ୍କୁ ଅଚେତ ଏବଂ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଅନ୍ୟ ଦୁଇ ଜଣ ଖଣ୍ଡିଆଖାବରା ହୋଇଥିଲେ। ଉଭୟ ଗୁରୁତର ଓ ଆହତଙ୍କୁ ନନ୍ଦନକାନନ ଥାନା ପୁଲିସ ପିସିଆର ଭ୍ୟାନ ଚିକିତ୍ସା ଲାଗି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲା। ସେମାନଙ୍କ ମଧ୍ୟରୁ ସାମାନ୍ୟ ଆହତ ଦୁଜଣଙ୍କୁ ପ୍ରାଥମିକ ଚିକିତ୍ସା କରି ଛାଡ଼ି ଦିଆଯାଇଛି। ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର