ଭରତପୁରରେ ଖୋଲିଲା ଜଙ୍ଗଲ ସଫାରି, ୧୫ ଦିନରେ ମୃତାହତଜନିତ କ୍ଷତିପୂରଣ

ଖଣ୍ଡଗିରି: ଏଣିକି ବନ୍ୟପ୍ରାଣୀଙ୍କ ଆକ୍ରମଣରେ କାହାର ମୃତ୍ୟୁ ଘଟିଲେ ବା କେହି ଗୁରୁତର ଆହତ ହେଲେ ବନ ବିଭାଗ ପକ୍ଷରୁ ୧୫ ଦିନ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ପୂର୍ବଭଳି ପୁଲିସ ଓ ରାଜସ୍ବ ବିଭାଗର ତଦନ୍ତ ଉପରେ ନିର୍ଭର କରା ନଯାଇ ବନ ବିଭାଗର ରେଞ୍ଜର ଓ ଡିଏଫ୍ଓଙ୍କ ତଦନ୍ତ ଜରିଆରେ ମୃତକଙ୍କ ପରିବାରକୁ ଓ ଆହତଙ୍କ ଚିକତ୍ସା ପାଇଁ କ୍ଷତିପୂରଣ ଅର୍ଥରାଶି ପ୍ରଦାନ କରାଯିବ। ଗୁରୁବାର ଭରତପୁର ସଂରକ୍ଷିତ ଜଙ୍ଗଲରେ ନୂଆ ଜଙ୍ଗଲ ସଫାରି ଉଦ୍‌ଘାଟନ ହେବା ଅବସରରେ ବନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ପୂର୍ବରୁ ହାତୀ ବାଘ ଭଳି ହିଂସ୍ର ପ୍ରାଣୀଙ୍କ ଆକ୍ରମଣରେ କାହାର ମୃତ୍ୟୁ ଘଟିଲେ, ପୁଲିସ ତଦନ୍ତ ରିପୋର୍ଟ ଓ ତହସିଲଦାରଙ୍କଠାରୁ ଉତ୍ତରାଧିକାରୀ ପ୍ରମାଣପତ୍ର ମିଳିବା ପରେ  ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳୁଥିଲା। ଏହା ଏକ ଲମ୍ବା ପ୍ରକ୍ରିୟା ହେଉଥିବାରୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବ ଘଟୁଥିଲା। କିନ୍ତୁ ରାଜ୍ୟ ସରକାର ଏହି ପୁରୁଣା ନିୟମକୁ ପରିବର୍ତ୍ତନ କରିଛନ୍ତି। ଏଣିକି ସମ୍ପୃକ୍ତ ରେଞ୍ଜର୍‌ ଓ ଡିଏଫ୍ଓ ଉପଯୁକ୍ତ ତଦନ୍ତ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିପାରିବେ ବୋଲି ପିସିସିଏଫ୍‌ ତଥା ବନ ବାହିନୀ ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଥିଲେ।  ଭରତପୁର ଜଙ୍ଗଲ ସଫାରି ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ,  ଅତି ନିକଟରୁ ଜଙ୍ଗଲ ଭ୍ରମଣର ଅନୁଭୂତି ହାସଲ କରିବା ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରିଛି। ରାଜଧାନୀବାସୀ ଏହାଦ୍ବାରା ମନୋରଂଜନ ପାଇଁ ବଡ଼ ସୁଯୋଗ ପାଇବେ। ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇ କହିଥିଲେ, ଭରତପୁର ଜଙ୍ଗଲ ସଫାରି ଲୋକଙ୍କ ଭିତରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ସୃଷ୍ଟି କରିବ। ସୂଚନାଯୋଗ୍ୟ ଯେ ଲୁମ୍ବିନୀ ବିହାର ଉତ୍କଳ ହସ୍ପିଟାଲ ସମ୍ମୁଖ (ଡିଫ୍େ‌ନସ କଲୋନି ନିକଟ) ଭରତପୁର ଜଙ୍ଗଲର ନୂତନ ଗେଟ୍‌ରୁ ଏହି ସଫାରି ପାଇଁ ଟିକେଟ୍‌ ଓ ଗାଡ଼ି ମିଳିବ। ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପ ପାଇଁ ନାଲ୍‌କୋ ଓ ଏମ୍‌ସିଏଲ୍‌ର ସମାଜ କଲ୍ୟାଣ ପାଣ୍ଠିରୁ ଏହି ସଫାରି ପାଇଁ ୮ ସିଟ୍‌ ବିଶିଷ୍ଟ ୫ଟି ଗାଡ଼ି ଯୋଗାଇ ଦିଆଯାଇଛି। ପ୍ରତି ଟ୍ରିପ୍‌ ୨ ଘଣ୍ଟା ଅବଧି ବିଶିଷ୍ଟ। ଏଥିପାଇଁ ୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସକାଳ ୬ଟାରୁ ୧୦ ଘଟିକା ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଭ୍ରମଣ ସୁବିଧା ଉପଲବ୍‌ଧ ହେବ। ଗାଡ଼ିଚାଳକଙ୍କ ସହ ଜଣେ ଗାଇଡ୍ ପର୍ଯ୍ୟଟକଙ୍କ ସହ ପ୍ରତି ଗାଡ଼ିରେ ରହିବେ। ଗାଡ଼ିଗୁଡ଼ିକ ରିଜର୍ଭ କରିବା ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ପ୍ରଥମେ ପର୍ଯ୍ୟଟକଙ୍କୁ ପ୍ରାଧାନ୍ୟ ଦିଆଯିବ ଓ ପରେ ସାଧାରଣ ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ଗାଡ଼ି ରିଜର୍ଭ ବ୍ୟବସ୍ଥା ନିର୍ଭର କରିବ ‌ବୋଲି ଚନ୍ଦକା ଡିଏଫ୍ଓ କେଦାର କୁମାର ସ୍ବାଇଁ ସୂଚନା ଦେଇଥିଲେ। ଏହି ଜଙ୍ଗଲ ସଫାରିର ପ୍ରଥମ ପର୍ଯ୍ୟଟକ ଭାବେ ଆଜି ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ଛାତ୍ରଛାତ୍ରୀ ଜଙ୍ଗଲ ବୁଲାର ମଜା ନେଇଥିଲେ।

ସମ୍ବନ୍ଧିତ ଖବର